ମଣିଷ-ପଶୁର ନିଆରା ସମ୍ପର୍କ : ମଣିଷ ଭଳି କୁକୁରର ଶୁଦ୍ଧିକ୍ରିୟା କଲେ ଦୋକାନୀ , ୫୦୦ରୁ ଅଧିକ ଲୋକଙ୍କ ପାଇଁ ଭୋଜିର ଆୟୋଜନ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର : ମନୁଷ୍ୟ-ପଶୁର ନିବିଡ ସମ୍ପର୍କର ବିଭିନ୍ନ ଉଦାହରଣ ସମୟ ସମୟରେ ଦେଖିବାକୁ ମିଳିଥାଏ। ପୂର୍ବରୁ ମଧ୍ୟ ନଜୀର ରହିଛି ଯେ, ପଶୁଟିଏ କିଭଳି ନିଜ ଜୀବନକୁ ବାଜି ଲଗାଇ ମଣିଷକୁ ରକ୍ଷା କରି ଥାଏ। କିନ୍ତୁ ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି କିଛି ନିଆରା ଦୃଶ୍ୟ। କାରଣ ଏଠି ଗୋଟିଏ ପଶୁର ମୃତ୍ୟୁ ପରେ ଗୋଟିଏ ଦୋକାନୀ ନିଜର ପୋଷା କୁକୁରର ମୃତ୍ୟୁ ପରେ ସାଧାରଣ ମଣିଷ ଚାଲିଗଲା ପରେ ଯେଉଁ ଭଳି ଭାବେ ଦଶାହ କର୍ମାଦି ହୋଇଥାଏ ସେହିଭଳି ଭାବେ କୁକୁରଟିର କ୍ରିୟାକର୍ମ ହେବା ସହ ଲୋକେ ଶୁଦ୍ଧି ହୋଇଛନ୍ତି, ଏବଂ ଭୋଜିଭାତର ଆୟୋଜନ ମଧ୍ୟ କରାଯାଇଛି । ଭଦ୍ରକ ସହରର ଚରମ୍ପା ବଜାରର ଜଣେ ଦୋକାନୀ ଚମ୍ପୀ ନାମକ କୁକୁରକୁ ବହୁତ୍ ଭଲ ପାଆନ୍ତି। ଚମ୍ପୀର ମୃତ୍ୟୁ ପରେ ସେ ଭାଙ୍ଗି ପଡିଛନ୍ତି। ଜଣେ ପରିବାରର ସଦସ୍ୟ ଭଳି ମୃତ୍ୟୁ ପରେ ଚମ୍ପୀର ସମସ୍ତ ଦଶାହ କ୍ରିୟାକର୍ମ ଓ ଭୋଜିଭାତ ଦେଇଛନ୍ତି। ଭଦ୍ରକ ସହରର ଏହି ଦୋକାନୀ ମାନଙ୍କ ମଧ୍ୟରୁ ଅଧିକାଂଶ ଫାଷ୍ଟଫୁଡ୍ ଷ୍ଟଲ୍ ଚଳାନ୍ତି । 

୧୩ ବର୍ଷ ପୂର୍ବେ ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଚରମ୍ପା ଛକ ନିକଟରୁ ଚମ୍ପିକୁ ଉଦ୍ଧାର କରିଥିଲେ ଜଣେ ସ୍ଥାନୀୟ ଦୋକାନି । ଆଉ ତା ପରେ ତାକୁ ଚମ୍ପି ବୋଲି ଡାକୁଥିଲେ। ଚମ୍ପି ରାତି ଦିନ ଏହି ଦୋକାନ ଗୁଡିକ ନିକଟରେ ରହୁଥିଲା । କେବେ କେଉଁଆଡେ ଯାଉନଥିଲା । କିନ୍ତୁ ସେପ୍ଟେମ୍ବର ୧୦ ଅର୍ଥାତ୍ ଗଣେଶ ପୂଜା ଦିନ ଚମ୍ପୀ ଆଖି ବୁଜି ଦେଇଥିଲା। ଚମ୍ପୀର ମୃତ୍ୟୁ ପରେ ଦୋକାନୀ ମାନେ ତାହାର ଶବ ସତ୍କାର କରିଥିଲେ। ମୃତ୍ୟୁର ଏକାଦଶ ଦିନରେ ୫୦୦ ରୁ ଅଧିକ ଲୋକଙ୍କ ପାଇଁ ଭୋଜନର ଆୟୋଜନ କରାଯାଇଥିଲା। ଫାଷ୍ଟଫୁଡ୍ ଷ୍ଟଲ୍ ମାଲିକ ସୁଶାନ୍ତ ବିଶ୍ବାଳ  ବର୍ତ୍ତମାନ ତାଙ୍କ ଦୋକାନ ଆଗରେ ଚମ୍ପିଙ୍କର ଏକ ଫ୍ରେମ୍ ଫଟୋଗ୍ରାଫ୍ ରଖିଛନ୍ତି। 

ସେ କହିଛନ୍ତି, “ସବୁ କୁକୁରଙ୍କ ଠାରୁ ଚମ୍ପୀ ଟିକିଏ ଭିନ୍ନ। ମୁଁ ଏହାକୁ ୧୩ ବର୍ଷ ପୂର୍ବେ ଜଣେ ବ୍ୟକ୍ତିଙ୍କଠାରୁ ପାଇଥିଲି । ମୁଁ ତାକୁ ମୋ ଝିଅ ଭଳି ରଖିଥିଲି। ସେ ଅନ୍ୟ କୁକୁରମାନଙ୍କ ସହିତ ମିଶୁ ନଥିଲା ଏବଂ ଅଧିକାଂଶ ସମୟରେ ମୋ ଦୋକାନ ନିକଟରେ ବୁଲି ଥାଏ।  ରାତିରେ ମୋ ଦୋକାନ ଭିତରେ ଶୋଇଥାଏ। ଚମ୍ପୀ ତାଙ୍କ ପରିବାରର ଅଂଶ ଥିଲା ବୋଲି ସୁଶାନ୍ତ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଆମେ ଚମ୍ପୀକୁ ସବୁବେଳେ ପ୍ଲେଟରେ ବିରିୟାନି, ରସାଗୋଲା, ରୁଟି କିମ୍ବା ଭାତ ଦେଇଥାଉ। ଯଦି କେହି କେବେ ବିସ୍କୁଟ ଖାଇବାକୁ ଦେଇଥା’ନ୍ତି, ତେବେ ଏକ ପ୍ଲେଟରେ ରଖି ଦିଆଯାଇଥାଏ ନଚେତ୍ ଚମ୍ପୀ ତାକୁ କଦାପି ଛୁଇଁ ନଥାଏ ବୋଲି ସେ କହିଛନ୍ତି। 

Related Posts