ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ଭାଷଣ, କରୋନା ଟୀକା ଆସିଲେ ଲୋକଙ୍କ ପାଖରେ ଶୀଘ୍ର ପହଂଚାଯିବାର ବ୍ୟବସ୍ଥା କରାଯିବ

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନରେ ଦିଲ୍ଲୀର ଲାଲକିଲ୍ଲାଠାରେ ୭୪ ତମ ସ୍ୱାଧୀନତା ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । କରୋନା ମହାମାରୀ ଯୋଗୁଁ ଏ ବର୍ଷ ନିରାଡ଼ଂବରରେ ପାଳନ ହୋଇଛି ସ୍ୱାଧୀନତା ଦିବସ । ଏଥିରେ ସମସ୍ତେ ପ୍ରତ୍ୟକ୍ଷ ଭାବରେ ଯୋଗ ଦେଇ ପାରିନଥିବାରୁ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଥିବା ବେଳେ କରୋନା ଯୋଦ୍ଧାଙ୍କୁ ଅନେକ ପ୍ରଶଂସା କରିଛନ୍ତି । ସେହିପରି ଦେଶର ବିକାଶ ପାଇଁ କାମ କରୁଥିବା ଚାଷୀ, ସୈନିକ,ବ୍ୟବସାୟୀ, ଯୁବପୀଢି ଓ ମହିଳା ମାନଙ୍କୁ ମହାନ ବୋଲି କହିଛନ୍ତି ।

ଆହୁରି ମଧ୍ୟ କହିଛନ୍ତି ମହାମାରୀ କାରୋନା ପାଇଁ ଦେଶ ସମସ୍ୟା ଭିତରେ ଗତି କରୁଛି । କିନ୍ତୁ କରୋନା ପାଇଁ ଦେଶର ବୈଜ୍ଞାନିକ କାମ କରୁଛନ୍ତି । ୩ଟି ଟୀକା ପାଇଁ ଦେଶରେ ପରୀକ୍ଷା ଚାଲିଛି ବୋଲି ମୋଦି କହିଛନ୍ତି । ଟୀକା ଆସିଲେ ଲୋକଙ୍କ ପାଖକୁ ତୁରନ୍ତ ପହଂଚାଇବାର ବ୍ୟବସ୍ଥା କରାଯିବ । ପ୍ରତ୍ୟେକ ଭାରତୀୟଙ୍କ ପାଖରେ ଟୀକା ପହଂଚିବ ଏବଂ ବୈଜ୍ଞାନିକମାନଙ୍କ ସଫଳତା ପରେ ହିଁ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ୧୯୨ରୁ ୧୮୪ ଦେଶ ଭାରତକୁ ସଂଯୁକ୍ତ ରାଷ୍ଟ୍ରରେ ଅସ୍ଥାୟୀ ସଦସ୍ୟତା ପାଇଁ ସମର୍ଥନ କରିଛନ୍ତି । ବିଶ୍ୱରେ ଭାରତ କିପରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି, ଏହି ସଂଖ୍ୟା ହେଉଛି ତାହାର ଉଦାହରଣ । ଭାରତ ସବୁବେଳେ ପଡ଼ୋଶୀ ଦେଶ ସହ ଉତ୍ତମ ସମ୍ପର୍କ ରଖିବା ପାଇଁ ଉଦ୍ୟମ ଜାରି ରଖିଛି । ଆମ ସମ୍ପର୍କକୁ ସର୍ବଦା ସୁରକ୍ଷା, ବିକାଶ ଓ ବିଶ୍ୱାସର ସହଭାଗିତାର ସହ ଆଗକୁ ବଢିବାରେ ବିଶ୍ୱାସ କରିଥାଉ ।

ଏହା ସହ ସାର୍ବଭୌମତ୍ୱ ରକ୍ଷା ପାଇଁ ଦେଶ ବଦ୍ଧପରିକର ବୋଲି ମୋଦି କହିଛନ୍ତି । ଲଦାଖାରେ ଆମ ଯବାନଙ୍କ ବୀରତ୍ୱ ବିଶ୍ୱ ଦେଖିଛି । ଆତଙ୍କବାଦ ଓ ବିସ୍ତାରବାଦକୁ ଉଚିତ୍ ଜବାବ ଦେବ ଭାରତ । ଏଲଓସିରୁ ଏଲଏସି ଯାଏଁ ଯବାନ ସଜାଗ ଅଛନ୍ତି । ପଡ଼ୋଶୀ ସହ ସହାବସ୍ଥାନ ଚାହେଁ ଭାରତ । ଯିଏ ଯେଉଁପରି ତାକୁ ସେହିପରି ସମ୍ମାନ ବ୍ୟବହାର ପାଇଁ ସେନା ପ୍ରସ୍ତୁତ ଅଛନ୍ତି ବୋଲି ମୋଦି କହିଛନ୍ତି ।

Related Posts