ଭୁବନେଶ୍ୱର – ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ନାଁରେ ଜୋରଦାର ପ୍ରଚାର ଚଳାଇଥିବା ନବୀନ ସରକାରଙ୍କ ଗୁମର ଖୋଲିଛି । ମେକ୍ ଇନ୍ ଓଡିଶା କନ୍କ୍ଲେଭ୍ ନାଁରେ କେମିତି ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାର ଯୋଜନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାର ପର୍ଦ୍ଦାଫାସ୍ କରିଛି କଂଗ୍ରେସ୍ । ପ୍ରଥମଟି ହେଲା ଗତ ସାଢ଼େ ଅଠର ବର୍ଷରେ ଶିଳ୍ପାୟନରେ ବିଫଳତାକୁ ଲୁଚାଇବା, ଦ୍ୱିତୀୟରେ ନିର୍ବାଚନ ପୂର୍ବରୁ ଚକମକ୍ ଉତ୍ସବ ଆଳରେ ଶିଳ୍ପପତିଙ୍କଠାରୁ ନିର୍ବାଚନ ପାଣ୍ଠି ଯୋଗାଡ଼ କରିବା ।
ମେକ୍ ଇନ୍ ଓଡିଶା କନ୍କ୍ଲେଭ୍ ଦ୍ୱାରା ଓଡ଼ିଶାର ଶିଳ୍ପଦ୍ୟୋଗ କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନର ଯେଉଁ ସବୁଜ ଓ ସୁନ୍ଦର ଚିତ୍ର ରାଜ୍ୟ ସରକାର ବିଜ୍ଞାପନ ଜରିଆରେ ବାଣ୍ଟୁଛନ୍ତି ତାହା କେବଳ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇବା ପାଇଁ ଉଦ୍ଦିଷ୍ଟ । କ୍ଷୁଦ୍ର, ମଧ୍ୟମ ଓ ବୃହତ୍ ଏ ତିନିଟିଯାକ କ୍ଷେତ୍ରରେ ଶିଳ୍ପ ପ୍ରତିଷ୍ଠା ଓ ବିକାଶ ଦିଗରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ନବୀନ ସରକାର । ଅନ୍ୟପଟେ ଏହି ବିଫଳତାକୁ ଲୁଚାଇବାକୁ ଯାଇ ମେକ୍ ଇନ୍ ଓଡିଶା କନକ୍ଲେଭ ନାଁରେ ରାଜ୍ୟ ରାଜକୋଷରୁ ଟଙ୍କା ପାଣିଭଳି ଖର୍ଚ୍ଚ କରୁଛନ୍ତି ।
ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ୍ । କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ପ୍ରଶ୍ନ କରିଛନ୍ତି, ‘‘ଯଦି ଶିଳ୍ପ ବିକାଶ ନେଇ ନବୀନ ବାବୁଙ୍କର ପ୍ରକୃତରେ ଆନ୍ତରିକତା ଅଛି, ତାହେଲେ ଏହି ପ୍ରସଙ୍ଗରେ ବିଫଳତାର ଯେଉଁ ତଥ୍ୟ ଦିଆଯାଇଛି ତା’ର ସ୍ପଷ୍ଟୀକରଣ ତାଙ୍କର ଶିଳ୍ପମନ୍ତ୍ରୀ ଓ ଶିଳ୍ପ ସଚିବ ଦେବେ କି ?’’ ଏଥିସହ ଶ୍ରୀ ନାୟକ ଖୋଲିଛନ୍ତି ଗତ ୧୮ ବର୍ଷରେ ଶିଳ୍ପାୟନରେ ଓଡିଶା ସରକାରଙ୍କ ଚରମ ବିଫଳତାର ଲେଖାଯୋଖା ତଥ୍ୟ ।
1. ୨୦୦୫-୨୦୧୭ ମଧ୍ୟରେ ରାଜ୍ୟ ସରକାର ଅନୁମୋଦନ କରିଥିବା ୨୭୯ଟି ପ୍ରକଳ୍ପ ମଧ୍ୟରୁ ୨୨୦ ଟି ଶିଳ୍ପସଂସ୍ଥା କାର୍ଯ୍ୟକ୍ଷମ ହୋଇନାହିଁ ଏବଂ ୭ଟି ସଂସ୍ଥା ଓହରି ଯାଇଛନ୍ତି ।
