ଦୁର୍ଘଟଣାସ୍ଥଳକୁ ନେତାଂକ ସୁଅ

ବାଲେଶ୍ୱର ଜିଲ୍ଲାର ବାହାନଗା ଠାରେ ଗତକାଲି ସଂଧ୍ୟାରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ପାଖାପାଖି ୩୦୦ ଲୋକଙ୍କ ଜୀବନ ଯିବା ଓ ପ୍ରାୟ ହଜାରେ ଯାତ୍ରୀ ଆହତ ହେବାପରେ ସେଠାକୁ ଏବେ ନେତାଙ୍କ ସୁଅ ଛୁଟିବାରେ ଲାଗିଛି । ସେହିଭଳି ବିଶ୍ୱର ବହୁ ନେତା ମଧ୍ୟ ଏଭଳି ଲୋମହର୍ଷଣକାରୀ ଦୁର୍ଘଟଣା ପାଇଁ ଶୋକ ବାର୍ତ୍ତା ପଠାଇବାରେ ଲାଗିଛନ୍ତି ।

ପ୍ରଥମେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୁର୍ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ । ପ୍ରଥମେ ଉଦ୍ଧାର ଓ ଚିକିତ୍ସା ଉପରେ ଗୁରୁତ୍ୱ ଦେବା ସହିତ ଦୁର୍ଘଟଣାର ମୂଳକୁ ଯାଇ ତଦନ୍ତ କରାଯିବ ବୋଲି କହିଥିଲେ ।

ପରେ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ ପରେ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ଯାଇ ଚିକିତ୍ସାଧିନ ଆହତମାନଙ୍କୁ ଭେଟିଥିଲେ । ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

ସେହିଭଳି ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁର୍ଘଟଣା ସ୍ଥଳକୁ ଆସିବାର ସୂଚନା ମିଳିଛି । ପ୍ରଧାନମନ୍ତ୍ରୀ ପ୍ରଥମେ ବାଲେଶ୍ୱରର ଦୁର୍ଘଟଣାସ୍ଥଳ ଅନୁଧ୍ୟାନ କରିବାପରେ କଟକ ବଡ ମେଡିକାଲ ଯାଇ ଆହତମାନଙ୍କୁ ଭେଟିବେ ।

ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶେଶ୍ୱର ଟୁଡୁ, ସାଂସଦ ପ୍ରତାପ ଷଡଙ୍ଗୀ ଘଟଣାସ୍ଥଳରେ ପହଞ୍ଚିଥିବାବେଳେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ବାହାନଗା ଦୁର୍ଘଟଣାସ୍ଥଳକୁ ଆସି ପହଞ୍ଚିଛନ୍ତି । ଏହା ପୂର୍ବରୁ ପଶ୍ଚିମବଙ୍ଗ ସରକାର ତାଙ୍କର ଉଦ୍ଧାରକାରୀଦଳଙ୍କୁ ଦୁର୍ଘଟଣାସ୍ଥଳକୁ ପଠାଇଥିଲେ ।

ଏଥି ସହିତ ରାଜ୍ୟର ବିଭିନ୍ନ ଦଳର ନେତାମାନେ ଦୁର୍ଘଟଣାସ୍ଥଳକୁ ଯିବାରେ ଲାଗିଛନ୍ତି । ଏହା ପୂର୍ବରୁ ଏନ୍‍ଡିଆରଏଫ୍‍, ଓଡ୍ରାଫ୍‍, ରେଳବାଇ ସୁରକ୍ଷାବଳର ଅଧିକରୀ ଓ ଉଦ୍ଧାରକାରୀଦଳ ଗତ କାଲିଠାରୁ ସେମାନଙ୍କର ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି ।

ଇତି ମଧ୍ୟରେ ଓଡିଶା ଓ ତାମିଲନାଡୁ ସରକାର ଦୁର୍ଘଟଣା ପାଇଁ ଗୋଟିଏ ଦିନ ଶୋକ ଘୋଷଣା କରିଛନ୍ତି । ତାମିଲନାଡୁ ସରକାର ପ୍ରତ୍ୟେକ ମୃତକଙ୍କ ପାଇଁ ୫ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଥିବାବେଳେ କେନ୍ଦ୍ର ସରକାର ପ୍ରତି ମୃତକଙ୍କ ପାଇଁ ୧୦ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ କହିଛନ୍ତି ।

Related Posts