‘ଆମର ଭିଡ଼ିଓ କନଫରେନସିଂ ଚିଫ୍ ମିନିଷ୍ଟର ଦରକାର ନାହିଁ’; ପଦ୍ମପୁରରୁ ନବୀନଙ୍କୁ ଅପରାଜିତାଙ୍କ ଟାର୍ଗେଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପ୍ରଦ୍ମପୂର୍ ଉପନିର୍ବାଚନ ପାଇଁ ଆଜି ଦେଖିବାକୁ ମିଳିଛି ହାଇଭୋଲ୍ଟେଜ୍ ପ୍ରଚାର। ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଙ୍ଗ ଧରିଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଆଜି ପଦ୍ମପୁରରେ ନିର୍ବାଚନ ସଭାରେ ସମ୍ବୋଧନ କରିବା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ପ୍ରାର୍ଥୀ ବର୍ଷା ବରିହାଙ୍କୁ କଡା ସମାଲୋଚନା କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।

ନବୀନଙ୍କୁ ଭିଡ଼ିଓ କନଫରେନସିଂ ଚିଫ ମିନିଷ୍ଟର କହି କଟାକ୍ଷ କରିବା ସହିତ ଅପରାଜିତା କହିଛନ୍ତି ଯେ, ଆମର ଭିଡ଼ିଓ କନଫରେନସିଂ ଚିଫ ମିନିଷ୍ଟର ଦରକାର ନାହିଁ।ଆମର ସେମିତି ମୁଖ୍ୟମନ୍ତ୍ରୀ ଦରକାର, ଯିଏ ଆମ କଥା ବୁଝୁଥିବେ । ଯିଏ ଲୋକଙ୍କ ପାଖକୁ ଯାଇ ପରୁଥିବେ। ଯିଏ ପଦଯାତ୍ରା କରି ୧୪୭ଟି ନିର୍ବାଚନ ବୁଲି ପାରୁଥିବେ। ଆଉ ଭୁବନେଶ୍ୱରରେ ନିଜ କାର୍ଯ୍ୟାଳୟରେ ବସି ଲୋକଙ୍କ ସହ ଭିଡ଼ିଓ କନଫରେନସିଂ ଜରିଆରେ ଯୋଡ଼ି ହେଉଥିବା ମୁଖ୍ୟମନ୍ତ୍ରୀ ଆମର ଦରକାର ନାହିଁ ବୋଲି ଅପରାଜିତା କହିଛନ୍ତି। ଅପରାଜିତା ଆହୁରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଜାଣି ସାରିଲେଣି ଯେ ପଦ୍ମପୁର ତାଙ୍କ ହାତରୁ ଗଲାଣି ତେଣୁ ଆଜି ବାଧ୍ୟହୋଇ ସେ ଆସିଛନ୍ତି। ସେ ଶେଷ ଥର ପାଇଁ ୨୦୧୯ରେ ବରଗଡ଼ ଜିଲ୍ଲା କୁ ଆସିଥିଲେ ସେତେବେଳେ ବିଜେପୁରରେ ଉପନିର୍ବାଚନ ଥିଲା। ସେ ପଦ୍ମପୁରକୁ କେବେ ଆସି ନାହାନ୍ତି, ଏ ଅଞ୍ଚଳକୁ ସେ ଭଲ ପାଆନ୍ତି ନାହିଁ। ଏବେ ନିର୍ବାଚନରେ ହାରୁଥିବା ଦେଖି ଆସିଛନ୍ତି ବୋଲି ଅପରାଜିତା କହିଛନ୍ତି।

