ମୁହାଁମୁହିଁ ହେଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିଧାୟକ ସୁରେଶ ରାଉତରାୟ

ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ମଧ୍ୟରେ ଥିବା କନ୍ଦଳ ଏବେ ହାଟ ରେ ପଡି ଘାଟରେ ଗଡ଼ିଲାଣି | ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଦ୍ୱାରା ଦିଆଯାଇଥିବା କାରଣ ଦର୍ଶାଅ ନୋଟିସର ଜବାବ ରଖିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । କଂଗ୍ରେସ ଭବନକୁ ଆସି ଲିଖିତ ଭାବେ ଉତ୍ତର ଦାଖଲ କଲେ ସୁର ରାଉତରାୟ ।

ସୁର ପୁଣିଥରେ ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନାଙ୍କ ପୁରୁଣା କଥାକୁ ଦୋହରାଇଛନ୍ତି । ଦୁହେଁ ପିସିସି ସଭାପତି ନେଇ ନବୀନଙ୍କ କଥା କହିଥିଲେ, କିନ୍ତୁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ ବୋଲି ସୁର କହିଛନ୍ତି । ଆମେ ଦିନକୁ ୧୮ ଘଣ୍ଟା କାମ କରୁଛୁ ।

ତାରା ବାହିନୀପତି ଓ ସନ୍ତୋଷ ସିଂ ସାଲୁଜା ବହୁ ବିଶୃଙ୍ଖଳିତ ମନ୍ତବ୍ୟ ଦେଇଛନ୍ତି । ସେମାନଙ୍କ ପାଇଁ ଶୃଙ୍ଖଳା କମିଟି ନାହିଁ ବୋଲି ପ୍ରଶ୍ନ କରିଛନ୍ତ ସୁର । ଆଉ ନିଜ ଉପରେ କାର୍ଯ୍ୟାନୁଷ୍ଠାନ ହେଲେ ଖାତିର ନାହିଁ ବୋଲି କହିଛନ୍ତି ସୁର । କିଛି ଦିନ ତଳେ ସୁର କହିଥିଲେ ଯେ ରାଜ୍ୟ କଂଗ୍ରେସର ସଭାପତି ନବୀନ ପଟ୍ଟନାୟକ ସ୍ଥିର କରନ୍ତି । ଆଉ ଏହି ମନ୍ତବ୍ୟ ପରେ ସୁରଙ୍କଠାରୁ ଜବାବ ମାଗିଥିଲେ ପିସିସି ସଭାପତି ।

ସେପଟେ ସୁର ଆଣିଥିବା ଅଭିଯୋଗକୁ ଭିତ୍ତିହୀନ କହିଲେ ପସିସି ସଭାପତିି ନିରଞ୍ଜନ ପଟ୍ଟନାୟକ । ସୁର ଦେଖିଥିବା ଜବାବ ନେଇ ଶୃଙ୍ଖଳା କମିଟିରେ ଆଲୋଚନା କରାଯିବ । ଦୋଷୀ ସାବ୍ୟସ୍ଥ ହେଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିରଞ୍ଜନ କହିଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟ କଂଗ୍ରେସର ପିସିସି ସଭାପତି ପରିବର୍ତନ ନେଇ ଚର୍ଚା ଜୋର ଧରିଥିବା ବେଳେ, ଏହାରି ମଧ୍ୟରେ ସାମ୍ବାଦିକଙ୍କ ପ୍ରଶ୍ନର ଉତର ଦେବାକୁ ଯାଇ କଂଗ୍ରେସର ସଭାପତି କିଏ ହେବ, ସେ ନିଷ୍ପତ୍ତି ନବୀନ ପଟ୍ଟନାୟକ ନିଅନ୍ତି ବୋଲି ଗଣମାଧ୍ୟମରେ ଉତର ରଖିଥିଲେ ସୁର ରାଉତରାୟ |

ସେପଟେ ତାଙ୍କର ଏପରି ବୟାନ କୁ ନେଇ ରାଜନୀତି ଜୋର ଧରିବା ସହ କିଭଳି ଓ କେଉଁ ପରିସ୍ଥିତିରେ ବୟାନ ଦେଲେ ତା’ର ସନ୍ତୋଷଜନକ ଉତ୍ତର ଦେବାକୁ ନୋଟିସ୍ ପଠାଇଥିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ | ସେ କିପରି ଏମିତି ପ୍ରତିକ୍ରିୟା ଦେଲେ ତାର ଉତର ରଖନ୍ତୁ |

ବିଧାୟକ ଶ୍ରୀ ରାଉତରାୟ କହିଛନ୍ତି, ମୁଁ କାରଣ ଦର୍ଶାଅ ନୋଟିସ୍ ପାଇଛି। ତା’ ଉତ୍ତର ଦେବି। ସେମିତି କିଛି ବିରାଟ ଭୁଲ୍ କରିନି ଯେ ମୁଁ ଉତ୍ତର ଦେବିନି। ମୁଁ ଯାହା କହିଛି, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜେ ସେହି କଥା କହିଥିଲେ। ଜୟଦେବ ଜେନା ବି କହିଥିଲେ। ଆଉ ମୁଁ କହିଦେଲି ଯେ କ’ଣ ଭାସିଗଲା?

ସେ ଆହୁରି କହିଛନ୍ତି, ମୁଁ ନବୀନ ନିବାସ ପଟେ ଯାଉଥିଲି। ସାମ୍ବାଦିକ ଭାଇମାନେ ଘେରି ଗଲେ। ସେମାନେ କହିଲେ ବିଜେଡି ପଞ୍ଚାୟତ ଓ ମ୍ୟୁନିସିପାଲିଟିରେ ୯୦ ଭାଗ ଜିତି ସମୀକ୍ଷା କରୁଛନ୍ତି କେମିତି ୧୦୦ ଭାଗ ନେବ। ଏହା ଶୁଣି ମୁଁ କହିଲି ତାଙ୍କର ତ ସବୁ। ନବୀନ ବାବୁଙ୍କର ସବୁ। ତା’ପରେ ସାମ୍ବାଦିକମାନେ ପଚାରିଲେ ନିରଞ୍ଜନ ପଟ୍ଟନାୟକ କ’ଣ ତାଙ୍କର? ମୁଁ କହିଲି ନିରଞ୍ଜନ ତାଙ୍କର। ଚେଲା କୁମାର ବି ତାଙ୍କର। କହୁ କହୁ କହିଦେଲି, ଗୋଟେ ସ୍ଲିପ୍ କରି ଗଲା। କ’ଣଟା ଭାସିଗଲା ସେଠୁ। ଏୟା ହୋଇଛି କଥା। ଏହା ସହିତ ମୁଁ କହିଥିଲି, ସମସ୍ତେ ଶୁଣିଥାଅ କଂଗ୍ରେସ ଏକ ଜାତୀୟ ଦଳ। ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଏହାର ନେତା। ଆମେ ସବୁ କ୍ୟାଡର। ଆମକୁ କେହି ପରିବର୍ତ୍ତନ କରିପାରିବେନି।

Related Posts