ମିଜୋରାମ୍ ପଥର ଖାଦାନରେ ଭୟଙ୍କର ଦୁର୍ଘଟଣା: ୮ ମୃତଦେହ ଉଦ୍ଧାର

ଆଇଜଲ: ମିଜୋରାମ୍ ପଥର ଖାଦାନରେ ଘଟିଛି ଭୟଙ୍କର ଦୁର୍ଘଟଣା । ୮ଜଣଙ୍କ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ, ଆହୁରି ୪ଜଣ ଶ୍ରମିକ ଏବେ ବି ମାଟି ଅତଡ଼ା ତଳେ ଦବି ହୋଇ ରହିଛନ୍ତି । ଶ୍ରମିକମାନଙ୍କୁ ମାଟି ତଳୁ ବାହାର କରିବା ନେଇ ଉଦ୍ୟମ ଜାରି ରହିଛି । ଏସଡିଆରଏଫ, ବିଏସଏଫ ଏବଂ ଆସାମ ରାଇଫଲ୍ସର ଯବାନମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ସମସ୍ତ ୧୨ଜଣ ଶ୍ରମିକ ବିହାରର ହୋଇଥିବାବେଳେ ଏମାନଙ୍କ ପରିଚୟ ମିଳିପାରିନାହିଁ ।

ପୋଲିସର ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନ ୩ଟା ସମୟରେ ଦକ୍ଷିଣ ମିଜୋରାମର ହନାଥିଆଲ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଥିଲା । ମୌଦାଢ ଗାଁ ନିକଟସ୍ଥ ଏବିସିଆଇ ଇନଫ୍ରାଷ୍ଟ୍ରକଚର ପ୍ରାଇଭେଟ୍ ଲିମିଟେଡ୍‌ର ଶ୍ରମିକ ପଥର ଖନନ କାମ କରୁଥିଲେ। ଏହି ସମୟରେ ଅଚାନକ ପଥର ଖଣି ଭୁଶୁଡ଼ି ପଡ଼ିଥିଲା । ଏଥିରେ ୧୨ଜଣ ଶ୍ରମିକ ମାଟି ଅତଡ଼ା ତଳେ ଦବି ହୋଇଯାଇଥିଲେ । ଖବର ମିଳିବା ପରେ ସ୍ଥାନୀୟ ଲୋକଙ୍କ ମିଶି ଏସଡିଆରଏଫ, ବିଏସଏପ୍ ଓ ଆସାମ ରାଇଫଲ୍ସର ଯବାନମାନେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

ଅଧିକାରୀଙ୍କ ମତରେ, ଗତ କାଲିଠାରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୋଟ୍ ୧୨ ଶ୍ରମିକଙ୍କ ମଧ୍ୟରୁ ୮ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଅନ୍ୟ ୪ ଶ୍ରମିକଙ୍କ ମଧ୍ୟରୁ ୩ଜଣଙ୍କ ଶରୀରର କିଛି ଅଂଶ ବାହାର କରାଯାଇଥିବା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

Related Posts