ପାରିବାରିକ ବ୍ୟବସାୟକୁ ଠିକ୍‌ ଭାବେ ଆଗକୁ ନେଇପାରିଲାନି ପୁଅ: ରାସ୍ତା ମଝିରେ ଜୀବନ୍ତ ଜାଳି ହତ୍ୟା କଲା ବାପା

ବେଙ୍ଗାଲୁରୁ: ଅନେକ ସମୟରେ ପାରିବାରିକ ବିବାଦ ହିଂସା କାଣ୍ଡରେ ପରିଣତ ହେଉଥିବା ବେଳେ, ଯାହା ସମାଜ ପାଇଁ ଏକ କଳଙ୍କ ପାଲଟି ଯାଉଛି | ରକ୍ତ ସମ୍ପର୍କ ମଧ୍ୟରେ ସୃଷ୍ଟି ହୋଇଥିବା ଏହି ତିକ୍ତତା ଧୀରେ ଧୀରେ କରାଳ ରୁଷ ଧାରଣ କରୁଛି | ଫଳରେ ମୃତ୍ୟୁ ପରେ ହିଁ ଏହି ଵିଵାଦ ଯେପରି ଥମୁଛି | ତେବେ ବେଙ୍ଗାଲୁରୁର ବାଲ୍ମିକ ନଗରରୁ ଆସିଛି ଏମିତି କିଛି ଖବର | ଯାହା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି | ପାରିବାରିକ ବ୍ୟବସାୟକୁ ଠିକ୍‌ ଭାବେ ଆଗକୁ ନ ନେଇପାରିବା ନେଇ ୨୫ ବର୍ଷୀୟ ପୁଅକୁ ରାସ୍ତାରେ ଜୀବନ୍ତ ଜାଳି ହତ୍ୟା କରିଛି ବାପା । ଏହି ଲୋମହର୍ଷଣକାରୀ ଘଟଣାରେ ପୁଲିସ୍‌ ଅଭିଯୁକ୍ତ ୫୫ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରିଛି।

ବ୍ୟବସାୟକୁ ନେଇ ପ୍ରଥମେ ବ୍ୟକ୍ତି ଜଣଙ୍କ ତାଙ୍କ ପୁଅଙ୍କ ସହ ଯୁକ୍ତିତର୍କ କରିଥିଲେ। ଶେଷରେ ପୁଅକୁ ରାସାୟନିକ ପଦାର୍ଥ ପକାଇ ନିଆଁ ଲଗାଇ ଦେଇଥିବା ସିସିଟିଭ ଫୁଟେଜରୁ ସ୍ପଷ୍ଟ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ସୁରେନ୍ଦ୍ର କୁମାରଙ୍କ ପୁଅ ଅର୍ପିତ ସେଟିଆ ୩ ବର୍ଷ ତଳେ ବାପାଙ୍କ ପେଣ୍ଟ ଫ୍ୟାବ୍ରିକେସନ ବ୍ୟବସାୟ ନିଜ ହାତକୁ ନେଇଥିଲେ। ୩ ବର୍ଷ ମଧ୍ୟରେ ସେ ରଙ୍ଗ ବ୍ୟବସାୟକୁ ଆଗକୁ ନେବା ପାଇଁ ୧.୫ କୋଟି ଟଙ୍କା ଋଣ କରିଥିଲେ। ସେହିପରି ମହୀଶୂରରେ ଥିବା ନିଜ ଘରର ଭଡ଼ା ମଧ୍ୟ ସଂଗ୍ରହ କରିଥିଲେ। ଏତେ ଟଙ୍କା ଆଣିବା ସତ୍ତ୍ୱେ ସେ ବ୍ୟବସାୟକୁ ଠିକ୍‌ ଭାବେ ଆଗକୁ ନେଇ ପାରି ନଥିଲେ। ଦିନକୁ ଦିନ ବ୍ୟବସାୟରେ କ୍ଷତି ହେବାରେ ଲାଗିଥିଲା।

