ଯୁକ୍ତ ଦୁଇ ରେଜଲ୍ଟକୁ ନେଇ ଅସନ୍ତୁଷ୍ଟ ପରୀକ୍ଷାର୍ଥୀଙ୍କ ପାଇଁ ଅଫ୍‌ଲାଇନ୍‌ ପରୀକ୍ଷା, ଆସନ୍ତା କାଲି ଠାରୁ ଅନ୍‌ଲାଇନ୍‌ରେ ଆବେଦନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଯୁକ୍ତ ଦୁଇ ରେଜଲ୍ଟରେ ଅସନ୍ତୁଷ୍ଟ ଥିବା ପରୀକ୍ଷାର୍ଥୀମାନଙ୍କ ପାଇଁ ଅଫ୍‌ଲାଇନ୍‌ ପରୀକ୍ଷା ସୁଯୋଗ। ଆସନ୍ତା କାଲି ଠାରୁ ଅସନ୍ତୁଷ୍ଟ ପରୀକ୍ଷାର୍ଥୀମାନେ ଅଫଲାଇନ ପରୀକ୍ଷା ଦେବା ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ତେବେ ଆବେଦନ ଲାଗି ୫ ଦିନ ସମୟ ମିଳିବ। ଏହା ପରେ ଆବେଦନକାରୀଙ୍କ ସଂଖ୍ୟାକୁ ଦେଖି ପରୀକ୍ଷା ସୂଚୀ ଓ କେନ୍ଦ୍ର ଘୋଷଣା ହେବ।

ସୂଚନା ଥାଉକି ଯେଉଁ ପରୀକ୍ଷାର୍ଥୀମାନେ ଅଫ୍‌ଲାଇନ୍‌ ପରୀକ୍ଷା ଦେବେ, ସେମାନଙ୍କୁ ବିକଳ୍ପ ମୂଲ୍ୟାୟନରେ ମିଳିଥିବା ମାର୍କ କାଏମ ରହିବନି। ସେମାନଙ୍କ କ୍ଷେତ୍ରରେ ଅଫ୍‌ଲାଇନ୍‌ ପରୀକ୍ଷା ମାର୍କ ହିଁ ଚୂଡ଼ାନ୍ତ ମାର୍କ ହେବ। ଏ ସମ୍ପର୍କରେ ଗତକାଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ସୂଚନାଯୋଗ୍ୟ ଯେ, ଜୁଲାଇ ୩୧ ତାରିଖରେ ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ରେଜଲ୍ଟ ପ୍ରକାଶ ପାଇଥିଲା। ଚଳିତବର୍ଷ ବିଜ୍ଞାନରେ ୮୯ ହଜାର ୯୫୧ ପିଲା ପାସ୍ କରିଥିବା ବେଳେ ସେଥି ମଧ୍ୟରୁ ୫୫୪୬୮ ପିଲା ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୧୬୯୪୩ ଓ ତୃତୀୟ ଶ୍ରେଣୀରେ ୧୪୬୩୧ ଜଣ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଜ୍ଞାନରେ ରେଗୁଲାର ପାସ୍ ହାର ୯୯.୮୮% ରହିଛି। ସେହିପରି ବାଣିଜ୍ୟରେ ୯୪.୯୬ ପ୍ରତିଶତ ପାସ୍ କରିଛନ୍ତି। ବାଣିଜ୍ୟରେ ରେଗୁଲାର ପାସ୍ ହାର ୯୯.୯୫%। ବାଣିଜ୍ୟରେ ପ୍ରଥମ ଶ୍ରେଣୀରେ ପାସ୍ ୮ ହଜାର ୩୫୫ ପାସ୍‌ କରିଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ପାସ୍ ୫ ହଜାର ୬୯୨ ଓ ତୃତୀୟ ଶ୍ରେଣୀରେ ପାସ୍ ୯୦୬୬ ଜଣ ପିଲା।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ବିନା ପରୀକ୍ଷାରେ ଛାତ୍ର ଛାତ୍ରୀ ମାନଙ୍କର ରେଜଲ୍ଟ ପ୍ରକାଶ ପାଇଥିଲା। କିନ୍ତୁ ଏହି ରେଜଲ୍ଟକୁ ନେଇ ଅନେକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ ଛାତ୍ରଛାତ୍ରୀଙ୍କ ମନରେ ଥିବା ଅସନ୍ତୋଷ ଦୂର କରିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଫ୍‌ଲାଇନ୍‌ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି। ଆସନ୍ତା କାଲି ଠାରୁ ଅସନ୍ତୁଷ୍ଟ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବା ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ ବୋଲି ନିଷ୍ପତ୍ତି ହୋଇଛି।

Related Posts