କଂଗ୍ରେସ ଭବନରେ ଚର୍ଚ୍ଚା, ପୁତୁଲ ଭାଇ ନୁହଁ, ଭାଲୁ ଭାଇନା ଫର୍ମୁଲା ଦରକାର

ଅଂଶୁମାନ ପଟ୍ଟନାୟକ

ସତ୍ୟପାଠ ବ୍ୟୁରୋ, ୦୪/୦୩ : ପଞ୍ଚାୟତ ନିର୍ବାଚନ ଫଳାଫଳକୁ ନେଇ ଚାରିଆଡ଼େ ଏବେ ରାଜନୈତିକ ଚର୍ଚ୍ଚା । ବିଜେଡି କୁ ଏତେ ବିରାଟ ସଫଳତା ମିଳିଛି ଯେ ତାଙ୍କର କଡ ଲେଉଟିବାକୁ ବି ତର ନାହିଁ। ବିଜେପି ଓ କଂଗ୍ରେସ ଭିତରେ ନେତା ଓ କାର୍ମୀ ଙ୍କ ଭିତରେ ଏବେ ତୁ ତୁ ମେଁ ମେଁ ଜୋର ରେ ଲାଗିଛି। ବିଜେପିବାଲା ସିଟ କୁ ଛାଡ଼ି ଭୋଟ ପର୍ସେଣ୍ଟେଜ୍ ବାହାନା ଦେଖାଇ ମୁହଁ ବଞ୍ଚାଇବାରେ ବ୍ୟସ୍ତ । କଂଗ୍ରେସ ପାଇଁ ବାହାନା ହେଲା ବିଜେପି ର ଖରାପ ପ୍ରଦର୍ଶନ। ତାକୁ ଛାଡ଼ିଲେ କଂଗ୍ରେସ ପାଇଁ ଆଉ ଯେଉଁ ଗୋଟିଏ କୂଳ ସାହାରା ଦେଖାଯାଉଛି ସେଇଟା ହେଲା କୋରାପୁଟ ରେ କଂଗ୍ରେସ ର ଭଲ ପ୍ରଦର୍ଶନ।

ଏହିଭଳି ସ୍ଥିତିରେ ରାଜ୍ୟ କଂଗ୍ରେସ ଭିତରେ ଏବେ ଚର୍ଚ୍ଚା ଚାଲିଛି ଯେ , ବହୁତ୍ ହେଇଗଲା ପୂତୁଲ ଭାଇଙ୍କ ( ନିରଞ୍ଜନ ବାବୁଙ୍କ ଡାକ ନାମ) ଫର୍ମୂଳା, ଏବେ ପିସିସି ଭାଲୁ ଭାଇନା ଙ୍କ ( ତାରା ପ୍ରସାଦ ବାହିନୀପତି ଙ୍କ ଡାକ ନାମ) ସୂତ୍ର କୁ ଲାଗୁ କରୁ। ଏ ସ୍ଲୋଗାନ ପଛର ଅବଶ୍ୟ ଯୁକ୍ତି ଅଛି। କାରଣ ଚଳିତ ପଂଚାୟତ ନିର୍ବାଚନ ରେ କଂଗ୍ରେସ ଏକ ପ୍ରକାର ତଳିତଲାନ୍ତ ହେଇଯାଇଥିବା ବେଳେ କୋରାପୁଟ ରେ ତାରା ବାହିନୀପତି ବିଜେଡ଼ି କୁ କଡ଼ା ଟକକର ଦେଲେ। ଖାଲି ସେତିକି ନୁହଁ ଗତ ୨୦୧୭ ରେ କୋରାପୁଟରେ କଂଗ୍ରେସ ମାତ୍ର ୪ ଟା ଜିଲ୍ଲା ପରିଷଦ ପାଇଥିବାବେଳେ ଏଥର କଂଗ୍ରେସ ତିନି ଗୁଣା ବଢ଼ି ୧୨ ଟା ସିଟ ପାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭାଲୁ ବାହିନୀପତି ସେହି ସମୟରେ କମାଲ ଦେଖାଇଛନ୍ତି ଯେଉଁ ସମୟରେ BJD କୋରାପୁଟ ରେ କଂଗ୍ରେସକୁ ମୂଳରୁ ମାରିବା ପାଇଁ ଜିଲ୍ଲାର ପ୍ରାୟ ସବୁ ବଡ ନେତାଙ୍କୁ ଉଠାଇଆଣି ବିଜେଡି ରେ ମିଶାଇଦେଇଛି। ପ୍ରଦୀପ ମାଝୀ, କୁଲସିକା, ଚନ୍ଦ୍ର ମାଝୀ ଆଦି। କୋରାପୁଟ ଜିଲ୍ଲା କୁ ନିଜେ ବବି ଦାସ ଓ ଚନ୍ଦ୍ର ସାରଥୀ ବେହେରା ବୁଝୁଥିଲେ। ଘନ ଘନ ହେଲିକପ୍ଟର ରେ ଉଡ଼ି କୋରାପୁଟରେ ବିଜେଡି ର ବଡ ବଡ ନେତା ରଣନୀତି ତିଆରି କରୁଥିଲେ। ଜିଲ୍ଲା ସାମ୍ବାଦିକଙ୍କ କହିବା କଥା ଯେ ବିଜେଡି କୋରାପୁଟରେ ନିର୍ବାଚନ ବେଳେ ପାଣି ଭଳିଆ ଟଙ୍କା ଖର୍ଚ୍ଚ କରିଛନ୍ତି। ବିଜେଡି ଷ୍ଟ୍ରାଟେଜୀ ରେ ବିଜେପି କୋରାପୁଟରେ ଧୂଳି ଚାଟିଦେଲା । ମାତ୍ର ଭାଲୁ ଭାଇ ପାଖରେ ବବି ଭାଇର ପ୍ଲାନ୍ କାମ ଦେଲାନି।

