ଅନୁଭବି ଖବରକାଗଜର ଅନାବିଳ ଅନୁକମ୍ପା !

୨ଲକ୍ଷ ଡେବିଟ୍ ରେ ୫୧ଲକ୍ଷ କ୍ରେଡିଟ୍

ସତ୍ୟପାଠ ବ୍ୟୁରୋ : ଅନେକ ସମୟରେ ପାଠକଙ୍କୁ ଧୈର୍ଯ୍ୟ ଓ ସମୟ ନଥାଏ ପୁରା ଖବର ପଢ଼ିବାକୁ । ତେଣୁ କେବଳ ହେଡଲାଇନ୍ସ ବା ମୁଖ୍ୟାଂଶ ଉପରେ ନଜର ପକାଇ ଖବରକାଗର ପୃଷ୍ଠା ଓଲଟାଇ ଥାଆନ୍ତି । ଯାହାର ଫଳାଫଳ ବେଳେବେଳେ ଏମିତି ହୋଇଥାଏ ଯାହା ପାଠକଙ୍କ କଳ୍ପନାର ବାହାରେ ଥାଏ । ଏଇ ଧରି ନିଅନ୍ତୁ ଏହି ଖବରଟି ଯେମିତି…

ଖବରର ଶୀର୍ଷକ ଦେଖିଲେ ଯେ କେହିବି ଅତି ସହଜରେ ଓ ଅନ୍ୟାୟାସରେ ସାଂସଦ ଅନୁଭବ ମହାନ୍ତିଙ୍କୁ ପ୍ରଶଂସାରେ ପୋତି ପକାଇବ । ଜଣେ ରାଜ୍ୟସଭା ସାଂସଦ ଓ ଆଗଧାଡିର ଅଭିନେତା ଭାବରେ ୫୧ଲକ୍ଷ ତାଙ୍କ ପାଇଁ ସେମିତି କିଛି ବଡ ରକମ ବି ନୁହେଁ । କିନ୍ତୁ ସେ ଏତେ ଟଙ୍କା ବିଲକୁଲ ଦେଇ ନାହାଁନ୍ତି । ମାତ୍ର ୨ଲକ୍ଷ ଟଙ୍କା ଦାନ କରି ୫୧ଲକ୍ଷର କ୍ରେଡିଟ୍ ନେଇଛନ୍ତି ଅନୁଭବ । ଅବଶ୍ୟ ଏହି ଖବର ସହ ଅନୁଭବଙ୍କର ଏହି ଫଟୋଟି ସଂପୃକ୍ତ ଖବରକାଗଜରେ ସ୍ଥାନ ଦେବାକୁ ଅନୁଭବ ଅନୁରୋଧ କରିଥିଲେ କି ନାହିଁ ଆମେ ଜାଣିନାହୁଁ କିନ୍ତୁ ଖବର ଓ ଶୀର୍ଷକର ଗୁରୁତ୍ୱକୁ ଦେଖି ଲାଗୁଛି ଫଟୋ ଓ କ୍ୟାପସନ ପାଇଁ କେହି ନା କେହି ଦୁର୍ବଳତା ପ୍ରକାଶ କରିଛନ୍ତି ।

ଘଟଣାକ୍ରମରେ ଆଗପଛ ହୋଇ ଓଡିଶା ପୁଲିସ ରିଲିଫ ଓ କଲ୍ୟାଣ ପାଣ୍ଠିରୁ ୧୦ଲକ୍ଷ ଟଙ୍କା, ଦୈନିକ ଖବରକାଗଜ ପ୍ରଗତିବାଦୀ ପକ୍ଷରୁ ୫ଲକ୍ଷ ଟଙ୍କା, ଗୁପ୍ତା ପାୱାର ଇନଫ୍ରାଷ୍ଟ୍ରକଚର ଲିମିଟେଡ ପକ୍ଷରୁ ୧୧ଲକ୍ଷ ଟଙ୍କା, ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତି ୪୪ହଜାର ଟଙ୍କା, ସାଂସଦ ଅନୁଭବ ମହାନ୍ତି ୨ଲକ୍ଷ ଟଙ୍କା, ବଡଚଣା ବିଧାୟକ ଅମର ଶତପଥୀ ୧ଲକ୍ଷ ଟଙ୍କା, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ନିଜର ୧୦ମାସର ବେତନ ବାବଦ ୩ଲକ୍ଷ ହଜାର ଟଙ୍କା ରିଲିଫ୍ ଫଣ୍ଡକୁ ଦାନ କରିଥିଲେ । ସେହିପରି ସ୍ୟାଣ୍ଡି ରିସୋର୍ଟ ପ୍ରାଇଭେଟ ଲିମିଟେଡ ୫ଲକ୍ଷ ଟଙ୍କା, କେନ୍ଦ୍ରାପଡା ଅର୍ବାନ କୋପରେଟିଭ୍ ବ୍ୟାଙ୍କ ୧ଲକ୍ଷ ୧ହଜାର ଟଙ୍କା, ଭୁବନେଶ୍ୱରର ପୂର୍ବତନ କର୍ପୋରେଟର ସଂଜୟ ବଳିୟାର ସିଂ ୧ଲକ୍ଷ ଟଙ୍କା, ଏସସିବି ମେଡିକାଲ କଲେଜର ଅବସରପ୍ରାପ୍ତ ପ୍ରିନ୍ସିପାଲ ଡଃ ସିଦ୍ଧାର୍ଥ ଦାସ ୯୪ହଜାର ୪୩୮ଟଙ୍କା ଓ ହୋଟେଲ ସ୍ୱସ୍ତି ପକ୍ଷରୁ ୧୦ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରାଯାଇଥିଲା ।

ମୋଟ ୫୦ଲକ୍ଷ ୯୦ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଏକ ନିର୍ଦ୍ଦିଷ୍ଟ ଦୈନିକ ଖବରକାଗଜର ଏହି ଖବରଟି କିନ୍ତୁ ପାଠକଙ୍କୁ ଭ୍ରମିତ କରିବା ଭଳି ହୋଇଥିଲା । ଖବରର ଶୀର୍ଷକଟି ଏଭଳି ଲେଖାଯାଇଥିଲା ଓ ପାଠ ସଂପର୍କିତ ଫଟୋଟି ଅନୁଭବଙ୍କର ଚେକ୍ ଦେବା ବେଳର ହୋଇଥିବାରୁ ଜଣେ ଆଖି ବନ୍ଦ କରି କହିଦେବ ଯେ ୫୧ଲକ୍ଷ ଯାକ ଟଙ୍କା ଅନୁଭବ ହିଁ ଦେଇଛନ୍ତି । ଅବଶ୍ୟ ସମୟ ସମୟରେ ଏଭଳି ଖବରକୁ ପେଡ୍ ନ୍ୟୁଜ୍ ବୋଲି କୁହାଯାଏ କିନ୍ତୁ ଏହି ନିର୍ଦ୍ଦିଷ୍ଟ ଖବରକାଗଜର ଏହି ଖବର ପଛର ସତ୍ୟତା ଜାଣିବା ଏତେ ସହଜ ନୁହେଁ ।

Related Posts