ପରମ୍ପରା ନାଁରେ ମୃତ୍ୟୁର ଖେଳ, ଆହତ ହେଲେ 150 ଲୋକ

ଦୀପାବଳୀ ଅବସରରେ ସାରା ଦେଶରେ ଲୋକେ ବାଣ ଫୁଟାଇଛନ୍ତି । କିନ୍ତୁ ମଧ୍ୟପ୍ରଦେଶର ଇନ୍ଦୋରରେ ଦୀପାବଳୀରେ ଲୋକେ ଖେଳିଛନ୍ତି ମୃତ୍ୟୁର ଖେଳ । ଯାହା ଶହ ଶହ ବର୍ଷ ଧରି ଚାଲିଆସିଛି । ଏଠି ଲୋକେ ପରସ୍ପର ଉପରକୁ ବାଣ ଫିଙ୍ଗନ୍ତି । ଯେଉଁ ଦୃଶ୍ୟ ଦେଖିବାକୁ ଅତ୍ୟନ୍ତ ଭୟଙ୍କର ।

ଚଳିତ ବର୍ଷ ମଧ୍ୟ ଏହି ଖେଳରେ ଦେଢ଼ ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି । ଶହ ଶହ ଲୋକ ପ୍ରତିବର୍ଷ ବାଣ ମାଡ଼ରେ ଆହତ ବି ହୁଅନ୍ତି । କିନ୍ତୁ ଲୋକେ ଏହି ଖେଳ ଛାଡ଼ନ୍ତି ନାହିଁ । ଇନ୍ଦୋରରୁ ପ୍ରାୟ 60 କିଲୋମିଟର ଦୂର ଗୌତମପୁରାରେ ପ୍ରତିବର୍ଷ ଦୀପାବଳୀରେ ଲୋକେ ଭୟଙ୍କର ଖେଳ ଖେଳନ୍ତି । ଯାହାକୁ କୁହାଯାଏ ହିଙ୍ଗୋଟ ଯୁଦ୍ଧ । ଦୁଇଟି ଦଳ ପରସ୍ପର ମଧ୍ୟରେ ଯୁଦ୍ଧ ଲଢ଼ନ୍ତି । ଏଥିରେ ଗୋଟିଏ ଦଳ ସ୍ଥାନୀୟ ଗୌତମପୁରାର ଓ ଅନ୍ୟ ଦଳଟି ହୋଇଥାଏ ନିକଟସ୍ଥ ଗୁଞ୍ଜି ଗାଁର । ଦୁଇ ପଟୁ ସାହସୀ ଯୋଦ୍ଧା ଜୀବନକୁ ବାଜି ଲଗାଇ ପରସ୍ପର ଉପରକୁ ଜ୍ବଳନ୍ତା ହିଙ୍ଗୋଟ ବା ତୀର ଫିଙ୍ଗନ୍ତି । ଗୁଳି ଭଳି ଚାଲୁଥିବା ଏହି ତୀରକୁ ବି ସ୍ବତନ୍ତ୍ର ଭାବେ ତିଆରି କରାଯାଇଥାଏ ।

କୁହାଯାଏ ଶହ ଶହ ବର୍ଷ ପୂର୍ବରୁ ଏହି ସ୍ଥାନରେ ମୋଗଲ ଶାସକ ଔରଙ୍ଗଜେବ୍‌ ଓ ମରାଠା ସେନା ଭିତରେ ଯୁଦ୍ଧ ହୋଇଥିଲା । ଯେଉଁଥିରେ ପ୍ରଥମ ଥର ହିଙ୍ଗୋଟ ନାରକ ଏହି ଅସ୍ତ୍ରର ବ୍ୟବହାର କରି ଔରଙ୍ଗଜେବ୍‌ଙ୍କ ଫୌଜକୁ ପରାସ୍ତ କରିଥିଲେ ମରାଠା ସେନା । ସେହି ସ୍ମୃତିରେ ପ୍ରତିବର୍ଷ ହିଙ୍ଗୋଟ ଯୁଦ୍ଧର ଆୟୋଜନ କରାଯାଏ ।

ପ୍ରତିବର୍ଷ ଏହି ଯୁଦ୍ଧ ଦେଖିବାକୁ ଆଖପାଖରୁ ହଜାର ହଜାର ଲୋକ ଆସନ୍ତି । ଏଠି ପୋଲିସ୍‌ ବି ଉପସ୍ଥିତ ଥାଏ, ପ୍ରଶାସନିକ ଅଧିକାରୀ ବି ଥାଆନ୍ତି । ହିଙ୍ଗୋଟ ଯୁଦ୍ଧ ସରିବା ବେଳକୁ ଅନେକ ଲୋକ ନିଆଁର ଏହି ଜ୍ବଳନ୍ତା ଗୋଳାରେ ଆହତ ହୋଇଯାଆନ୍ତି । ସେମାନଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ ମଧ୍ୟ ପ୍ରସ୍ତୁତ ହୋଇ ରହିଥାଏ । ହିଙ୍ଗୋଟ ଯୁଦ୍ଧରେ ଆହତ ହେଉଥିବା ଲୋକଙ୍କର ସଂଖ୍ୟା ବର୍ଷ ପରେ ବର୍ଷ ବଢ଼ି ବଢ଼ି ଚାଲିଛି । ଫଳରେ ଏହାକୁ ବିରୋଧ କରି ହାଇକୋର୍ଟରେ କେସ୍‌ କରାଯାଇଛି, ଯାହା ଏବେ ବିଚାରାଧୀନ ଅଛି ।

Related Posts