ବିରୋଧ ପରେ ପୁରୀ ବେଳାଭୂମିରେ ବେଳାଭୂମିରେ ମଦ ବେପାର ନିଷ୍ପତ୍ତିରୁ ଓହରିଲେ ସରକାର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ବେଳାଭୂମି ପର୍ଯ୍ୟଟନର ବିକାଶପାଇଁ ଗୋଆ ଓ ଥାଇଲ୍ୟାଣ୍ଡ ଢାଂଚାରେ ଓଡ଼ିଶାର ସମୁଦ୍ର ବେଳାଭୂମିରେ ମଦ ଦୋକାନ ଖୋଲିବା ନିଷ୍ପତ୍ତିକୁ ପୁରୀ ଶଙ୍କରାଚାର୍ଯ୍ୟଙ୍କ ସମେତ ବିଭିନ୍ନ ସଂଗଠନ ତୀବ୍ର ବିରୋଧ ପରେ ଶେଷରେ ରାଜ୍ୟ ସରକାର ନିଜ ନିଷ୍ପତ୍ତିର ଓହରିଛନ୍ତି। ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ ବେଳାଭୂମିରେ କୌଣସି ପ୍ରକାରର ବିଚ୍ ସାକ୍ସ ଖୋଲାଯିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି।

ଏତଦ୍ ବ୍ୟତୀତ ପୁରୀ ବେଳାଭୂମିରେ ବିଚ୍ ସାକ୍ସ ଖୋଲିବା ପାଇଁ ନୀତିଗତ ନିଷ୍ପତ୍ତି ନେଇଥିବା ରାଜ୍ୟ ପର୍ଯ୍ୟଟନ ବିଭାଗର ସଚିବଙ୍କୁ ମଧ୍ୟ ବଦଳି କରାଯାଇଛି। ପର୍ଯ୍ୟଟନ ସଚିବ ବିଶାଳ ଦେବଙ୍କୁ ବର୍ତ୍ତମାନ ଅର୍ଥ ବିଭାଗ ଦାୟିତ୍ୱ ଦିଆଯାଇଛି। ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପୁରୀ, ବାଲେଶ୍ୱର, ଜଗତ୍‍ସିଂହପୁର ଓ ଗଞ୍ଜାମ ଜିଲ୍ଲାରେ ୨୦ଟି ବେଳାଭୂମି ମଦ ବିତରଣ କେନ୍ଦ୍ର ଖୋଲିବାପାଇଁ ଆଗ୍ରହୀ ବ୍ୟବସାୟୀଙ୍କ ଠାରୁ ଦରଖାସ୍ତ ଆହ୍ୱାନ କରିଥିଲେ । ବର୍ତ୍ତମାନ ସରକାର ତାଙ୍କ ନିଷ୍ପତ୍ତିରୁ ଓହରି ଯାଇଛନ୍ତି।

ସୂଚନା ମୁତାବକ , ହିନ୍ଦୁମାନଙ୍କ ଆସ୍ଥାର ସହର ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ଥିବା ଯୋଗୁ ସେଠାର ବେଳାଭୂମିରେ ଏଭଳି ବିଚ୍ ସାକ୍ସ(ମଦ ବାର ଓ ରେଷ୍ଟୁରାଂଟ) ଖୋଲିବା ନିଷ୍ପତ୍ତି ଉତ୍କଳୀୟ ଓ ଜଗନ୍ନାଥ ସଂସ୍କୃତିକୁ କଳୁଷିତ କରୁଛି ବୋଲି ରାଜ୍ୟର ଛୋଟବଡ଼ ୨୫ଟି ସଂଗଠନ ଏହି ନିଷ୍ପତ୍ତିକୁ କଡା ବିରୋଧ କରି ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି ।ଓଡିଶା ମଦମୁକ୍ତି ଅଭିଯାନ, ମିଳିତ ଓଡିଶା ନିଶା ନିବାରଣ ସମିତି ସମେତ ବହୁ ସର୍ବୋଦୟ ଓ ସାମାଜିକ ଅନୁଷ୍ଠାନ ଝୁମ୍ପୁଡି ପାନଶାଳା ପ୍ରକଳ୍ପକୁ ବିରୋଧ କରିଛନ୍ତି ।

ରାଜ୍ୟ ସରକାର ପୁରୀର ଶ୍ରୀବୃଦ୍ଧି ସହିତ ଶ୍ରୀମନ୍ଦିର ଓ ତାହାର ଚତୁଃପାଶ୍ୱର୍ର ସୌନ୍ଦର୍ଯ୍ୟକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚକରି ଯେତିକି ବାହାଦୂରୀ ନପାଇବେ ଦେଶର ଚାରିଧାମ ମଧ୍ୟରୁ ଅନ୍ୟତମପୀଠ ପୁରୀକୁ ମଦ ମୁକ୍ତ କରାଗଲେ ତାହଠାରୁ ଅଧିକ ପ୍ରଶଂସା ସାଉଁଟିବେ ବୋଲି ଏହି ସଂଗଠନମାନେ କହିଥିଲେ। ଅପରପକ୍ଷରେ ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ରରେ ମଦର ଏଭଳି ପ୍ରସାରକୁ ବିରୋଧ କରିଥିଲେ।

ଲୋକଙ୍କ ଧାର୍ମିକ ଭାବାବେଗ ସହ ଏହି ପ୍ରସଙ୍ଗ ଜଡ଼ିତ ଥିବା କାରଣରୁ ବିବାଦ ଉଗ୍ର ରୂପ ନେବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ ବେଳାଭୂମିରେ ହେବାକୁ ଥିବା ୫ଟି ବିଚ୍ ସାକ୍ସ ଖୋଲା ନିଷ୍ପତ୍ତିକୁ ତୁରନ୍ତ ରଦ୍ଦ କରିବା ନିମନ୍ତେ ପର୍ଯ୍ୟଟନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।

ସୂଚନାଯୋଗ୍ୟ, ପୁରୀ-କୋଣାର୍କ ମେରାଇନ୍‍ ଡ୍ରାଇଭ ସମେତ ରାଜ୍ୟର ୬ଟି ବେଳାଭୂମି, ତଳସରୀ-ଉଦୟପୁର ବେଳାଭୂମି, ପାରାଦୀପ୍‍ ବେଳାଭୂମି, ଡ୍ରାଇଭ, ଗୋପାଳପୁର ବେଳାଭୂମି, ଚାନ୍ଦିପୁର ଓ ପାତିସୋନାପୁର ବେଳାଭୂମିରେ ୨୦ଟି ଝୁମ୍ପୁଡି ମଦଦୋକାନ ଚଳାଇବାକୁରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ମାଧ୍ୟମରେ ଟେଣ୍ଡର ଡକାଯାଇଛି। ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭରେ ବେଳାଭୂମିରେ ୫ଟି ବିଚ୍ ସାକ୍ସ ଟେଣ୍ଡର ଡକାଯାଇଥିଲା।

Related Posts