ପେଟ ବିନ୍ଧା ଯୋଗୁ ଯନ୍ତ୍ରଣାରେ ଛଟପଟ ହେଉଥିବା ନାବାଳକକୁ ଏକ୍ସପାରୀ ଇଞ୍ଜେକସନ: ତାତିଲେ ପରିବାର ଲୋକେ

ରଣପୁର: ଘରୋଇ ନର୍ସିଂହୋମ ନାଁ ରେ ଆସିଛି ସଙ୍ଗୀନ ଅଭିଯୋଗ ।ଜଣେ ୮ ବର୍ଷ ର ନାବାଳକକୁ ଦିଆଯାଇଛି ଏକ୍ସପାରୀ ଇଞ୍ଜେକସନ । ପେଟ ବିନ୍ଧା ଯୋଗୁ ଯନ୍ତ୍ରଣାରେ ଛଟପଟ ହେଉଥିବା ନାବାଳକକୁ ୮ଟି ଇଞ୍ଜେକସନ ଦିଆଯାଇଥିବା ବେଳେ ତାହାର ଏକ୍ସପାରୀ ପ୍ରାୟ ୭ ମାସ ପୂର୍ବରୁ ସରିଯାଇଥିବା ଜଣାଯାଇଛି। ଏପରି ଘଟଣା ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅଞ୍ଚଳରେ ଘଟିଥିବା ବେଳେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଅନ୍ୟପଟେ ନାବାଳକଟିର ଅବସ୍ଥା ଏବେ ସ୍ଥିର ଥିବା ବେଳେ ଏନେଇ ତାଙ୍କ ପରିବାର ଲୋକେ ରଣପୁର ଥାନାରେ ଅଭିଯୋଗ କରିଛନ୍ତି। ଅସୁସ୍ଥ ନାବାଳକଜଣକ ଟାଙ୍ଗୀ ବ୍ଲକ ଝରିଆ ଗ୍ରାମର ନବ ପଲେଇ ଙ୍କ ପୁଅ ରଶ୍ମୀରଞ୍ଜନ ପଲେଇ ବୋଲି ଜଣାଯାଇଛି।

ଗତ ୧୬ ତାରିଖରେ ରଶ୍ମୀରଞ୍ଜନଙ୍କର ପେଟ ବ୍ୟଥା ହେବାରୁ ପରିବାର ଲୋକେ ତାଙ୍କୁ ନିକଟସ୍ଥ ରାମଚଣ୍ଡି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ପିଲାଟିକୁ ୮ଟା ଇଞ୍ଜେକସନ, ୨ ସାଲାଇନ ଦିଆଯାଇଥିଲା । ଏହାପରେ ତାଙ୍କୁ ଡିସଚାର୍ଜ କରାଯାଇଥିବା ବେଳେ ପରିବାର ଲୋକେ ୩ଟି ଇଞ୍ଜେକସନ କିଣିକି ନେଇଥିଲେ।

ଉକ୍ତ ଇଞ୍ଜେକସନ ଦେବାକୁ ରଶ୍ମୀରଞ୍ଜନଙ୍କ ପରିବାର ଲୋକେ ତାଙ୍କୁ ନିକଟସ୍ଥ ମେଡିକାଲ ନେଇଥିଲେ। ମାତ୍ର ସେଠାରେ ଥିବା ଡାକ୍ତର ଉକ୍ତ ଇଞ୍ଜେକସନର ଏକ୍ସପାରୀ ୭ ମାସ ତଳୁ ଚାଲି ଯାଇଥିବା ଦେଖିବାକୁ ପାଇଲେ।

ଏହାପରେ ନାବାଳକର ଅଭିଭାବକ ତୁରନ୍ତ ରାମଚଣ୍ଡି ହସ୍ପିଟାଲକୁ ଯାଇ ଘଟଣା ଜଣାଇବାରୁ ପ୍ରଥମେ କର୍ମଚାରୀ ମାନି ନ ଥିଲେ। ମାତ୍ର ପରେ ଖୋଳତାଡ଼ ବେଳେ ଉକ୍ତ ଇଞ୍ଜେକସନ ଖୋଳ ବାହାର କରାଯାଇଥିଲା। ଉକ୍ତ ଖୋଳଗୁଡ଼ିକରେ ମଧ୍ୟ ୭ ମାସ ତଳର ଏକ୍ସପାରୀ ତାରିଖ ପଡ଼ିଥିଲା। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ବେଳେ ଶେଷରେ ନର୍ସିଂହୋମ କର୍ତ୍ତୃପକ୍ଷ ନିଜ ଦୋଷ ସ୍ୱୀକାର କରିଥିଲେ ଓ କ୍ଷତିପୂରଣ ଦେବାକୁ ରାଜି ହୋଇଥିଲେ।

ଏକ୍ସପାରୀ ଇଞ୍ଜେକସନ ଯୋଗୁ ପିଲାଟି ଗୁରୁତର ହେବା ଆଶଙ୍କା କରି ପରିବାର ଲୋକେ ତାକୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରିଥିଲେ। ସେଠାରେ ସବୁ ପରୀକ୍ଷା ପରେ ପିଲାଟି ଏବେ ଠିକ୍‌ ଥିବା ଜଣାଯାଇଛି।

Related Posts