ପଶ୍ଚିମବଙ୍ଗ ବିଜେପିରେ ଦଳୀୟ ଅନ୍ତଃ କନ୍ଦଳକୁ ନେଇ ଶାହଙ୍କ ଗସ୍ତ ପୂର୍ବରୁ ଦଳ ଛାଡିଲେ ୧୫ ଜଣ ଦଳୀୟ ପଦାଧିକାରୀ

କୋଲକାତା : ପଶ୍ଚିମବଙ୍ଗ ବିଜେପିରେ ଜାରି ରହିଛି ଦଳୀୟ ଅନ୍ତଃ କନ୍ଦଳ | ତେବେ ଏହି ଦଳୀୟ ଅନ୍ତଃକନ୍ଦଳକୁ ଦୂର କରିବାର ଦାୟିତ୍ୱ ଭାର ନିଜ କାନ୍ଧକୁ ନେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ | ଏନେଇ ମେ ୪ରେ ପଶ୍ଚିମବଙ୍ଗ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ତାଙ୍କର ବେଙ୍ଗଲ ଗସ୍ତ ପାଇଁ ଗୋଟିଏ ସପ୍ତାହରୁ ମଧ୍ୟ କମ୍‌ ସମୟ ବାକି ରହିଛି । ଏହା ମଧ୍ୟରେ କୋଲକାତା ପାଖରେ ଥିବା ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ବାରାସାତ ସଙ୍ଗଠନାତ୍ମକ ସିମିତିରୁ ପୁଣିଥରେ ୧୫ ଜଣ ଦଳୀୟ ପଦାଧିକାରୀ ଇସ୍ତଫା ଦେଇଛନ୍ତି।

ଦଳରେ ଅନ୍ତଃ କନ୍ଦଳ ଏମିତି ସମୟରେ ସାମ୍ନାକୁ ଆସିଛି ଯେତେବେଳେକି ବିଜେପିର ହାଇ କମାଣ୍ଡ ରାଜ୍ୟ ବିଜେପିକୁ ଦଳରେ ଥିବା ଅନ୍ତଃ କନ୍ଦଳକୁ ସମାପ୍ତ କରି ମେ ୪ରେ ଶାହଙ୍କ ଗସ୍ତ ପୂର୍ବରୁ ଏକଜୁଟ ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ବେଙ୍ଗଲରେ ହୋଇଥିବା ଉପନିର୍ବାଚନ ପରେ ସେଠାରେ ଭଗୱା ଦଳକୁ ଦଳୀୟ ମତ ଭେଦର ସାମ୍ନା କରିବାକୁ ପଡ଼ୁଛି। ଆସାନଶୋଲରେ ନିଜର ଆସନ ଦଖଲ କରିବାରେ ଦଳ ବିଫଳ ହେବାରୁ ସେଠାରେ ରାଜ୍ୟ ବିଜେପି ସଚିବଙ୍କ ସହିତ ତିନିଜଣ ଦଳୀୟ ବିଧାୟକ ନିଜ ପଦରୁ ଇସ୍ତଫା ଦେଇଥିଲେ। ଏହାଛଡ଼ା ନଦୀୟା ଜିଲ୍ଲାର ୧୪ ଜଣ ଜିଲ୍ଲା ସ୍ଥରୀୟ ପଦାଧିକାରୀମାନେ ଉପନିର୍ବାଚନ ଫଳାଫଳ ଘୋଷଣା ହେବାର ୪୮ ଘଣ୍ଟା ମଧ୍ୟରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

ସେଠାରେ ଥିବା ଉତ୍ତର ୨୪ ପ୍ରଗଣା ଜିଲ୍ଲାର ଅସନ୍ତୁଷ୍ଟ ନେତାମାନେ ଜିଲ୍ଲାଧ୍ୟକ୍ଷଙ୍କ ଉପରେ ପକ୍ଷପାତ କରୁଥିବା ଅଭିଯୋଗ ଆଣିଛନ୍ତି । ସେମାନେ ଦଳର ପୁରୁଣା ବିଶ୍ୱସନୀୟ କାର୍ଯ୍ୟକର୍ତ୍ତାଙ୍କୁ ନଜର ଅନ୍ଦାଜ କରି ଅକ୍ଷମ ନେତୃତ୍ୱଙ୍କୁ ପ୍ରାଧାନ୍ୟ ଦେଉଥିବା ଅଭିଯୋଗ ହୋଇଛି। ସାମୁହିକ ଇସ୍ତଫା ପରେ ଅସନ୍ତୁଷ୍ଟ ବିଜେପି କାର୍ଯ୍ୟକର୍ତ୍ତାମାନେ ତାପସ ମିତ୍ରାଙ୍କ ଉପରେ ଦଳ ବିରୋଧୀ କାର୍ଯ୍ୟକଳାପ କରୁଥିବା ଅଭିଯୋଗ କରିଛନ୍ତି |

Related Posts