ମହଙ୍ଗା ପଡ଼ିଲା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନାଁରେ ଆପତ୍ତିଜନକ ମନ୍ତବ୍ୟ : ଗିରଫ ହେଲେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କୁ ମହଙ୍ଗା ପଡିଲା ଉଦ୍ଧବ ଠାକରେଙ୍କ ବିରୋଧରେ ବିବାଦୀୟ ବୟାନ। ରାଣେଙ୍କୁ  ଗିରଫ କଲା ମହାରାଷ୍ଟ୍ର ପୋଲିସ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ନାଁରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ରାଣେଙ୍କ ନାଁରେ ଶିବସେନା ପକ୍ଷରୁ ବିଭିନ୍ନ ଥାନାରେ ୪ଟି ମାମଲା ଦାୟର କରାଯାଇଲା । ଏତଲା ଆଧାରରେ ନାରାୟଣ ରାଣେଙ୍କୁ ଗିରଫ କରିଛି  । ଆଜି ଅପରାହ୍ନରେ ରତ୍ନଗିରି ପୁଲିସ୍‌ ନାରାୟଣ ରାଣେଙ୍କୁ ଗିରଫ କରିଛି। ପ୍ରଥମେ ତାଙ୍କୁ ଥାନାକୁ ଆଣି ପଚାରାଉଚରା କରାଯାଇଥିଲା। ଏହାପରେ ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରାଯାଇଛି। 

ନାରାୟଣ ରାଣେ ରତ୍ନଗିରିର ସଙ୍ଗମେଶ୍ୱର ଠାରେ ବିଜେପିର ଜନ ଆଶୀର୍ବାଦ ଯାତ୍ରାକୁ ଯାଉଥିଲେ। ଏହି ସମୟରେ ତାଙ୍କର ଦୁଇ ବିଧାୟକ ପୁଅ ମଧ୍ୟ ଉପସ୍ଥିତି ରହିଥିଲେ। ପୁଲିସ୍‌ ଟିମ୍‌ ତାଙ୍କ ପାଖରେ ପହଞ୍ଚି ପ୍ରଥମେ କଥାବାର୍ତ୍ତା କରିଥିଲା। ଏହାପରେ ତାଙ୍କୁ ସ୍ଥାନୀୟ ଥାନାକୁ ଅଣାଯାଇଥିଲେ। ସେଠାରେ ବରିଷ୍ଠ ପୁଲିସ୍‌ ଅଧିକାରୀମାନେ ବିଧିବଦ୍ଧ ଭାବେ ତାଙ୍କୁ ଗିରଫ କରିଥିଲେ। ଗିରଫଦାରୀ ଟାଳିବା ଲାଗି ରତ୍ନଗିରି କୋର୍ଟରେ ରାଣେଙ୍କ ଅଗ୍ରୀମ ଜାମିନ ନିବେଦନ ମଙ୍ଗଳବାର ଅଗ୍ରାହ୍ୟ କରି ଦେଇଥିଲେ। ଏହାପରେ ସେ ବମ୍ବେ ହାଇକୋର୍ଟଙ୍କ  ଦ୍ଵାରସ୍ଥ ହୋଇଥିଲେ। କିନ୍ତୁ ସେଠାରୁ ବି ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। 

ସୂଚନାଯୋଗ୍ୟ ଯେ,, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚାପୁଡା ମାରିବାକୁ କହି ବିବାଦ ଘେରକୁ ଆସିଥିଲେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ।

କେଉଁ ବୟାନକୁ ନେଇ ବିବାଦ ?

ସୋମବାର ଦିନ ମହାରାଷ୍ଟ୍ରର ରାୟଗଡ ଜିଲ୍ଲାର ଜନ ଆଶିର୍ବାଦ୍ ଯାତ୍ରା ସମୟରେ କେନ୍ଦ୍ର ମନ୍ତ୍ରୀ ରାଣେ କହିଥିଲେ ଯେ ସ୍ବାଧୀନତାର କେତେ ବର୍ଷ ବିତିଯାଇଛି ତାହା ମୁଖ୍ୟମନ୍ତ୍ରୀ ଜାଣି ନାହାନ୍ତି ଏହା ଲଜ୍ଜାଜନକ ବିଷୟ। ଭାଷଣ ସମୟରେ ମୁଁ ଯଦି ସେଠାରେ ଥା’ନ୍ତି, ମୁଁ ତାଙ୍କୁ ଚାପୁଡ଼ା ମାରିଥାନ୍ତି ।  ରାଣେଙ୍କ ଏହି ବୟାନ ପରେ ଶିବସେନା କର୍ମୀ ଉତକ୍ଷିପ୍ତ ହୋଇଛନ୍ତି । ପ୍ରତିବାଦରେ ନାସିକ ସ୍ଥିତ ବିଜେପି କାର୍ଯ୍ୟାଳୟ ଉପରକୁ ଶିବସେନା କର୍ମୀ ଟେକାପଥରମାଡ କରିଛନ୍ତି ।ଏହି ପ୍ରସଙ୍ଗକୁ ନେଇ ମୁମ୍ବାଇରେ ବିଜେପି- ଶିବସେନା କର୍ମୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି ।

ସେପଟେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ବିଜେପି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ପୋଲିସକୁ ଆଇନ ଅନୁସାରେ ରାଣେଙ୍କ ପ୍ରତି ବ୍ୟବହାର କରିବା ଲାଗି ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ଆମେ ହିଂସାରେ ବିଶ୍ୱାସ କରୁନା। ତେବେ ଆମ ପ୍ରତି ହିଂସାକୁ ମଧ୍ୟ ଆମେ ବରଦାସ୍ତ କରୁନା ।

Related Posts