‘ସତ୍ୟପାଠ’କୁ ନେଇ ବଢ଼ୁଛି ବିବାଦ : ହାଇକୋର୍ଟରେ ପୁଣି ମାମଲା

ସତ୍ୟପାଠ ବ୍ୟୁରୋ : ଓଡିଶା ହାଇକୋର୍ଟରେ ପ୍ରତିଦିନ ଯେମିତି ଦାୟର ହେଉଛି ନିର୍ବାଚନୀ ମାମଲା । ବିଜୟୀ ପ୍ରାର୍ଥୀଙ୍କ ବିରୋଧରେ ପରାଜିତ ପ୍ରାର୍ଥୀଙ୍କ ଅଭିଯୋଗର ଲମ୍ବା ଲାଇନ । କିନ୍ତୁ ସବୁରି ମୂଳରେ ଗୋଟିଏ କଥା, ସତ୍ୟପାଠ ବଦଳରେ ବିଜୟୀ ପ୍ରାର୍ଥୀ ଦେଇଛନ୍ତି ମିଥ୍ୟାପାଠ ।

ଏବେ ଏହି ତାଲିକାରେ ଆଉ ଦୁଇଜଣଙ୍କ ନାଁ ଯୋଡି ହୋଇ ଯାଇଛି । ଜଣେ ରାଉରକେଲାର ବିଜେଡି ବିଧାୟକ ସାରଦା ନାୟକ ଓ ଆଉ ଜଣେ ସାନଖେମୁଣ୍ଡିର କଂଗ୍ରେସ ବିଧାୟକ ରମେଶ ଜେନା । ଉଭୟଙ୍କ ନାଁ ମିଥ୍ୟା ସତ୍ୟପାଠ ଦେଇଥିବା ନେଇ ଅଭିଯୋଗ ହୋଇଛି । ଉଭୟଙ୍କ ବିରୋଧରେ ନିର୍ବାଚନ ଅସିଦ୍ଧ ଘୋଷଣା କରିବାକୁ ଆବେଦନ କରିଛନ୍ତି ପରାଜିତ ପ୍ରାର୍ଥୀ ।

ସାରଦାଙ୍କ ନାଁରେ ପରାଜିତ ବିଜେପି ପ୍ରାର୍ଥୀ ନିହାର ରାୟ ନିର୍ବାଚନୀ ମାମଲା ରୁଜୁ କରିଛନ୍ତି । ଅଫିସ୍ ଅଫ୍ ପ୍ରଫିଟ୍ ଓ ମିଥ୍ୟା ସତ୍ୟପାଠ ଅଭିଯୋଗ କରିଛନ୍ତି ଆବେଦନକାରୀ । ନିର୍ବାଚନ କମିଶନଙ୍କୁ ସାରଦା ଦେଇଥିବା ସତ୍ୟପାଠ ସଂପୂର୍ଣ୍ଣ ନୁହେଁ ଓ ସେଥିରେ ତଥ୍ୟ ଦିଆଯାଇନଥିବାରୁ ନିର୍ବାଚନକୁ ଅସିଦ୍ଧ ଘୋଷଣା କରି ନିହାର ରାୟଙ୍କୁ ବିଜୟୀ ଘୋଷଣା କରିବାକୁ ଆବେଦନ କରାଯାଇଛି ।

ସେହିଭଳି ସାନଖେମୁଣ୍ଡି ବିଧାୟକ ରମେଶ ଜେନା ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅବମାନନା କରିଥିବା ଅଭିଯୋଗ କରିଛନ୍ତି ପରାଜିତ ବିଜେଡି ପ୍ରାର୍ଥୀ ନନ୍ଦିନୀ ଦେବୀ । ଅପରାଧିକ ପୃଷ୍ଠଭୁମି ଥିଲେ ପ୍ରାର୍ଥୀ ତିନିଥର ଗଣମାଧ୍ୟମରେ ଜଣାଇବାକୁ ନିର୍ଦ୍ଦେଶ ଥିଲା । କିନ୍ତୁ ରମେଶ ସେଭଳି କିଛି କରି ନାହାଁନ୍ତି । ତେଣ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବାକୁ ନନ୍ଦିନୀ ଦେବୀ ଆବେଦନ କରିଛନ୍ତି ।

ଏହି ନିର୍ବାଚନୀ ମାମଲାର ତାଲିକା ଯେମିତି ବଢ଼ି ଚାଲିଛି । ତାଲିକାରେ ଏଯାଏଁ ପ୍ରତାପ ଷଢ଼ଙ୍ଗୀ, ମହମ୍ମଦ ମୋକିମ୍, ସାରଦା ନାୟକ, ରମେଶ ଜେନାଙ୍କ ନାଁ ସ୍ଥାନ ପାଇଥିବା ବେଳେ ଆଗକୁ ଆଉ କାହା ନାଁ ଯୋଡି ହେଉଛି ସମୟ କହିବ ।

Related Posts