2. ଦୁଇଦିନ ତଳେ ଶିଳ୍ପ ସଚିବ ସାମ୍ବାଦିକଙ୍କୁ ୬୫ ପ୍ରତିଶତ ଶିଳ୍ପ ସଂସ୍ଥା କାର୍ଯ୍ୟକ୍ଷମ ହୋଇଛି ବୋଲି ଯେଉଁ ତଥ୍ୟ ଦେଇଛନ୍ତି, ତାହା ସଂପୂର୍ଣ୍ଣ ମିଥ୍ୟା । ମାତ୍ର ୧୮ ପ୍ରତିଶତ କାର୍ଯ୍ୟକ୍ଷମ ହୋଇପାରିଛି ।
3. ସରକାର ୯୨ଟି ଶିଳ୍ପସଂସ୍ଥା ସହ ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି । ଯେଉଁଥିରେ ୫ ଲକ୍ଷ ୬୮ ହଜାର ୬୪୮ କୋଟି ଟଙ୍କା ପୁଞ୍ଜି ନିବେଶର ଆକଳନର ତଥ୍ୟ ଦେଇଛନ୍ତି ।
4. ଅନ୍ୟପଟେ ସଂପୃକ୍ତ କମ୍ପାନୀମାନେ କେତେ ପୁଞ୍ଜି ବିନିଯୋଗ ବା ଖର୍ଚ୍ଚ କରିଛନ୍ତି ତା’ର ତଥ୍ୟ ସରକାରଙ୍କ ପାଖରେ ନାହିଁ ବୋଲି ନିଜେ ସରକାର ବିଧାନସଭାରେ ସ୍ୱୀକାର କରିଛନ୍ତି ।
5. ୨୦୧୫ ସୁଦ୍ଧା ରାଜ୍ୟରେ କ୍ଷୁଦ୍ର, ମଧ୍ୟମ ଓ ବୃହତ୍ ଶିଳ୍ପକୁ ମିଶାଇ ମୋଟ୍ ୧୫୩୧୫ ଗୋଟି ଶିଳ୍ପ ସଂସ୍ଥା ବନ୍ଦ ହୋଇ ପଡିଛି । ସେଗୁଡିକର ପୁନଃରୁଦ୍ଧାର ବାବଦରେ ସରକାରଙ୍କ ପାଖରେ କୌଣସି ଯୋଜନା ନାହିଁ ।
6. ଏସ୍.ଏମ୍.ଇ. ପଲିସି ୨୦୧୬ ଅନୁଯାୟୀ ୩୦ଟି ଜିଲ୍ଲାରେ କେଉଁଠି, କେତେ ସଂଖ୍ୟକ, କେଉଁଭଳି ଶିଳ୍ପ ପ୍ରତିଷ୍ଠା କରାଯିବ ତା’ର କୌଣସି ଲକ୍ଷ୍ୟ ଧାର୍ଯ୍ୟ ସରକାର ଏଯାବତ୍ କରିନାହାନ୍ତି ।
7. ଓଡିଶା ଯୁବନୀତି ୨୦୧୩ ରେ ପ୍ରଚଳନ କରାଗଲା । ଯୁବକମାନଙ୍କୁ ଉଦ୍ୟୋଗ କ୍ଷେତ୍ରରେ ପ୍ରୋତ୍ସାହିତ କରିବା ପାଇଁ ଏକ ‘ଯୁବ ନବ’ ପ୍ରବର୍ତନ ପାଣ୍ଠି ଗଠନ କରାଗଲା । ୫ ବର୍ଷ ମଧ୍ୟରେ ଏହି ପାଣ୍ଠିରୁ ଜଣେ ହେଲେ ବି ଯୁବକଙ୍କୁ ସହାୟତା ସରକାର ଦେଇପାରି ନାହାନ୍ତି ।
8. ବଜାର ଚାହିଦା ଓ ଶିଳ୍ପସଂସ୍ଥାମାନଙ୍କ ମଧ୍ୟରୁ ଉତ୍ପାଦିତ ହେଉଥିବା ସାମଗ୍ରୀକୁ ଦୃଷ୍ଟିରେ ରଖି ଓଡିଶାରେ କେଉଁ ପ୍ରକାର ଶିଳ୍ପ ପ୍ରତିଷ୍ଠା କରାଯାଇପାରିବ ତା’ର Viability Study Report ଏଯାବତ୍ ଓଡିଶା ଶିଳ୍ପ ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇ ପାରିଲା ନାହିଁ ।
ଗୋଟିଏ ପଟେ ରାଜ୍ୟରେ ବେକାରୀ ସମସ୍ୟା, ଶିଳ୍ପ ଭିତ୍ତିଭୂମି ଏବଂ ଶିଳ୍ପ ପ୍ରତିଷ୍ଠାରେ ଲଗାତାର ବିଫଳତା ଆଉ ଅନ୍ୟପଟେ କେବଳ ପ୍ରଚାର ଓ ରାଜନୈତିକ ଲାଭା ପାଇଁ ସରକାରୀ କଳ ଓ ରାଜକୋଷକୁ ବ୍ୟବହାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।