ଡେରାଡୁନ: ବିବାଦୀୟ ୟୁଟ୍ୟୁବର୍‌ ତଥା ବଡିବିଲ୍ଡର୍‌ ବବି କଟାରିଆଙ୍କ ପାଇଁ ଅଡ଼ୁଆ ବଢ଼ିଯାଇଛି । ବିଚ୍‌ ରାସ୍ତାରେ ଚୌକି ଉପରେ ବସି ମଦ ପିଇ ଭିଡ଼ିଓ କରି ଛାଡିବା ତାଙ୍କ ଉପରେ ପଡିଛି ମହଙ୍ଗା। ଏହି ମାମଲାରେ ଉତ୍ତରାଖଣ୍ଡ ପୁଲିସ ଫେରାର ବବି କଟାରିଆଙ୍କ ନାଁରେ ୨୫ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି। ଏଥିସହ ଅଭିଯୁକ୍ତଙ୍କ ବିରୋଧରେ କୋର୍ଟରୁ ଜାମିନ ବିହୀନ ଗିରଫ ପରୱାନା ମଧ୍ୟ ଜାରି କରାଯାଇଛି।

ନିକଟରେ ବବି କଟାରିଆଙ୍କ ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଏଥିରେ ସେ ବିଚ୍‌ ରାସ୍ତାରେ ଚୌକି ଉପରେ ବସି ମଦ ପିଉଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓକୁ ନେଇ ବିବାଦ ଉପୁଜିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ଏହା ଡେରାଡୁନ-ମସୁରୀ ଜାତୀୟ ରାଜପଥର ଥିବା ଜଣାପଡିଥିଲା।

ଏହାପରେ ପୁଲିସ କଟାରିଆଙ୍କ ବିରୋଧରେ ମାମଲା ରୁଜୁ କରି ତିନୋଟି ନୋଟିସ୍‌ ପଠାଇଥିଲା। କିନ୍ତୁ ସେ ଗୋଟିଏର ବି ଉତ୍ତର ଦେଇନଥିଲେ। ଏହାପରେ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ୱାରେଣ୍ଟ ଜାରି କରିଥିଲା ପୁଲିସ। କଟାରିଆଙ୍କୁ ଗିରଫ କରିବା ପାଇଁ ହରିୟାଣାର ଗୁରୁଗ୍ରାମ ସ୍ଥିତ ତାଙ୍କ ଘରେ ଚଢ଼ାଉ ମଧ୍ୟ କରିଥିଲା ପୁଲିସ। କିନ୍ତୁ ସେ ଫେରାର ଥିବା ଜଣାପଡିଥିଲା।

ସୂଚନା ମୁତାବକ, ବବି କଟାରିଆ ନିଜର ଆଉ ଏକ ବିବାଦୀୟ ଭିଡିଓକୁ ନେଇ ମଧ୍ୟ ଆଇନ ଜାଲରେ ଫସିଛନ୍ତି।