‘ଓଡ଼ିଶାରେ ଏବେ ଆମେ ସମସ୍ତେ ଅସୁରକ୍ଷିତ’: ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଅପରାଜିତା

ଭୁବନେଶ୍ୱର,୧୬/୨(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ବିଜେପି ରାଜରାସ୍ତାକୁ ଓହ୍ଲାଇଛି। ଆଜି ଭୁବନେଶ୍ୱର ରାଜଭବନ ଆଗରେ ବିଜେପିର ନେତା ଓ କର୍ମୀ ଏକାଠି ହୋଇ ପ୍ରତିବାଦ କରିଛନ୍ତି। ଧାରଣାରେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ବିଜେପିର ଅନେକ ପ୍ରମୁଖ ନେତା ସାମିଲ ହୋଇଛନ୍ତି।

ମନ୍ତ୍ରୀ ନବ ଦାସଙ୍କ ହତ୍ୟାର ସିବିଆଇ ତଦନ୍ତ ଦାବି କରିଛି ବିଜେପି। ଏହି ଅବସରରେ ଅପରାଜିତା ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶାରେ ଏବେ ଆମେ ସମସ୍ତେ ଅସୁରକ୍ଷିତ। ଆଇନଶୃଙ୍ଖଳା ସ୍ଥିତିକୁ ନେଇ ଆଜି ସାରା ଓଡ଼ିଶାବାସୀ ମର୍ମାହତ। ଅନେକ ବିଜେଡି କର୍ମୀ ମଧ୍ୟ ରାଜ୍ୟରେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଯଦି ରାଜ୍ୟ ସରକାର ନିଜ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇପାରୁନାହାନ୍ତି, ତେବେ ଆମେ କିଭଳି ସୁରକ୍ଷିତ ? ଆମେ ସମସ୍ତେ ଅସୁରକ୍ଷିତ, ମୁଁ ନିଜେ ମଧ୍ୟ ଅସୁରକ୍ଷିତ ଅନୁଭବ କରୁଛି। ୧୫ ଦିନ ହୋଇଗଲା, ହତ୍ୟାର ଉଦ୍ଦେଶ୍ୟ ଓଡ଼ିଶାବାସୀ ଜାଣିପାରୁ ନାହାନ୍ତି ବୋଲି ଅପରାଜିତା କହିଛନ୍ତି। ଏହାସହିତ ଜଷ୍ଟିସ ଜେପି ଦାସଙ୍କୁ ଦାୟିତ୍ୱ ନେଇ ମଧ୍ୟ ଅପରାଜିତା ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, କେଉଁ ଜୁଡିସିଆଲ ଅର୍ଡରରେ ଜେପି ଦାସଙ୍କୁ ଦାୟିତ୍ୱ ଦିଆଯାଇଛି ? ଆମେ ସମସ୍ତେ ଅସୁରକ୍ଷିତ, ମୁଖ୍ୟମନ୍ତ୍ରୀ ଏହାର ଜବାବ ଦିଅନ୍ତୁ ବୋଲି ଅପରାଜିତା ଷଡ଼ଙ୍ଗୀ କହିଛନ୍ତି।

Related Posts