ଶର୍ଟ ସର୍କିଟ ନୁହେଁ ବରଂ ଆନ୍ଧ୍ରରେ ୬ଜଣ ଓଡିଆଙ୍କୁ ପୋଡି ପାଉଁଶ କରିଦିଆଯାଇଛି: କଂଗ୍ରେସ

pradep

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶର ରାମ୍ପଲିରେ ଏକ ଚିଙ୍ଗୁଡି ଫ୍ରାକ୍ଟ୍ରିରେ କିଛି ଦିନ ପୂର୍ବରୁ ବିଦ୍ୟୁତ୍ ଶର୍ଟ ସର୍କିଟରୁ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଯେଉଁଥିରେ ଓଡିଶାର ୬ ଜଣ ଶ୍ରମିକ ପ୍ରାଣ ହରାଇଥିଲେ । ଏନେଇ ଆଜି କଂଗ୍ରେସ ନେତା ପ୍ରଦୀପ ମାଝୀ ବଡ ବୟାନ ଦେଇଛନ୍ତି । ତେବେ ବିଦ୍ୟୁତ୍ ଶର୍ଟ ସର୍କିଟରୁ ସେମାନଙ୍କ ମୃତ୍ୟୁ ହୋଇଥିବା ଦର୍ଶାଯାଇଥିବା ବେଳେ ସେମାନଙ୍କୁ ପୋଡ଼ି ପାଉଁଶ କରି ଦିଆଯାଇଛି ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି । ଏହା ସହ କେହି ନିଜ ଇଚ୍ଛାରେ ସେଠାକୁ ଯାଇ ନ ଥିଲେ। ଯେଉଁ ଦଲାଲ ସେମାନଙ୍କୁ ନେଇ ଆନ୍ଧ୍ରରେ ବିକ୍ରି କରିଥିଲା ତାକୁ ଏ ଯାଏ ପୁଲିସ୍ ଗିରଫ କରିନି। ଏପରିକି ସେଠାକାର ଫାର୍ମ ମାଲିକଙ୍କ ନାଁରେ କିଛି ମାମଲା ରୁଜୁ ହୋଇନି। ଏପରିକି ପୁଲିସ୍‌, ଶ୍ରମ ବିଭାଗ, ସରକାର ସମ୍ପୂର୍ଣ୍ଣ ନୀରବ ଥିବାର ଦେଖିବା ପାଇଁ ମିଳୁଛି ।

ତେଣୁ ଆସନ୍ତା ୭ ଦିନ ମଧ୍ୟରେ ଏହାର ତଦନ୍ତ ନିର୍ଦ୍ଦେଶ ଦିଆନଗଲେ, କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ପ୍ରଦୀପ ମାଝି ଚେତାବନୀ ଦେଇଛନ୍ତି । କେବଳ ଏତିକି ନୁହେଁ ବରଂ ରାଜ୍ୟ ସରକାରଙ୍କ ଉପରକୁ ସିଧାସଳଖ ଆଙ୍ଗୁଠି ଉଠାଇ ପ୍ରଦୀପ କହିଛନ୍ତି, ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାର ରାମ୍ପଲିରେ ଯେଉଁ ଛାତିଥରା ଘଟଣା ଘଟିଛି ସେଥିରେ ଗୁଣୁପୁର ସବ୍‌ଡିଭିଜନର ୬ ଆଦିବାସୀ ଛାତ୍ରଙ୍କ ଅକାଳ ମୃତ୍ୟୁ ହୋଇଥିଲା। ମୃତକଙ୍କ ବୟସ ୧୩ରୁ ୨୨ । ସତ୍ୟ ଅନୁସନ୍ଧାନ ପାଇଁ ଯାଇଥିବା କଂଗ୍ରେସ କମିଟି ହାତରେ ଯେଉଁ ତଥ୍ୟ ଲାଗିଛି ତାହା ସମସ୍ତଙ୍କୁ ଚକିତ କରିବାକୁ ଯଥେଷ୍ଟା। ଅପରିପକ୍ଷେ ଯେଉଁ ୬ ଜଣ ମରିଗଲେ, ସେମାନେ ଯେଉଁ ଫାର୍ମରେ କାମ କରୁଥିଲେ, ସେଠାକାର ମାଲିକଙ୍କ ବିରୋଧରେ ଏଯାଏ କୌଣସି ମାମଲା ରୁଜୁ ହୋଇନି। ଶର୍ଟ ସର୍କିଟରେ ପିଲାମାନେ ମରି ଯାଇଛନ୍ତି ବୋଲି ଆନ୍ଧ୍ର ପୁଲିସ୍ ପକ୍ଷରୁ କୁହାଗଲା । ହେଲେ ସେ ଗୋଦାମରେ ଗୋଟିଏ ଫ୍ୟାନ୍‌, ଗୋଟିଏ ଟ୍ୟୁବ୍ ଲାଇଟ୍ ଲାଗିଛି। ୧୮୦ ଭୋଲଟର ବିଦ୍ୟୁତ୍ ପ୍ରବାହ ହେଉଛି।