ଏଥିପାଇଁ ବାପା ସୁରେନ୍ଦ୍ର ପୁଅ ଅର୍ପିତଙ୍କୁ ବ୍ୟବସାୟିକ ଆକାଉଣ୍ଟ ବିଷୟରେ ପଚାରିଥିଲେ। ବ୍ୟବସାୟର ହିସାବ ମାଗିବାରୁ ବାପା ପୁଅଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା। ଏହାକୁ ନେଇ ଏପ୍ରିଲ ୧ରେ ବାପା ପୁଅ ଝଗଡ଼ା କରିଥିଲେ।

ଘଟଣା ଦିନ ଗୋଦାମ ଭିତରେ ସୁରେନ୍ଦ୍ର ଓ ଅର୍ପିତ ପ୍ରାୟ ୩୦ ମିନିଟ୍‌ ଯୁକ୍ତିତର୍କ କରିଥିଲେ। ଏହାପରେ ଅର୍ପିତ ଗୋଦାମ ଭିତରୁ ବାହାରକୁ ଦୌଡ଼ି ଚାଲି ଆସିଥିଲେ। ଏହି ସମୟରେ ତାଙ୍କ ଦେହସାରେ କିଛି ଲିକ୍ୟୁଇଡ ପଡ଼ିଥିବା ସ୍ଥାନୀୟ ଲୋକମାନେ କହିଛନ୍ତି। ଲୋକଙ୍କ କହିବା କଥା ଯୁକ୍ତିତର୍କ ବେଳେ ସୁରେନ୍ଦ୍ର କୁମାର ପୁଅ ଉପରକୁ ରାଗରେ ରଙ୍ଗରେ ମିଶଯାଉଥିବା ଥିନର ଫୋପାଡ଼ି ଦେଇଥିଲେ।

ଅର୍ପିତ ଗୋଦାମରୁ ଆସିବା ପରେ ତାଙ୍କ ପଛପଛେ ସୁରେନ୍ଦ୍ର ମଧ୍ୟ ଆସିଥିଲେ। ରାସ୍ତା ଉପରେ ଅର୍ପିତ ବାପାଙ୍କ ଗୋଡ଼ ତଳେ ପଡ଼ି କ୍ଷମା ମାଗିଥିଲେ ମଧ୍ୟ ସେ କିଛି ବି ଶୁଣି ନଥିଲେ। ସୁରେନ୍ଦ୍ର ନିଆଁ ଲଗାଇବାକୁ ଦିଆସିଲ ମାରିବା ବେଳେ ଅର୍ପିତ ତାଙ୍କୁ ଅଟକାଉଥିବା ସିସିଟିଭିରେ କଏଦ ହୋଇଛି।

ହେଲେ ସୁରେନ୍ଦ୍ର କୁମାର ଦିଆସିଲ୍‌ ମାରି ପୁଅ ଉପରକୁ ଫୋପାଡ଼ି ଦେଇଥିଲେ। ଅର୍ପିତଙ୍କ ଦେହରେ ଲିକ୍ୟୁଇଡ୍‌ ପଡ଼ିଥିବାରୁ ନିଆଁ ହଠାତ୍‌ ପୂରା ଶରୀରରେ ଲାଗି ଯାଇଥିଲା। ନିଆଁ ଲାଗିବା ପରେ ସେ ପ୍ରାଣ ବିକଳରେ ରାସ୍ତାରେ ଦୌଡ଼ିବାରୁ ସ୍ଥାନୀୟ ଲୋକମାନେ ସହଯୋଗ ପାଇଁ ଆଗେଇ ଆସିଥିଲେ।

ସେମାନେ ନିଆଁକୁ ଲିଭାଇ ତୁରନ୍ତ ତାଙ୍କୁ ଗୋଟିଏ ଅଟୋରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ହୋଇଛି। ପୁଲିସ୍‌ ଏହି ଘଟଣାରେ ସୁରେନ୍ଦ୍ର କୁମାରଙ୍କୁ ଗିରଫ କରିଛି। ଏଥିସହ ଘଟଣାର ଅଧିକ ତଦନ୍ତ ମଧ୍ୟ କରୁଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି | ବୁଦ୍ଧିଜୀବୀ ମହଲରେ ଏହି ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି |

Related Posts