ଇତିଶ୍ରୀ ମାମଲାରେ ପଡିଲା ଇତି

ବହୁଚର୍ଚ୍ଚିତ ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟା ମାମଲାରେ, ଦୋଷୀ ଥିବା ନେତ୍ରାନନ୍ଦ ଦଣ୍ଡସେନାର ମୃତ୍ୟୁ

ବହୁଚର୍ଚ୍ଚିତ ରାୟଗଡା ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ହତ୍ୟା ମାମଲାରେ ଦୋଷୀସାବ୍ୟସ୍ତ ଶିକ୍ଷକ ନେତ୍ରାନନ୍ଦ ଦଣ୍ଡସେନାଙ୍କର ଆଜି ସକାଳେ ମୃତ୍ୟୁ ହୋଇଯାଇଛି। କୋରାପୁଟ ମଣ୍ଡଳ କାରାଗାରର ଜେଲରଙ୍କ ସୂଚନା ଅନୁସାରେ ଦୋଷୀ ନେତ୍ରାନନ୍ଦ ଗତକାଲି ରାତିରେ ଅସୁସ୍ଥ ହୋଇପଡିବା ପରେ ତାଙ୍କୁ କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସୂଚନାଯୋଗ୍ୟ, ୨୦୧୩ ଅକ୍ଟୋବର ୨୭ ତାରିଖରେ ରାୟଗଡ଼ା ଜିଲ୍ଲାର ଟିକିରି ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଇତିଶ୍ରୀ ନିଆଁରେ ପୋଡ଼ି ହେବା ପରେ ତାଙ୍କୁ ବିଶାଖାପାଟନମର ସେଭେନ ହିଲ୍ସ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେ ଚିକିତ୍ସିତ ହେଉଥିବା ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ୨୦୧୩ ମସିହା ନଭେମ୍ବର ୧ ତାରିଖରେ ଇତିଶ୍ରୀ ପ୍ରଧାନଙ୍କର ମୃତ୍ୟୁ ଘଟିଥିଲା।

ଅଭିଯୋଗ ଅନୁସାରେ ଇତିଶ୍ରୀଙ୍କୁ କର୍ମକ୍ଷେତ୍ରରେ ନେତ୍ରାନନ୍ଦ ଦଣ୍ଡସେନା ଯୌନ ନିର୍ଯାତନା ଦେଇଥିଲେ। ଏ ସଙ୍କ୍ରାନ୍ତରେ ଉଚ୍ଚ କତୃପକ୍ଷ ଏପରିକି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସେ ଲିଖିତ ଅଭିଯୋଗ କରିଥିଲେ। ହେଲେ ସମସ୍ତ କିଛି ଚେଷ୍ଠା ମୂଲ୍ୟହୀନ ହୋଇ ପଡିଥିଲା ଦଣ୍ଡସେନାଙ୍କ ଚକ୍ରାନ୍ତ ପାଖରେ। ଶେଷରେ ଯୋଜନାବଦ୍ଧ ଭାବରେ ଇତିଶ୍ରୀଙ୍କୁ ନିଆଁ ଲଗାଇ ହତ୍ୟା କରିବାକୁ ଉଦ୍ୟମ ହୋଇଥିଲା।୨୦୧୬  ଏପ୍ରିଲ ୨୬ ତାରିଖରେ ରାୟଗଡ଼ା ଜିଲ୍ଲା ସେସନସ୍ କୋର୍ଟ ନେତ୍ରାନନ୍ଦ ଦଣ୍ଡସେନାଙ୍କୁ ଶିକ୍ଷୟିତ୍ରୀ ଇତିଶ୍ରୀ ମୃତ୍ୟୁ ମାମଲାରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଏହାପରଠାରୁ ସେ କୋରାପୁଟ ମଣ୍ଡଳ କାରାଗାରରେ ରହି ଆସୁଥିଲେ ।

Related Posts