ବିଶେଷଜ୍ଞଙ୍କ କହିବାନୁଯାୟୀ, ଏଥିରେ ନିଆଁ ଲାଗିବା ସମ୍ଭବ ନୁହେଁ। ତେଣୁ ନିଆଁ ଲାଗିଲା କିପରି। ଘଟଣାସ୍ଥଳରେ ସାର, କେମିକାଲ, ଗ୍ରାମାସିନ ଆଦି ଥିଲା। ସେମାନେ ସେ ଗୋଦାମକୁ ଗଲେ କିପରି। ଯଦି ଗଲେ, ସେଠାରେ ଶୋଇବା ସମ୍ଭବ ନୁହେଁ। ହେଲେ କୁହାଯାଉଛି, ରାତିରେ ଶୋଇବା ବେଳେ ଶଟସର୍କିଟରୁ ସେମାନଙ୍କ ମୃତ୍ୟୁ ହୋଇଛି, ଯାହାକି ସମ୍ପୂର୍ଣ୍ଣ ଅସମ୍ଭବ ଲାଗୁଛି। ଏଥିସହ ପ୍ରଦୀପ ମାଝି କହିଛନ୍ତି, ଉକ୍ତ ପିଲାମାନେ ସେଠାରେ ଅତ୍ୟାଚାରିତ ହୋଇ ଘରକୁ ଫେରିବାକୁ ଚାହୁଁଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ଷ୍ଟେଶନ ପଳାଇଥିବା ବେଳେ ସେମାନଙ୍କୁ ସେଠାରୁ ଜୋରଜବରଦସ୍ତି ବାଡ଼େଇ ବାଡ଼େଇ ଗୋଦାମରେ ପୂରାଇଥିଲେ ମ୍ୟାନେଜର। ପରେ ସେମାନଙ୍କ ମୃତଦେହ ମିଳିଥିଲା। ତେଣୁ ସେମାନଙ୍କୁ ସିଧାସଳଖ ହତ୍ୟା କରାଯାଇଛି। ପରବର୍ତ୍ତୀ ସମୟରେ ତାହାକୁ ଶଟ ସର୍କିଟ ଭାବେ ଦେଖାଦେଇଛି।

ଉକ୍ତ ୬ ଜଣଙ୍କ ମଧ୍ୟରୁ ୨ ଜଣ ରେସିଡେନସିଆଲ ସ୍କୁଲ ଛାତ୍ର ଥିଲେ । ତେଣୁ ସରକାରଙ୍କ ନିୟମ ଅନୁଯାୟୀ, ସ୍କୁଲ କର୍ତ୍ତୃପକ୍ଷ ନିୟମିତ ଭାବେ ପିଲାଙ୍କ ତଥ୍ୟ ସଂଗ୍ରହ କରିବାକୁ ବାଧ୍ୟ। ସେମାନେ କିପରି ଅଛନ୍ତି, ତାହାର ଖବର ନେବା ଉଚିତ। ହେଲେ ୨ ପିଲା ମାସେ ଚିଙ୍ଗୁଡ଼ି ଫାର୍ମରେ କାମ କରୁଥିବା ବେଳେ ଏନେଇ ସରକାରଙ୍କ ପାଖରେ କିଛି ଖବର ନ ଥିଲା। ଯେଉଁ ଦଲାଲ ସେମାନଙ୍କୁ ନେଇ ଆନ୍ଧ୍ରରେ ବିକ୍ରି କରିଥିଲା ତାକୁ ପୁଲିସ୍ ଗିରଫ କରିନି। ପୁଲିସ୍‌, ଶ୍ରମ ବିଭାଗ, ସରକାର ସମ୍ପୂର୍ଣ୍ଣ ନୀରବ। ରାଜ୍ୟ ସରକାର ୨ ଲକ୍ଷ ଲେଖା, ଫାର୍ମ ମାଲିକ ୫ ଲକ୍ଷ ଓ ଆନ୍ଧ୍ର ସରକାର ୩ ଲକ୍ଷ ଲେଖା ଟଙ୍କା ଦେଇ ଚୁପ୍ ବସିଛନ୍ତି। ହେଲେ ଏହି ଘଟଣାର ତଦନ୍ତ କରି ପ୍ରକୃତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରୁଛି ପ୍ରଦେଶ କଂଗ୍ରେସ କମିଟି । ଯଦି ସମ୍ପୃକ୍ତ ପିଲାମାନଙ୍କୁ ଉପଯୁକ୍ତ ନ୍ୟାୟ ନ ମିଳେ, ତାହାଲେ ଆମେ ସୁପ୍ରିମକୋର୍ଟ ଦ୍ୱାରସ୍ଥ ହେବୁ ବୋଲି ପ୍ରଦୀପ ମାଝୀ ଚେତାବନୀ ଦେଇଛନ୍ତି ।

Related Posts