ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ବିସ୍ଫୋରକ ବୟାନ – ” ମୁଖ୍ୟମନ୍ତ୍ରୀଙ୍କ ଉପରେ ୮୨ ବିଧାୟକ ଓ ମନ୍ତ୍ରୀଙ୍କର ଆସ୍ଥା ନାହିଁ “

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ ଦିନ ସରଗରମ ଥିଲା। ବିରୋଧୀ ମରୁଡ଼ି ପ୍ରସଙ୍ଗ ଉଠାଇ ସରକାରଙ୍କୁ ହରଡଘଣାରେ ପକାଇଥିଲେ। ତେବେ ଏ ସବୁ ମଧ୍ୟରେ ସବୁଠାରୁ ବଡ ଚର୍ଚ୍ଚାର ବିଷୟ ପାଲଟିଥିଲା ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ଏକ ବୟାନ। ସେ କହିଛନ୍ତି, ” ରାଜ୍ୟରେ ଗୋଟିଏ ଅଚଳ ସରକାର ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ଉପରେ ଅଧିକାଂଶ ମନ୍ତ୍ରୀ ଓ ବିଧାୟକମାନଙ୍କର ଆସ୍ଥା ନାହିଁ। ତେଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବା ଦରକାର । “

ବୁଧବାର ବିଧାନସଭା ଅଧିବେଶନର ପ୍ରଥମ ଦିନରେ ଗୃହ ବାହାରେ ଗଣମାଧ୍ୟମକୁ ସମ୍ବୋଧନ କରି ଏଭଳି କିଛି ବିସ୍ଫୋରକ ବୟାନ ଦେଇଛନ୍ତି ବିଧାନସଭାରେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର। ଶ୍ରୀ ମିଶ୍ର କହିଛନ୍ତି ଯେ, ଓଡ଼ିଶାରେ ବର୍ତ୍ତମାନ ଏକ ଅଦ୍ଭୂତ ପରିସ୍ଥିତି ସୃଷ୍ଟି ହୋଇଛି। ପୂର୍ବରୁ ଏମିତି କେବେ ବି ହୋଇନଥିଲା । ଅଧାରୁ ଅଧିକ ମନ୍ତ୍ରୀ ଓ ବିଧାୟକ ବୋଧହୁଏ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି , ଯେଉଁଥିରେ କ୍ୟାବିନେଟ ମନ୍ତ୍ରୀ ମାନେ ମଧ୍ୟ ସାମିଲ ଅଛନ୍ତି। ୧୭୭ଟି ହାଇସ୍କୁଲକୁ ଗ୍ରାଣ୍ଟ-ଇନ-ଏଡ୍ ଦାବି କରି ଶିକ୍ଷକମାନେ ତାଙ୍କୁ ଏଭଳି ଏକ ଦରଖାସ୍ତ ଦେଇଛନ୍ତି ଯେଉଁଥିରେ ୮୨ଜଣ ବିଧାୟକ ଓ ମନ୍ତ୍ରୀଙ୍କ ଦସ୍ତଖତ ରହିଛି।

ଏହି ଦରଖାସ୍ତରେ ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକମାନେ ପ୍ରଶ୍ନ କରିଛନ୍ତି ଯେ କାହିଁକି ଏସବୁ ସ୍କୁଲକୁ ଗ୍ରାଣ୍ଟ-ଇନ-ଏଡ୍ ଦିଆଯାଉ ନାହିଁ। ଏଠି ଗ୍ରାଣ୍ଟ-ଇନ-ଏଡ୍ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି କ୍ୟାବିନେଟ୍ ମନ୍ତ୍ରୀ ଲେଖୁଛନ୍ତି । ସରକାର କହିଲେ ମନ୍ତ୍ରୀଙ୍କୁ ବୁଝାଏ, ମନ୍ତ୍ରୀ କହିଲେ ସରକାରଙ୍କୁ ବୁଝାଏ। କିନ୍ତୁ ଏଠି ମନ୍ତ୍ରୀ ମାନେ ମଧ୍ୟ ଅସହାୟ। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ଏହି ସରକାରରେ ମନ୍ତ୍ରୀମାନଙ୍କର କିଛି ଭୂମିକା ନାହିଁ। ମନ୍ତ୍ରୀମାନେ ଅପାରଗ ହୋଇପଡ଼ିଛନ୍ତି। ମନ୍ତ୍ରୀ ଯେତେବେଳେ ଅନୁଭବ କରନ୍ତି ଯେ ସେ ସରକାର ନୁହଁନ୍ତି, ତାଙ୍କୁ ସରକାର ବୋଲି ମାନ୍ୟତା ଦିଆଯାଉ ନାହିଁ, ସେତେବେଳେ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବାକୁ ବାଧ୍ୟ ହୋଇଥାନ୍ତି। ବୋଧହୁଏ ମୁଖ୍ୟମନ୍ତ୍ରୀ ଅବା ତାଙ୍କ ତରଫରୁ ସେମାନଙ୍କୁ ସରକାରର ମାନ୍ୟତା ଦିଆଯାଉ ନାହିଁ । ମନ୍ତ୍ରୀଙ୍କର କଲେକ୍ଟିଭ ରେସପନ୍ସିବିଲିଟି ରହିଛି। ସ୍କୁଲକୁ ଅନୁଦାନ ଦେବା ପାଇଁ ମନ୍ତ୍ରୀମାନେ ଏଠି ବିରୋଧୀ ଦଳକୁ ସାହାଯ୍ୟ ମାଗୁଛନ୍ତି ବୋଲି କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି।

ସୂଚନା ଥାଉକି , ରାଜ୍ୟର ୧୭୭ଟି ହାଇସ୍କୁଲକୁ ସରକାର ଗ୍ରାଣ୍ଟ-ଇନ-ଏଡ୍ ଦେବା ଦାବିରେ ବିଧାୟକ ଓ ମନ୍ତ୍ରୀମାନେ ବିରୋଧୀ କଂଗ୍ରେସ ଦଳର ବିଧାୟକଙ୍କ ନିକଟକୁ ଯାଇଛନ୍ତି। ବିଧାୟକ ଓ ମନ୍ତ୍ରୀ ମାନେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ଏକ ଚିଠି ଲେଖି ସହାୟତା ମାଗିଛନ୍ତି,ଯେଉଁଥିରେ ଅଧିକାଂଶ ମନ୍ତ୍ରୀ ଓ ବିଧାୟକଙ୍କର ଦସ୍ତଖତ ରହିଛି ବୋଲି ସେ କହିଛନ୍ତି।

Related Posts