ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଆରମ୍ଭ ହୋଇଯାଇଛି ଯୁଦ୍ଧ: ମେଟ୍ରୋ ଷ୍ଟେସନ ପାଲଟିଛି ୟୁକ୍ରେନ୍‌ବାସୀଙ୍କ ଆଶ୍ରୟସ୍ଥଳୀ

ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଆରଂଭ ହୋଇଯାଇଛି । ଉଭୟ ପକ୍ଷରୁ ଘନ ଘନ ଆକ୍ରମଣ ଜାରି ରହିଛି । ୟୁକ୍ରେନ୍‌ ଉପରେ ରୁଷ ପ୍ରବଳ ରକେଟ୍‌ ଓ ମିସାଇଲ୍‌ ମାଡ କରିଥିବା ବେଳେ, ଯାହାର ପାଲଟା ଜବାବ ଦେଇଛି ୟୁକ୍ରେନ୍‌ । ସେପଟେ ରୁଷର ଆକ୍ରମଣରୁ ବଞ୍ଚିବା ପାଇଁ ୟୁକ୍ରେନବାସୀଙ୍କ ପାଇଁ ଏକମାତ୍ର ଭରସା ପାଲଟିଛି ଷ୍ଟେସନ। ମେଟ୍ରୋ ଷ୍ଟେସନରେ ଆଶ୍ରୟ ନେଇଛନ୍ତି ୟୁକ୍ରେନ୍‌ବାସୀ।

ଯୁଦ୍ଧ ଘୋଷଣା ପରଠାରୁ ୟୁକ୍ରେନ୍‌ରେ ମାର୍ଶଲ ଲ’ ଲାଗୁ ହୋଇଛି। ରୁଷର ଆକ୍ରମଣରୁ ନିଜ ନାଗରିକଙ୍କୁ ରକ୍ଷା କରିବା ପାଇଁ ୟୁକ୍ରେନର ରାଜଧାନୀ କିଭ୍‌ରେ ଅନେକ ଆଶ୍ରୟସ୍ଥଳ ତିଆରି କରାଯାଇଛି। ନାଗରିକଙ୍କୁ ଏହି ଆଶ୍ରୟସ୍ଥଳ ବା ଶେଲଟର୍‌ ହୋମ୍‌କୁ ଯିବା ପାଇଁ ୟୁକ୍ରେନ୍‌ ସରକାର ଅପିଲ୍‌ କରିଛନ୍ତି।

ସ୍ଥାନୀୟ ମିଡିଆ ରିପୋର୍ଟ ମୁତାବକ, କିଭ୍‌ର ମେୟର ଭିଟାଲୀ କ୍ଲିଚକୋ ଲୋକଙ୍କୁ ମେଟ୍ରୋ ଷ୍ଟେସନ ଏବଂ ସବ୍‌ୱେରେ ତିଆରି କରାଯାଇଥିବା ଶେଲ୍ଟର ହୋମ୍‌କୁ ଯିବା ପାଇଁ ନିବେଦନ କରିଛନ୍ତି। କିଭ୍‌ରେ ବର୍ତ୍ତମାନ ଯାଏଁ ସାଢ଼େ ୪ ହଜାର ଶେଲ୍ଟର ହୋମ୍‌ ତିଆରି କରିସାରିଲାଣି ୟୁକ୍ରେନ୍‌। ରୁଷର ଆକ୍ରମଣରୁ ବର୍ତ୍ତିବା ପାଇଁ ୟୁକ୍ରେନ୍‌ ବର୍ଷ ବର୍ଷ ଧରି ଲକୋଙ୍କ ପାଇଁ ଏଭଳି ସୁରକ୍ଷା କବଚ ତିଆରି କରୁଥିଲା, ଯାହାକୁ ଆକାଶ ମାର୍ଗରୁ ବୋମା ଜରିଆରେ ଟାର୍ଗେଟ୍‌ କଲେ ମଧ୍ୟ କିଛି କ୍ଷତି ପହଞ୍ଚିବ ନାହିଁ। ଏହା ଭିତରେ ଥିବା ଲୋକେ ସୁରକ୍ଷିତ ରହିପାରିବେ।

ୟୁକ୍ରେନ୍‌ରେ ଦୋକାନ, ବାର୍‌, ମେଟ୍ରୋ ଷ୍ଟେସନ, ଅଣ୍ଡରପାସ୍‌, କୋଲ୍ଡ ୱାର୍ଡ ନ୍ୟୁକ୍ଲିଅର୍‌ ଶେଲ୍ଟର ଏବଂ ଷ୍ଟ୍ରିପ କ୍ଲବ୍‌କୁ ଶେଲ୍ଟର ହୋମ୍‌ରେ ପରିଣତ କରାଯାଇଛି। ତେବେ ସରକାରୀ ଅଧିକାରୀମାନେ ୟୁକ୍ରେନ୍‌ବାସୀଙ୍କୁ ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ଷ୍ଟେସନରେ ଶରଣ ନେବା ପାଇଁ କହିଛନ୍ତି। ୟୁକ୍ରେନ୍‌ରେ ପୂର୍ବ ୟୁରୋପର ସବୁଠାରୁ ବଡ ଏବଂ ପୁରୁଣା ଅଣ୍ଡରଗ୍ରାଉଣ୍ଡ ନେଟ୍‌ୱର୍କ ରହିଛି।

Related Posts