ବଢୁଛି ହୀରାକୁଦ ଡ଼୍ୟାମର ଜଳସ୍ତର; ୨୬ ଗେଟ ଦେଇ ଜଳ ନିଷ୍କାସନ ଜାରି, ମହାନଦୀ ତଳ ଅଞ୍ଚଳରେ ବନ୍ୟା ଆଶଙ୍କା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଫଳରେ ମହାନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ପ୍ରଥମେ ଛୋଟ ବନ୍ୟାର ଆକଳନ କରାଯାଇଥିଲା, ପରେ ଏହି ବନ୍ୟା ମଧ୍ୟମ ଧରଣର ହେବ ବୋଲି ଆକଳନ କରିଥିଲେ ସରକାର । ଏବେ ଅଧିକ ବନ୍ୟା ଜଳ ହୀରାକୁଦକୁ ପ୍ରବେଶ କରୁଛି, ଅବଶ୍ୟ ପୂର୍ବରୁ ୩୪ଟି ଗେଟ୍ ଯୋଗେ ପାଣି ଛଡ଼ାଯାଉଥିଲା, ମାତ୍ର ଗତକାଲି ଅପରାହ୍ନରୁ ବନ୍ୟା ପରିଚାଳନା କରିବା ପାଇଁ ୮ଟି ଗେଟକୁ ବନ୍ଦ କରାଯାଇଛି ।ଏବେ ହୀରାକୁଦର ଜଳସ୍ତର ୬୨୫ ଦଶମିକ୍ ୪ ଫୁଟ ପାଣି ରହିଛି । ବର୍ତ୍ତମାନ ଜଳଭଣ୍ଡାରର ୨୬ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି।

୭ ଲକ୍ଷ ୮୫ ହଜାର ୨୯୧ କ୍ୟୁସେକ ଜଳ ଏବେ ପ୍ରବେଶ କରୁଥିବା ବେଳେ ୪ ଲକ୍ଷ ୩୪ ହଜାର ୮ ହଜାର କ୍ୟୁସେକ୍ ଜଳ ନିଷ୍କାସନ କରାଯାଉଛି । କିନ୍ତୁ ତେଲ୍ ନଦୀ ଓ ଅନ୍ୟାନ୍ୟ ଉପନଦୀର କ୍ୟାଚ୍ମେଂଟ ଏରିଆରେ ପ୍ରବଳ ବର୍ଷା ହୋଇଥିବାରୁ ମହାନଦୀକୁ ମାଡ଼ି ଆସୁଛି ପାଣି । ତେଣୁ ବଡ଼ ବନ୍ୟା ହେବାର ଆଶଙ୍କା ବଢ଼ିଯାଇଛି । ବିଶେଷ କରି ମହାନଦୀ ତଳି ଅଂଚଳକୁ ବିପଦ ବଢ଼ିଯାଇଛି । ବଡ଼ ବନ୍ୟା ହେବାର ଆଶଙ୍କାରେ ଉଦ୍ଧାର କାର୍ଯ୍ୟ ପାଇଁ ଅଧିକ ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ମୁତୟନ କରାଯାଇଛି । ତେବେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ପାଇଁ ରାଜ୍ୟସରକାର ସମ୍ପୂର୍ଣ ପ୍ରସ୍ତୁତ ଥିବା କହିଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର। ଅନ୍ୟ ପକ୍ଷରେ ରାଜ୍ୟରେ ବନ୍ୟା ପରିସ୍ଥିତି ନେଇ ଗତକାଲି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ।

Related Posts