ଉଚ୍ଚମାନର ଖଣିଜକୁ ନିମ୍ନମାନର ଦର୍ଶାଇ ହଡ଼ପ ହେଉଛି କୋଟି କୋଟି ଟଙ୍କା: ସଂସଦରେ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଲେ ଅପରାଜିତା

ଭୁବନେଶ୍ୱର,୧୬/୧୨(ସତ୍ୟପାଠ ବ୍ୟୁରୋ): ସସଂଦର ଶୀତ ଅଧିବେଶନରେ ଆଜି ଲୋକସଭାରେ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଓଡ଼ିଶାରେ ଖଣି ଖନନରେ ବ୍ୟାପକ ଦୁର୍ନୀତି ହୋଇଥିବା ଅପରାଜିତା ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ଓଡ଼ିଶା ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକ ବର୍ଷରେ ଏକାଧିକ ଲୁହା ପଥର ଖଣି ନିଲାମ କରିଥିଲେ ।କିନ୍ତୁ ଆଶ୍ଚର୍ଯ୍ୟର କଥା ନୂଆ ନିଲାମ ପରେ ନିଲମଧାରୀ ନିମ୍ନ ମାନର ଲୁହା ପଥର ପରିମାଣ ଅଧିକ ଦେଖାଉଛନ୍ତି । ତଥ୍ୟ ଉପସ୍ଥାପନ କରି ଅପରାଜିତା କହିଛନ୍ତି, ସମସ୍ତେ ଜାଣିଛେ ୫୫ ପ୍ରତିଶତ ଫେରସ୍ କଣ୍ଟେଣ୍ଟରୁ କମ ଲୁହା ପଥରକୁ ନିମ୍ନ ମାନର ଲୁହା ପଥର ଗଣାଯାଏ । ଯାହାର ମୂଲ୍ୟ ବହୁତ କମ୍ ।

ଆର୍ଥିକ ବର୍ଷ ୨୦୧୯-୨୦ରେ ଏସବୁ ଖଣି ନିଲାମ ପୂର୍ବରୁ ଏଥିରେ ନିମ୍ନ ମାନର ଲୁହା ପଥର ୦.୯ ପ୍ରତିଶତ ଥିଲା । ଆଉ ଗୋଟିଏ ବର୍ଷ ମଧ୍ୟରେ ନିଲାମଧାରୀ ୨୭.୩ ପ୍ରତିଶତ ନିମ୍ନ ମାନର ଲୁହା ପଥର ବାହାରୁଥିବା ଦର୍ଶାଇଛନ୍ତି । ୨୦ରୁ ୩୦ ବର୍ଷ ଧରି ଯେଉଁଠି ଭଲ ଲୁହା ପଥର ଉତ୍ପାଦନ ହେଉଥିଲା ସେଠି ବର୍ଷେରୁ ୨ ବର୍ଷ ମଧ୍ୟରେ ୨୦୨୨ ଏପ୍ରିଲ୍ ସୁଦ୍ଧା ଏହି ପ୍ରତିଶତ ୪୨.୩ ପ୍ରତିଶତ, ୫୮.୯ ପ୍ରତିଶତ ହୋଇଛି ।

ଫଳରେ ବିକ୍ରି ମୂଲ୍ୟ କମିବା ସହ ବିଡ୍ ଆମାଉଣ୍ଟ କମିଛି । ଫଳରେ ସରକାରଙ୍କୁ କମ୍ ଟଙ୍କା ମିଳୁଛି । ରାଜକୋଷକୁ କମ୍ ଟଙ୍କା ଆସୁଛି । ଏହାକୁ ନେଇ କେନ୍ଦ୍ର ସରକାର ମଧ୍ୟ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ ଲୁହାପଥରର ତଦନ୍ତ କରିବା ଲାଗି । କିନ୍ତୁ ରାଜ୍ୟ ସରକାର କର୍ଣ୍ଣପାତ କରୁନଥିବା ଅପରାଜିତା ଅଭିଯୋଗ କରିଛନ୍ତି ।

Related Posts