
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିବଙ୍ଗତ ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂହ ଯାଦବଙ୍କ ଆସନରୁ ନିର୍ବାଚନ ଲଢ଼ିବେ ବୋହୂ ଡିମ୍ପଲ ଯାଦବ। ମୌନପୁରୀ ଲୋକସଭାରେ ସାଂସଦ ଥିବା ବେଳେ ନିକଟରେ ମୁଲାୟମ ସିଂହଙ୍କ ଦେହାନ୍ତ ହୋଇଛି। ଏହାପରେ ଏଠାରେ ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇସାରିଥିବାବେଳେ ସପା ପ୍ରମୁଖ ଅଖିଲେଶ ଯାଦବଙ୍କ ପତ୍ନୀ ତଥା ମୁଲାୟମ ସିଂହଙ୍କ ବୋହୂ ଡିମ୍ପଲ ଯାଦବଙ୍କୁ ଦଳ ଏଠାରେ ନିଜର ପାର୍ଥୀ ଭାବେ ଘୋଷଣା କରିଛି।
ସମାଜବାଦୀ ଦଳର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ମୃତ୍ୟୁ ପରେ ମୌନପୁରୀ ଲୋକସଭା ଆସନ ଖାଲି ପଡିଛି। ଆସନ୍ତା ଡିସେମ୍ବର ୫ ତାରିଖରେ ଏହି ଆସନରେ ଭୋଟ ଗ୍ରହଣ ହେବ। ୮ ତାରିଖରେ ଫଳାଫଳ ଆସିବ।
ତେବେ ଦୀର୍ଘ ତିନି ବର୍ଷ ପରେ ପୁଣି ରାଜନୈତିକ ମଇଦାନକୁ ଓହ୍ଲାଇଛନ୍ତି ଡିମ୍ପଲ ଯାଦବ। ୨୦୧୯ରେ ସେ କନ୍ନୌଜ ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିଲେ। ଏହି ଆସନରୁ ସେ ବିଜେପିର ସୁବ୍ରତ ପାଠକଙ୍କ ଠାରୁ ହାରି ଯାଇଥିଲେ। ତେବେ ୪୪ ବର୍ଷୀୟ ଡିମ୍ପଲ ଏବେ ୫ମ ଥର ପାଇଁ ନିର୍ବାଚନୀ ମଇଦାନକୁ ଓହ୍ଲାଇବାକୁ ଯାଉଛନ୍ତି। ତେବେ ସେ ପୂର୍ବରୁ ମଧ୍ୟ କନ୍ନୌଜ ଲୋକସଭା ଆସନରୁ ଦୁଇ ଦୁଇ ଥର ସାଂସଦ ରହିସାରିଛନ୍ତି। ଏବେ ସେ ପୁଣି ଥରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ନିଜ ଶ୍ୱଶୁରଙ୍କ ଆସନରୁ ଲୋକସଭା ଉପ-ନିର୍ବାଚନ ଲଢ଼ିବେ।
ମୌନପୁରୀ ଆସନ ସମତେ ଡିସେମ୍ବର ୫ ତାରିଖରେ ୫ ରାଜ୍ୟର ୫ ବିଧାନସଭା ଆସନ ପାଇଁ ମତଦାନ ହେବ ବୋଲି ଘୋଷଣା କରାଯାଇଥିଲା। ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ନିର୍ବାଚନ ଆୟୋଗ ୟୁପି ରାମପୁର ସଦର ବିଧାନସଭା ଉପ-ନିର୍ବାଚନର ବିଜ୍ଞପ୍ତିକୁ ସ୍ଥଗିତ ରଖିଛନ୍ତି।
ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନର ଅସୁସ୍ଥତା ପରେ ଗତ ମାସରେ ମୁଲାୟମ ସିଂହ ଯାଦବଙ୍କ ଦେହାନ୍ତ ହୋଇଥିଲା।