ଏହାସହିତ ପ୍ରଚାର ଅବସରରେ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ଅପରାଜିତା । ପଦ୍ମପୁରକୁ ଜିଲ୍ଲା ଘୋଷଣା ଦାବି ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଆହୁରି ମଧ୍ଯ ଅପରାଜିତା କହିଛନ୍ତି, ମୁଁ ଏଠାରେ ଜିଲ୍ଲାପାଳ ଥିଲା ବେଳେ ପଦ୍ମପୁରକୁ ଜିଲ୍ଲା ଦାବି ଯଥାର୍ଥ ଥିବା ଅନୁଭବ କରିଥିଲି । ୨୨ ବର୍ଷ ବିତିଗଲାଣି, ରାଜ୍ୟ ସରକାର ପଦ୍ମପୁରକୁ ଜିଲ୍ଲା କଲେ ନାହିଁ । ନିକଟରେ ମୁଖ୍ୟମନ୍ତ୍ରୀ କହିଥିଲେ ପଦ୍ମପୁରକୁ ସ୍ୱତନ୍ତ୍ର ଜିଲ୍ଲା କରାଯିବ। କିନ୍ତୁ ତାଙ୍କ ନିଜ ମନ୍ତ୍ରୀ ଏବେ କହୁଛନ୍ତି ପଦ୍ମପୁରକୁ ଜିଲ୍ଲା କରିବା ନେଇ ବର୍ତ୍ତମାନ କିଛି ପ୍ରସ୍ତାବ ନାହିଁ। ମୁଖ୍ୟମନ୍ତ୍ରୀ ଆଉ ମନ୍ତ୍ରୀଙ୍କ କଥାରେ ସମାନତା ରହୁନାହିଁ ବୋଲି ଅପରାଜିତା କହିଛନ୍ତି।

ସେହିପରି ବିଜେଡିର ପ୍ରାର୍ଥୀ ବର୍ଷଙ୍କୁ ନେଇ ସେ କହିଛନ୍ତି ଯେ, ବାହାଘର ସରିଲେ ଝିଅ ଶାଶୁଘରର ହୋଇଯାଏ। ଅନ୍ୟର ବୋହୂ ଶାଶୁଘର ପାଇଁ କହିବ ନା ବାପଘର ପାଇଁ କହିବ? ମୁଁ ଏଠିକାର ବୋହୂ, ଏଇଠି ମୋ ଶାଶୁଘର, ମୋ ଶାଶୁଘର ମୋ ଘର । ସାଢ଼େ ଚାରି କୋଟି ଓଡିଶାବାସୀ ମୋ ଶାଶୁଘର ଲୋକ କହି ବର୍ଷାଙ୍କୁ ଟାର୍ଗେଟ କରିଛନ୍ତି ଅପରାଜିତା । ନିଜ ଜନ୍ମଭୂମିକୁ ଛାଡି ମୁଁ ଓଡ଼ିଶାର ସେବା କରୁଛି । ପଦ୍ମପୁରରେ ପ୍ରତିଦ୍ୱନ୍ଦିତା କରୁଥିବା ବିଧାୟିକା ପ୍ରାର୍ଥୀଙ୍କ ଶାଶୁଘର ହେଉଛି ସତ୍ଯବାଦୀ । ଯଦି ସେ ସତ୍ଯବାଦୀରୁ ଲଢେଇ କରିଥାନ୍ତେ ମୁଁ ତାଙ୍କ ପାଇଁ ପ୍ରଚାର କରିଥାନ୍ତି ବୋଲି କହିଛନ୍ତି ସାଂସଦ । ହେଲେ ଝିଅ ଶାଶୁଘରକୁ ଚାଲି ଯାଇଛି, ତେଣୁ ଏବେ ଆମକୁ ପୁଅକୁ ଜିତାଇବାର ଅଛି ବୋଲି କହିଛନ୍ତି ଅପରାଜିତା।

ଅନ୍ଯପଟେ ଆଜି ପ୍ରଚାରରରେ ଆସି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଥା ନୁହେଁ, ମୁଁ କାମରେ ବିଶ୍ଵାସ କରେ l ଉଦାହରଣ ଦେଇ ନବୀନ କହିଛନ୍ତି ଯେ l, କେନ୍ଦୁପତ୍ରରେ ପ୍ରଥମ ପର୍ଯ୍ୟାୟରେ ୧୦୦୦ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୫୦୦ ଟଙ୍କା ବୋନସ ଦିଆଯିବ । କିନ୍ତୁ କେନ୍ଦ୍ର ସରକାର କେନ୍ଦୁପତ୍ରରେ ୧୮ ପ୍ରତିଶତ ଜିଏସଟି ଲାଗେଇଛନ୍ତି। ଯେଉଁଠି ସୁନାରେ ମାତ୍ର ୩ ପ୍ରତିଶତ ଜିଏସଟି ଲାଗୁଛି। ହେଲେ କେନ୍ଦୁପତ୍ରରେ କାହିଁକି ୧୮ ପ୍ରତିଶତ ବୋଲି ପ୍ରଶ୍ନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Related Posts