ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମାଓବାଦୀଙ୍କ ସହିତ ସମ୍ପର୍କ ଥିବା କାରଣରୁ ଆଜୀବନ କାରାଦଣ୍ଡ ଭୋଗୁଥିବା ଦିଲ୍ଲୀ ବିଶ୍ବବିଦ୍ୟାଳୟର ପୂର୍ବତନ ପ୍ରଫେସର୍‌ ଜି.ଏନ୍‌. ସାଇବାବା ଜେଲ୍‌ରେ ରହିବେ। ତେବେ ତାଙ୍କୁ ମୁକ୍ତ କରିବା ଲାଗି ବମ୍ବେ ହାଇକୋର୍ଟ ଦେଇଥିବା ଆଦେଶକୁ ରଦ୍ଦ କରି ଆଜି ସୁପ୍ରିମକ‌ୋର୍ଟ ଏହି ରାୟ ଦେଇଛନ୍ତି।

ସୂଚନାଯୋଗ୍ୟ, ଶୁକ୍ରବାର ଦିନ ବମ୍ବେ ହାଇକୋର୍ଟଙ୍କ ନାଗପୁର ବେଞ୍ଚ୍‌ ମାଓ ସମ୍ପୃକ୍ତି ମାମଲାରେ ସାଇବାବା ଓ ଅନ୍ୟ ୫ଜଣଙ୍କୁ ଦୋଷମୁକ୍ତ କରିଥିଲେ।ଜି.ଏନ୍‌. ସାଇବାବା ଓ ଅନ୍ୟମାନଙ୍କୁ ଦୋଷମୁକ୍ତ କରାଯିବା ଆଦେଶ ଉପରେ ମହାରାଷ୍ଟ୍ର ସରକାରଙ୍କ ଆବେଦନ ଶୁଣାଣି କରିବା ଲାଗି ଆଜି ସୁପ୍ରିମ୍‌ କ‌ୋର୍ଟ ବିଶେଷ ସିଟିଙ୍ଗ୍‌ ଆୟୋଜନ କରିଥିଲେ।

ଉପରୋକ୍ତ ଶୁଣାଣିରେ ସୁପ୍ରିମ୍‌ କୋର୍ଟ ସାଇବାବା ଓ ଅନ୍ୟ ସହ-ଅଭିଯୁକ୍ତମାନଙ୍କୁ ନୋଟିସ୍‌ ଜାରି କରିବା ସହ ଡିସେମ୍ବର ୮ ତାରିଖ ଦିନ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି।ସେମାନଙ୍କୁ ମୁକ୍ତ କରାଯିବା ଆଦେଶ ଉପରେ ରହିତାଦେଶ ଜାରି କରି ସୁପ୍ରିମ୍ କ‌ୋର୍ଟ କହିଛନ୍ତି, ରେକର୍ଡ କରାଯାଇଥିବା ପ୍ରମାଣ ସବୁକୁ ପ୍ରାଞ୍ଜଳ ଭାବେ ବ‌ିଶ୍ଳେଷଣ କରାଯିବା ପରେ ଅଭି‌ଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବାରୁ ‘ସିଆର୍‌ପିସି’ର ଧାରା ୩୯୦ ପ୍ରୟୋଗ କରି ହାଇକୋର୍ଟଙ୍କ ରାୟକୁ ରଦ୍ଦ କରିବା ପାଇଁ ଏହା ହେଉଛି ଉପଯୁକ୍ତ ମାମଲା।

ଶୀର୍ଷ ଅଦାଲତ ଆହୁରି ମଧ୍ୟ କହିଛନ୍ତି, ଅପରାଧ ଅତି ସାଙ୍ଘାତିକ ହୋଇଥିବାରୁ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। କିନ୍ତୁ, ହାଇକୋର୍ଟ ଉକ୍ତ ମାମଲାର ‘ମେରିଟ୍‌’କୁ ପରୀକ୍ଷା କରିନାହାନ୍ତି। ଏହି ଅପରାଧ ସମାଜର ସ୍ବାର୍ଥ ଓ ଦେଶର ଅଖଣ୍ଡତା ବିପକ୍ଷରେ ଅତି ସାଙ୍ଘାତିକ। ମାମଲାର ‘ମେରିଟ୍‌’ ଉପରେ କିଛି ନ କହି ବମ୍ବେ ହାଇକୋର୍ଟ ଅଭିଯୁକ୍ତମାନଙ୍କୁ ମୁକ୍ତ କରିବାକୁ ଆଦେଶ ଦେଇଛନ୍ତି।