ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜସ୍ଥାନର ଯୋଧପୁର ସହରରେ ଗ୍ୟାସ ରିଫିଲିଂ ସମୟରେ ଏକ ସିଲିଣ୍ଡର ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ତିନି ଶିଶୁଙ୍କ ସମେତ ମୋଟ ୪ ଜଣଙ୍କର ମୃତ୍ୟୁ ହୋଇଛି। ଏହାସହିତ ୧୬ ଜଣ ଗୁରୁତର ଆହତ ହୋଇଛନ୍ତି। ବିସ୍ଫୋରଣର ଶବ୍ଦରେ ଆଖପାଖ କଲୋନୀ ମଧ୍ୟ କମ୍ପି ଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ସ୍ଥାନୀୟ ଜିଲ୍ଲାପାଳ ହିମାଂଶୁ ଗୁପ୍ତା ଦେଇଥିବା ସୂଚନା ଅନୁଯାୟୀ, ଆଜି ଅପରାହ୍ନ ପ୍ରାୟ ତିନିଟା ସମୟରେ କିର୍ତ୍ତୀ ନଗର ଅଞ୍ଚଳରେ ଏହା ଦୁର୍ଘଟଣା ଘଟିଛି।ନିକଟସ୍ଥ କଲୋନୀରେ ପାର୍କିଂ ହୋଇଥିବା ଗାଡିଗୁଡିକରେ ମଧ୍ୟ ଏହା ଫଳରେ ନିଆଁ ଲାଗିଯାଇଥିବା ସେ ସୂଚନା ପ୍ରଦାନ କରିଛନ୍ତି।
ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରେ ୧୨ ବର୍ଷୀୟ ନିକୁ , ୧୫ ବର୍ଷ ବୟସ୍କ ବିକି, ୧୩ ବର୍ଷ ବୟସ୍କା କୋମଲ ଏବଂ ୪୫ ବର୍ଷ ବୟସ୍କ ସୁରେଶ ରହିଛନ୍ତି। ଏହାସହିତ ଆଠ ଜଣ ଲୋକଙ୍କ ଶରୀରର ୮୦ ପ୍ରତିଶତ ପର୍ଯ୍ୟନ୍ତ ଜଳିଯାଇଛନ୍ତି। ଅନୁସନ୍ଧାନରୁ ଜଣାପଡିଛି ଯେ ଯେଉଁ ଘରେ ରିଫିଲିଂ ଚାଲିଥିଲା ସେହି ଘର କୋଜାରାମ ଲୋହାରଙ୍କର ଥିଲା। କୋଜାରାମଙ୍କ ପୁଅ ଗ୍ୟାସ ରିଫିଲିଂ କାମ କରନ୍ତି । ଦୁର୍ଘଟଣାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନଥିବା ବେଳେ ଗ୍ୟାସ୍ ରିଫିଲିଂ ସମୟରେ ଏହି ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି।
ଅନୁସନ୍ଧାନରେ ପ୍ରାୟ ଚାରି ଡଜନ ଘରୋଇ ଏବଂ ବ୍ୟବସାୟିକ ସିଲିଣ୍ଡର ମଧ୍ୟ ଘରୁ ବାହାର କରାଯାଇଛି। କୁହାଯାଉଛି ଯେ ଏହି ଘରଟି ଲୋକଙ୍କ ଘରେ ସିଲିଣ୍ଡର ନେଇଥିବା ହକରଙ୍କର। ବିସ୍ଫୋରଣରେ ଘରର କିଛି ଅଂଶ ମଧ୍ୟ ଭୁଶୁଡି ପଡିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଜିଲ୍ଲାପାଳ ଏବଂ ଏସପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏନେଇ ସ୍ଥାନୀୟ ବିଧାୟକ ମନୀଷା ପାୱାର କହିଛନ୍ତି ଯେ, ଏହି ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମନିଟରିଂ କରାଯାଉଛି। ସହରରେ ବେଆଇନ ଗ୍ୟାସ ରିଫିଲିଂ କାମ ଚାଲିଛି। ଏହାକୁ ତଦନ୍ତ କରାଯିବ ବୋଲି ସେ କହିଛନ୍ତି।