କଂଗ୍ରେସ ନେତାଙ୍କ କହିବା କଥା, ୩୦ ଜିଲ୍ଲାରୁ ୨୯ ଜିଲ୍ଲାରେ କଂଗ୍ରେସ ନିସ୍ତେଜ ହେଇଗଲା ବେଳେ ଭାଲୁ ଭାଇଙ୍କ ଓଷ, ମାଉଁସ ନା ପାଉଁଶ କଣ ସେ ଫର୍ମୂଲା ଯେଉଁଥିରେ କୋରାପୁଟରେ ନବୀନ ମ୍ୟାଜିକ ଫୁସ୍ ହେଇଗଲା? ଭାଲୁ ଭାଇ ଆଗରେ ସେଠି ବିଜେଡି ର ଟଙ୍କା କାମ ଦେଲାନି, କ୍ୟାଡ଼ର କାମ ଦେଲାନି, ଏସ ଏଚ ଜି ମିସନ୍ ଶକ୍ତି କାମ ଦେଲାନି, ନବୀନ ନୁହଁ କି ବବି ଭାଇ, କିଛି କାମ ଦେଲାନି କଣ ପାଇଁ? ୨୦୧୭ ରେ ବିଜେଡି କୋରାପୁଟ ରେ ୨୪ ଜିଲ୍ଲା ପରିଷଦ ଜିତିଥିଲା। କଂଗ୍ରେସ ୪ ଟି ରେ ଜିତିଥିଲା। ଏଥର ବିଜେଡି ନେତା କହୁଥିଲେ କି ବବି ଭାଇ ଦାୟିତ୍ବ ନେଇଛନ୍ତି ମାନେ କଂଗ୍ରେସ ଏଠି ସଫା ହେଇଯିବ। ମାତ୍ର ଫଳ ଓଲଟା ହେଲା ବିଜେଡି ର ସିଟ ସେୟାର ପାଖାପାଖି ୪୫ ପ୍ରତିଶତ ତଳକୁ ଖସିଗଲା ସେପଟେ କଂଗ୍ରେସ ୩ ଗୁଣା ବଢ଼ିଗଲା।

ସେପଟେ ନିରଞ୍ଜନ ବାବୁଙ୍କ ନିର୍ବାଚନ ମଣ୍ଡଳୀ ଜିଲ୍ଲାରେ କଂଗ୍ରେସ ଶୁନ ହେଇଗଲା।ଉଭୟ ଭଦ୍ରକ ଓ କେଉଁଝର ରେ କଂଗ୍ରେସ ଶୁନ। ୨୦୧୭ ରେ କଂଗ୍ରେସ ୨ ଜିଲ୍ଲାରେ ଜିଲ୍ଲା parshad ଗଠନ କରିଥିଲା ଏଥର ଶୁନ। ତା ଛଡ଼ା ୧୮ ଟା ଜିଲ୍ଲାରେ କଂଗ୍ରେସ ଖାତା ଖୋଲି ପାରିଲାନି। ୨୦୧୭ ରେ କଂଗ୍ରେସ ର ଭୋଟ ପର୍ସେଣ୍ଟେଜ ଥିଲା ୧୮ ପ୍ରତିଶତ। ୨୦୨୨ ରେ କଂଗ୍ରେସ ର ଭୋଟ ସେୟାର ଖସିକି ୧୩ ପ୍ରତିଶତ କୁ ଚାଲି ଆସିଲା।

କଂଗ୍ରେସ ର ଶୋଚନୀୟ ପରାଜୟ କୁ ନେଇ ସଭାପତି ନିରଞ୍ଜନ ବାବୁ କିନ୍ତୁ ମିଡିଆକୁ ଅଜବ ପ୍ରତିକ୍ରିୟା ଟେ ଦେଇଛନ୍ତି। କାହିଁକି କଂଗ୍ରେସ କମ ଭୋଟ ପାଇଲା, ନିରଞ୍ଜନଙ୍କ ଜବାବ ହେଲା ବିଜେପି ପାଖରେ ପଇସା ଅଛି କିନ୍ତୁ ସେମାନେ ଖର୍ଚ୍ଚ କାମ କଲେ ଓ ଭୋଟ ଆଣିପାରିଲେ ନାହିଁ ତେଣୁ କୁଆଡେ କଂଗ୍ରେସ ର ଭୋଟ BJD କୁ ଖସିଗଲା।

ଦଳରେ କିଛି ନେତା ଓ କର୍ମୀଙ୍କ ଚର୍ଚ୍ଚା ଯେ ଏଥର ନିର୍ବାଚନ ରେ ଅବିଭକ୍ତ କୋରାପୁଟ ହିଁ କଂଗ୍ରେସ୍ ର ଇଜ୍ଜତ ରଖିଦେଲା। ତେଣୁ ତାରା ବାହିନୀପତି ଙ୍କ ଫାର୍ମୁଲା ଦଳ ଆପଣେଇବା ଦରକାର। ନିରଞ୍ଜନ ବାବୁଙ୍କ ଫର୍ମୁଲା ଆଉଟଡେଟେଡ୍ ହେଇଗଲାଣି। ଭାଲୁ ଭାଇ କୋରାପୁଟରେ ଯେଉଁ ଖେଳ କଲେ ସେଟା ଏବେ ପି ସି ସି ରେ ହେଉ ବୋଲି ଚର୍ଚ୍ଚା ଚାଲିଛି।

Related Posts