(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆଜି ବିଧାନସଭାରେ ବିଭିନ୍ନ ପ୍ରସଙ୍ଗ ଉଠିଥିବା ବେଳେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର। ସେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ମନ୍ତ୍ରୀଙ୍କ ବିବୃତି ଉପରେ ସ୍ବାଧୀକାର ଭଙ୍ଗ ପ୍ରସ୍ତାବ ଆଣିଛନ୍ତି। ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଘଟଣାର ତଦନ୍ତ କରିବାକୁ ଦାବି କରିଛନ୍ତି । ସେ କହିଛନ୍ତି ଯେ, ବଲାଙ୍ଗୀର ଜିଲ୍ଲା ତୁରେଇକେଲା ବ୍ଲକ ଚାଷୀ ଆତ୍ମହତ୍ୟା ଘଟଣା , ମରୁଡି ଜନିତ ଫସଲ ହାନି ଋଋଣଭାର ଯୋଗୁ ହୋଇଛି ।
କଂଗ୍ରେସର ଏକ ପ୍ରତିନିଧି ଦଳ ସେଠାରେ ପହଞ୍ଚି ରିପୋର୍ଟ ସଂଗ୍ରହ କରିଥିଲେ। କିନ୍ତୁ ଫିଲଡକୁ ନ ଯାଇ ମନ୍ତ୍ରୀ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ସବୁଠି ବଳିଷ୍ଠ ପ୍ରମାଣ ହେଉଛି ତାଙ୍କ ସ୍ତ୍ରୀ । କିନ୍ତୁ ତାଙ୍କର ବୟାନ ମଧ୍ୟ ରେକର୍ଡ କରାଯାଇନାହିଁ । ଗୃହରର ବିବୃତ୍ତି ବେଳେ ମନ୍ତ୍ରୀ ଗୃହକୁ ବିଭ୍ରାନ୍ତି କରିଛନ୍ତି ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି।
ସୂଚନାଯୋଗ୍ୟ ଯେ, ପାଟଣାଗଡ଼ରେ ଦ୍ଵିତୀୟ ଚାଷୀ ଆତ୍ମହତ୍ୟା କରିଥିବାବେଳେ ଗତକାଲି କେନ୍ଦ୍ରଡ଼ାରେ ଆଉ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ମରୁଡ଼ି ଯୋଗୁ ଜଳ ପରେ ଜଣେ ଚାଷୀ ଆତ୍ମହତ୍ୟା କରୁଥିବାବେକେ ଗୃହ କମିଟି ଗଠନ କରି କେଉଁ କାରଣରୁ ଚାଷୀମାନେ ଆତ୍ମହତ୍ୟା କରୁଛନ୍ତି ସେ ବିଷୟରେ ତଦନ୍ତ କରିବାକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଦାବି କରିଛନ୍ତି।
ଏହା ସଙ୍ଗେ ସଙ୍ଗେ ଖରସ୍ରୋତା ଆନ୍ଦୋଳନ ପ୍ରସଙ୍ଗ ମଧ୍ୟ ଉଠାଇ ସରକାରଙ୍କୁ ଟାର୍ଗେଟ କରିଥିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର। ସେ କହିଛନ୍ତି ଯେ, ଜଳ ସମ୍ପଦ ବିଭାଗର ବିନା ଅନୁମୋଦନରେ ଏହି ପ୍ରକଳ୍ପ ସେଠାରେ ଚାଲିଛି । ଏବଂ ଏହାକୁ ନେଇ ସେଠାକାର ସ୍ଥାନୀୟ ବାସିନ୍ଦା ଆନ୍ଦୋଳନ ଜାରି ରଖିଛନ୍ତି । ତେବେ ସେଠାରେ ପୋଲିସ ଲଗାଇ ଯେଉଁଭଳି ଭାବେ ପ୍ରକଳ୍ପ କାମ ଚାଲିଛି ତାହା ତାଲିବାନ ଶାସନ ସଦୃଶ୍ୟ ବୋଲି ନରସିଂହ ମିଶ୍ର କହିଛନ୍ତି ।
ଏହାର ଜବାବରେ ଆଳି ବିଧାୟକ ପ୍ରତାପ ଦେବ କହିଛନ୍ତି ଯେ, ଜଳ ସମ୍ପଦ ବିଭାଗର ଅନୁମୋଦନରେ ସେଠାରେ ପ୍ରକଳ୍ପ କାର୍ଯ୍ୟ ଚାଲୁଛି ଏବଂ ପୋଲିସ କିଛି ବି ଭୁଲ କରିନି , ପ୍ରକଳ୍ପ ସମ୍ପର୍କରେ ବିଭ୍ରାନ୍ତ କରି ଆନ୍ଦୋଳନ କରାଯାଉଛି ବୋଲି ପ୍ରତାପ ଦେବ କହିଛନ୍ତି ।