ସରକାର ନିବାସରେ , ଲୋକେ ରାସ୍ତାରେ…

ସତ୍ୟପାଠ ବ୍ୟୁରୋ : ନିର୍ବାଚନକୁ ନେଇ ଶାସକ ବିରୋଧୀ ମୁହାଁମୁହିଁ । କିଏ ବଗର ଉଦାହରଣ ଦେଲାଣି ତ ଆଉ କିଏ ମହାଭାରତର ଉପାଖ୍ୟାନ ଶୁଣାଇଲାଣି । ମୁଦ୍ଦା ବା ପ୍ରସଙ୍ଗ ବିହୀନ ଅଣରାଜନୈତିକ ନିର୍ବାଚନୀ ମାହୋଲ ଭିତରେ କିନ୍ତୁ ଉପାନ୍ତ ଉପତ୍ୟକାର ଇଏ ଏମିତି ଏକ ଚିତ୍ର ଯାହା ସମସ୍ତଙ୍କୁ ବ୍ୟସ୍ତ ବିବ୍ରତ ଓ ବିଚଳିତ କରିପକାଉଛି ।

ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଜିଲ୍ଲାର ଆମ୍ବାପଦର ଗାଁର ଏ ହେଉଛି ବିକାଶର ନଗ୍ନଚିତ୍ର । ଗ୍ରାମବାସୀଙ୍କ ଅଭିଯୋଗ ହେଉଛି ସ୍ୱାଧୀନତା ପରଠାରୁ ଆଜି ପର୍ଯ୍ୟନ୍ତ ଗାଁକୁ ଲାଗିଥିବା ତିନି କି.ମି ରାସ୍ତାକୁ ନିର୍ମାଣ କରିବା ପାଇଁ ପ୍ରଶାସନ ଠାରୁ ରାଜନେତାଙ୍କ ଯାଏ ସମସ୍ତଙ୍କୁ ଅଭିଯୋଗ କରିଥିଲେ ବି କେହି ଶୁଣି ନଥିଲେ । ଏପରିକି ନିର୍ବାଚନରେ ଭୋଟ ମାଗିବାକୁ ଆସିଥିବା ନେତାଏ ବି ଆଗରୁ ଯେମିତି ପ୍ରତିଶ୍ରୁତି ଦେଉଥିଲେ ଏବେ ବି ଅନୁରୂପ କଥା କହିଥିଲେ । ଫଳରେ ଗାଁରେ ନେତାଙ୍କୁ ପୁରାଇ ଦେଲେନି ଗ୍ରାମବାସୀ । ସମସ୍ତେ ମିଶି ନିଷ୍ପତି ନେଲେ ଯଦି ସରକାର ଆମ ଦୁଃଖ ଶୁଣିଲାନି ତେବେ ଆମ ଗାଁ ରାସ୍ତା ଆମେ ତିଆରି କରିବା ।

ଘଟଣାକ୍ରମରେ ଗ୍ରାମବାସୀ ପ୍ରତ୍ୟେକଙ୍କ ଘର ପିଛା ୩ହଜାର ଟଙ୍କା ଲେଖାଏ ଚାନ୍ଦା ଆଦାୟ କରି ରାସ୍ତରା ନିର୍ମାଣ କରିଛନ୍ତି । ଏହି କାମରେ ନିଜେ ଶ୍ରମ ଦାନ କରିବା ସହ ଗୋଟିଏ ଜେସିବି ଭଡାରେ ଆଣି ରାସ୍ତା ନିର୍ମାଣ କରିଛନ୍ତି ଗ୍ରାମବାସୀ । ଏ ସଂପର୍କରେ ଗ୍ରାମବାସୀ କହିଛନ୍ତି ସରକାର କହିଲେ ଆମେ । ତେଣୁ ଆଉ ସରକାରଙ୍କୁ ଜଣାଇବା ଦରକାର ନାହିଁ, ଆମେ ଜାଣିଲୁ ସରକାର କହିଲେ କିଛି ନାହିଁ । ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରସାରିତ ହେବା ପରେ ଏହାକୁ ନେଇ ଓଡିଶାରେ ମଧ୍ୟ ପ୍ରଶାସନିକ ଅବହେଳା ଓ ରାଜନୈତିକ ଇଚ୍ଛାଶକ୍ତିକୁ ନେଇ ପ୍ରଶ୍ନ ଉଠିଛି ।

Related Posts