
ପରିସ୍ଥିତିର ବାଧ୍ୟବାଧକତା ହେଉ ବା ସ୍ବଇଚ୍ଛାରେ ଶେଷରେ ସରକାର ରାଜ୍ୟବାସୀଙ୍କ ଦାବିକୁ ମାନି ନେଇଛନ୍ତି। କୋଭିଡ୍ ସମ୍ପର୍କିତ ତଥ୍ୟ ସାର୍ବଜନୀନ କରିବା ଆରମ୍ଭ କରିଛନ୍ତି। ବଡକଥା ହେଉଛି ଏହା ମଧ୍ୟରେ କିନ୍ତୁ ସରକାରଙ୍କ ପ୍ରତି ଏକ ଭୟଙ୍କର ସନ୍ଦେହ ଆଉ ଅବିଶ୍ବାସ ରାଜ୍ୟବାସୀଙ୍କ ମନରେ ସୃଷ୍ଟି ହୋଇସାରିଛି।
ଗତକାଲି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦିପ୍ତ କୁମାର ମହାପାତ୍ର ସମସ୍ତ ଜିଲ୍ଲାପାଳ, ମେଡ଼ିକାଲ କଲେଜ ଅଧ୍ୟକ୍ଷଙ୍କ ତଥା ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ କୋଭିଡ୍ ଖର୍ଚ୍ଚ ସମ୍ପର୍କିତ ଏକ ସ୍ପଷ୍ଟୀକରଣ ଦେଇଛନ୍ତି। ବେଶ୍ କିଛିଦିନ ହେବ ଏହାକୁ ନେଇ ପୁରା ରାଜ୍ୟ ରେ ତୁମ୍ବି ତୋଫାନ ଦେଖିବାକୁ ମିଳିଥିଲା। ଏପରିକି କୋଭିଡ୍ ହସ୍ପିଟାଲରେ ପ୍ରତ୍ୟକ ରୋଗୀଙ୍କ ପାଇଁ କେତେ ଖର୍ଚ୍ଚ ହେଉଛି ତାହାକୁ ନେଇ ସାମାଜିକ ଗଣମାଧ୍ୟମ ଠାରୁ ଆରମ୍ଭକରି ମୂଖ୍ୟସ୍ରୋତ ଗଣମାଧ୍ୟମରେ ପ୍ରବଳ ଚର୍ଚ୍ଚା ହୋଇଥିଲା। ସୂଚନା ଅଧିକାର କର୍ମୀମାନେ ମଧ୍ୟ ତଥ୍ୟ ନପାଇ ପ୍ରବଳ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସବୁଠାରୁ ଗୁରୁତ୍ବପୂର୍ଣ କଥା ହେଲା ଦୁଇଜଣ ବନ୍ଧୁଙ୍କ ମଧ୍ୟରେ ଏକ ଅଡିଓ କ୍ଲିପକୁ ନେଇ ଏକ ଘରୋଇ ଟେଲିଭିଜନ ସଂସ୍ଥାକୁ ମଧ୍ୟ ଖୁବ୍ ହଲପଟ୍ଟା ହେବାକୁ ପଡିଥିଲା। ଏହାକୁ ନେଇ ସତ୍ୟପାଠରେ ମଧ୍ୟ ଅନେକବାର ସରକାରଙ୍କୁ ପ୍ରଶ୍ନ ପଚରା ଯାଇଛି।
ବିଳମ୍ବରେ ହେଲେବି ରାଜ୍ୟ ସରକାର ତଥ୍ୟ ଦେବା ଆରମ୍ କରିଛନ୍ତି। କିନ୍ତୁ ଏଠାରେ ସୂଚନାଯୋଗ୍ୟ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ କେବଳ ରୋଗୀ ପିଛା ଖର୍ଚ୍ଚର ଏକ ହିସାବ ଦେଇଛନ୍ତି। ଆମର ପ୍ରଶ୍ନ ରୋଗୀପିଛା ଖର୍ଚ୍ଚ ଅପେକ୍ଷା ଶହ ଶହ କୋଟି ଟଙ୍କାର କିଣା ଯାଇଥିବା କୋଭିଡ୍ କିଟ୍, ପିପିଇ, ମାସ୍କ, ସାନିଟାଇଜର ଏବଂ ଯନ୍ତ୍ରାଶଂ ସମ୍ପର୍କରେ ତଥ୍ୟ ଏ ରାଜ୍ୟ ସରକାର ରାଜ୍ୟବାସୀ ଙ୍କୁ ଜଣାଉନାହାନ୍ତି କାହିଁକି ?
ଏଯାଏ ରାଜ୍ୟରେ କେତୋଟି ସରକାରୀ ଓ କେତୋଟି ଘରୋଇ ସଂସ୍ଥାକୁ କୋଭିଡ୍ ହସ୍ପିଟାଲ ପାଇଁ ଅନୁମତି ମିଳିଛି। ଘରୋଇ ସଂସ୍ଥାଙ୍କୁ ରାଜ୍ୟ ସରକାରଙ୍କ କେଉଁ ସଂସ୍ଥା କେତେ ଅର୍ଥ ଯୋଗାଇ ଦେଇଛନ୍ତି, ଚୁକ୍ତିପତ୍ରରେ କଣ ଉଲ୍ଲେଖ ଅଛି, କେଉଁ ସଂସ୍ଥାଠାରୁ କେତେ ଦରରେ କୋଭିଡ୍ କିଟ୍ କିଣାଯାଇଛି ତା’ର ସମ୍ପୂର୍ଣ୍ଣ ତଥ୍ୟ ରାଜ୍ୟବାସୀ ଜାଣିବାକୁ ଚାହୁଁଛନ୍ତି। ସବୁଠାରୁ ବଡକଥା ହେଲା ଏ ପର୍ଯ୍ୟନ୍ତ କେତେ ରୋଗୀ କେଉଁ କେଉଁ ଘରୋଇ କୋଭି ଡ୍ ହସ୍ପିଟାଲ୍ ରୁ ଚିକିତ୍ସିତ ହୋଇ ସାରିଲେଣି ଏବଂ କେତେ ଟଙ୍କା ଏ ବାବଦରେ ଖର୍ଚ୍ଚ ସାରିଲାଣି ତାହାର ହିସାବ ସରକାର ଏ ପର୍ଯ୍ୟନ୍ତ ଦେଲେନାହିଁ।