ମହାଜନୀ ଋଣ ସାଙ୍ଗକୁ ଧାନର ଅଭାବୀ ବିକ୍ରି : ବିଷ ପିଇ ଆତ୍ମହତ୍ୟା କଲେ ବରଗଡ ଜିଲ୍ଲାର ଚାଷୀ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ପୁଣି ଥରେ ବରଗଡ ଜିଲ୍ଲାରୁ ଆସିଲା ଚାଷୀ ଆତ୍ମହତ୍ୟା ଅଭିଯୋଗ। ବରଗଡ଼ ଜିଲ୍ଲାର ଅତାବିରା ବ୍ଳକ ଅନ୍ତର୍ଗତ ହିଲ୍ଲିପାଲି ପଞ୍ଚାୟତ ଟାଙ୍ଗର ଟିକ୍ରାର ବୃନ୍ଦାବନ ଭୁଏ (୬୨) ନାମକ ଜଣେ କୃଷକ ଗତକାଲି କୀଟନାଶକ ବିଷ ପିଇ ଦେଇଥିଲେ। ଏହାପରେ ସଙ୍ଗେ ସଙ୍ଗେ ତାଙ୍କୁ ଗୋଡଭଗା ଓ ପରେ ବୁର୍ଲା ଭୀମସାରରେ ଭର୍ତ୍ତି କରାଯାଇଥିଲା। ତେବେ ଗତକାଲି ରାତି ପ୍ରାୟ ୧.୩୦ ମିନିଟ ବେଳକୁ ତାଙ୍କର ମୃତ୍ୟୁ ଘଟିଥିଲା। ଏ ସମ୍ପର୍କରେ ବୃନ୍ଦାବନଙ୍କ ମଝିଆଁ ପୁଅ ଗଣନାଥ ଭୂଏ ସୂଚନା ଦେଇଛନ୍ତି। 

ବୃନ୍ଦାବନ ଗତ ଖରିଫ ଋତୁରେ ତାଙ୍କ ନିଜର ପ୍ରାୟ ୧୦ ଏକର ଜମିରେ ଧାନ ଚାଷ କରିଥିଲେ। ଅମଳ ମଧ୍ୟ ହୋଇଥିଲା। କିନ୍ତୁ ଟୋକନ ସମସ୍ୟା ଯୋଗୁଁ  ୧୦୦ ବସ୍ତା ଧାନ ବିକ୍ରି ହୋଇ ପାରି ନଥିଲା। ତେବେ ସୋସାଇଟିରୁ ୩ ଲକ୍ଷ ଟଙ୍କା ଅନ୍ୟପକ୍ଷରେ ମହାଜନୀ ଠୁ ମଧ୍ୟ ଋଣ କରିଥିଲେ। ଧାନ ବିକ୍ରି ନହେବା କାରଣରୁ ସେ ଚିନ୍ତାରେ ପଡିଯାଇଥିଲେ। ପରିବାର ପୋଷଣ ଚିନ୍ତାରେ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ତାଙ୍କ ପୁଅ କହିଛନ୍ତି।

ମୃତକ ଚାଷୀଙ୍କ ୩ଟି ପୁଅ ଥିବା ବେଳେ ସମସ୍ତେ ଅବିବାହିତ ଏବଂ ୨ ଝିଅଙ୍କ ବିବାହ ଶେଷ ହୋଇଛି। ବଡ଼ ପୁଅ ତାମିଲନାଡୁରେ ଦାଦନ ଖଟିବାକୁ ଯାଇଛି। ସାନ ପୁଅ ମେଟ୍ରିକ୍‌ ପାଠ ପଢି ଘରେ ଅଛି। ତେବେ ଗତ ରବି ଋତୁରେ ଧାନ ବିକ୍ରି ସମସ୍ୟା ଏବଂ ଚଳିତ ଖରିଫ ରୁତୁରେ ଚାଷକାର୍ଯ୍ୟ ପାଇଁ ଋଣ ଏହା ସାଙ୍ଗକୁ ପରିବାର ପୋଷଣ ଚିନ୍ତାରେ ବୃନ୍ଦାବନ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ପୁଅ ଅଭିଯୋଗ କରିଛନ୍ତି। 

Related Posts