ଗୁଜରାଟରେ ଆପ୍‌ ମନ୍ତ୍ରୀଙ୍କ ବୟାନକୁ ବିରୋଧ; ଆପର ରାଲି ପୂର୍ବରୁ ବିଜେପି କର୍ମୀଙ୍କ ହଙ୍ଗାମା, ଚିରିଲେ କେଜ୍ରିୱାଲଙ୍କ ପୋଷ୍ଟର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୁଜରାଟରେ ଆପ୍‌ର ରାଲି ପୂର୍ବରୁ ବିଜେପି କର୍ମୀଙ୍କ ହଙ୍ଗାମା ଦେଖିବାକୁ ମିଳିଛି। ଦିଲ୍ଲୀର କ୍ଷମତାସୀନ ଆପ୍‌ର ଜଣେ ମନ୍ତ୍ରୀ ହିନ୍ଦୁ ବିରୋଧୀ ବୟାନ ଦେଇଥିବା ଅଭିଯୋଗକରି ବିଜେପି କର୍ମୀମାନେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ବିଜେପି କର୍ମୀମାନେ ଗୁଜରାଟର ଭଦୋଦରାରେ ଆପ୍‌ ଲଗାଇଥିବା କେଜ୍ରିୱାଲ ଓ ଦଳୀୟ ନେତାଙ୍କ ବ୍ୟାନରଙ୍କୁ ଚିରି ଦେଇଛନ୍ତି। ଆପ୍‌ ପକ୍ଷରୁ ଅରବିନ୍ଦ କେଜ୍ରିୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଭଦୋଦରାରେ ରାଲି କରିବା ପୂର୍ବରୁ ଏପରି ଘଟଣା ଘଟିଛି। ବିଜେପି କର୍ମୀଙ୍କ ଭଙ୍ଗାରୁଜା ଓ ବ୍ୟାନର ଚିରିବା ବେଳର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି କିଛି ବିକ୍ଷୋଭକାରୀଙ୍କୁ ଅଟକ ରଖିଛି। ହେଲେ ଅପରାହ୍ନ ୪ଟା ବେଳେ ହେବାକୁ ଥିବା ଆପ୍‌ର ରାଲି ଏଯାଏ ଆରମ୍ଭ ହୋଇନାହିଁ।

ଗୁଜରାଟରେ ଚଳିତ ବର୍ଷ ଡିସେମ୍ବର ମାସରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଆପ୍‌ ପକ୍ଷରୁ ରାଜ୍ୟରେ ସରକାର ଗଠନ ପାଇଁ ଜୋରଦାର ପ୍ରସ୍ତୁତି କରାଯାଉଛି। ଏହିକ୍ରମରେ ଆଜି ଆପ୍‌ ପକ୍ଷରୁ ତ୍ରିରଙ୍ଗା ଯାତ୍ରା ଆୟୋଜନ କରାଯିବାର ଥିଲା। କିନ୍ତୁ ଏହାପୂର୍ବରୁ ବିଜେପି କର୍ମୀମାନେ ରାଲି ସ୍ଥଳରେ ହଙ୍ଗାମା କରିଛନ୍ତି।

ଏନେଇ ବରିଷ୍ଠ ଆପ୍‌ ନେତା ଦୁର୍ଗେଶ ପାଠକ ଟ୍ୱିଟ କରି ଘଟଣା ବେଳର ଭିଡିଓ ସାର୍ବଜନୀନ କରିଛନ୍ତି। ସେ କହିଛନ୍ତି ଯେ, “ଗୁଜରାଟରେ ବିଜେପି ପରାଜୟର ଭୟରେ ଏପରି ଗୁଣ୍ଡାଗର୍ଦ୍ଦି କରୁଛି।”

ସୂଚନାଯୋଗ୍ୟ ଯେ, ବୁଧବାର ଆପ୍‌ର ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ ଗୋଟିଏ ବୌଦ୍ଧ ଧର୍ମର ମହାସଭାରେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ହଜାର ହଜାର ଲୋକ ହିନ୍ଦୁ ଦେବଦେବୀଙ୍କୁ ମାନିବେ ନାହିଁ କିମ୍ବା ପୂଜା କରିବେ ନାହିଁ ବୋଲି ଶପଥ ନେଉଥିବାର ଭିଡିଓ ସାମ୍ନାକୁ ଆସିଥିଲା। ଏହାକୁ ଆଧାର କରି ବିଜେପି ପକ୍ଷରୁ ଏବେ ଆପ୍‌କୁ ବିରୋଧ କରିବା ଆରମ୍ଭ କରାଯାଇଛି।

Related Posts