କୃଷି ଆଇନକୁ ବିରୋଧ କରି ଜନ୍ତର ମନ୍ତରରେ ଚାଷୀଙ୍କ ନିଜସ୍ୱ ସଂସଦ ଅଧିବେଶନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ବିରୋଧରେ ଦୀର୍ଘ ୮ ମାସ ହେବ ଚାଷୀ ମାନେ ଧାରଣାରେ ବସିଛନ୍ତି । ଏବେ ସଂସଦରେ ମୌସୁମୀ ଅଧିବେଶନ ଚାଲିଥିବା ବେଳେ କୃଷକମାନେ ସଂସଦ ଭବନ ଆଗରେ ଆଜିଠାରୁ ଧାରଣାରେ ବସୁଛନ୍ତି। ଦିଲ୍ଲୀର ଜନ୍ତର ମନ୍ତର ଠାରେ ଦୈନିକ ୨୦୦ କୃଷକ ଧାରଣାରେ ବସିବେ । କୃଷକ ଆନ୍ଦୋଳନର ନେତୃତ୍ୱ ନେଉଥିବା  ସଂଯୁକ୍ତ କିଷାନ ମୋର୍ଚ୍ଚା ଏହି ଧାରଣାର ନାମ ‘କିଷାନ ସଂସଦ’ ରଖିଛନ୍ତି । ଏ ସମ୍ପର୍କରେ ସୂଚନା ଦେଇ ଭାରତୀୟ କିସାନ ୟୁନିଅନ (ବି.କେ.ୟୁ) ନେତା ରାକେଶ ଟିକାୟତ କହିଛନ୍ତି ଯେ କୃଷକମାନେ ଜନ୍ତର ମନ୍ତ୍ରରେ ନିଜର ସଂସଦ ଅଧିବେଶନ କରିବେ।

 ANI ସହ କଥାବାର୍ତ୍ତା ବେଳେ ରାକେଶ ଟିକାଇଟ କହିଛନ୍ତି, “ସଂସଦ ଜନ୍ତର ମନ୍ତର ଠାରୁ ମାତ୍ର ୧୫୦ ମିଟର ଦୂରରେ। ଆମେ ସେଠାରେ ଆମର ନିଜସ୍ୱ ସଂସଦ ଅଧିବେଶନ କରିବୁ।

ଜାନୁଆରୀ 26 ଲାଲ୍ କିଲ୍ଲା ହିଂସା ଭଳି ପରିସ୍ଥିତିର ମୁକାବିଲା ପାଇଁ ବ୍ୟବସ୍ଥା ବିଷୟରେ ପଚରାଯିବାରୁ ସେ କହିଛନ୍ତି, “ଗୁଣ୍ଡା ଗର୍ଦ୍ଦି ସହିତ ଆମର କ’ଣ ସମ୍ପର୍କ ଅଛି? ଆମେ କଣ ବଦମାସ୍?”

 ଅନ୍ୟପଟେ କୃଷକଙ୍କ ଏଭଳି ନିଷ୍ପତ୍ତିକୁ ଦେଖି ସିଂଘୁ ସୀମାରେ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି । ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ୨୦୦ କୃଷକ ବସ୍ ମାଧ୍ୟମରେ ଆସି ଜନ୍ତର ମନ୍ତରରେ ଧାରଣା ଦେବେ। ସେମାନେ ସକାଳ ୧୧ ଟାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଧାରଣାରେ ବସିବା ସହ ବିକ୍ଷୋଭ ପ୍ରଦର୍ଶନ କରିବେ । ଅନ୍ୟପଟେ କୋଭିଡ କାଳରେ ଧାରଣା ହେଉଥିବାରୁ ଏନେଇ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ସରକାରଙ୍କୁ ଏକ ଶପଥ ପତ୍ର ଦେଇ ବିକ୍ଷୋଭ ସମୟରେ ସମସ୍ତ କୋଭିଡ ନିୟମ ପାଳନ କରାଯିବ ବୋଲି କୁହାଯାଇଛି ।

ଅନ୍ୟପଟେ ସଂସଦ ଭବନ ଭିତରେ କଂଗ୍ରେସ ପକ୍ଷରୁ କୃଷି ଆଇନ ପ୍ରତ୍ୟାହାର ଦାବି କରି ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ। ଏଥିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଥିଲେ। ଭାରତୀୟ କିଷାନ ୟୁନିଅନ ନେତା ରାକେଶ ଟିକାୟତ ସଂସଦରେ ବିରୋଧୀ ଚାଷୀଙ୍କ ସମସ୍ୟା କଥା ଉଠାଇବାକୁ ଆହ୍ବାନ ଦେଇଛନ୍ତି। 

Related Posts