ବିଜେପିରେ ପାଦଧୂଆ ପଲିଟିକ୍ସ !

ସତ୍ୟପାଠ ବ୍ୟୁରୋ : ବିଜେପିରେ ଏବେ ନୂଆ ପର୍ବ ଆରମ୍ଭ ହୋଇଛି । ଯାହାର ନାଁ ପାଦଧୂଆ ପର୍ବ । ଏ ପର୍ବର ଖାସିୟତ୍ ହେଲା, ଯିଏ ଯାହାର ପାଦ ଧୋଇପାରିବେ । ଆଉ ଏହାର ଏକକିତା ନକଲ ଫେସବୁକ୍, ଟୁଇଟରରେ ପୋଷ୍ଟ କରି ପବ୍ଲିସିଟି ସାଉଁଟିବେ । ଯେନତେନ ପ୍ରକାରେଣ ଏହା ହେଡଲାଇନ୍ସରେ ସ୍ଥାନ ପାଇଯିବା ପରେ ଯାଇ ପାଦ ଧୂଆ ମେହନତର ପଇସା ଅସୁଲ ହୋଇପାରିବ । ପ୍ରଥମେ ଦଳର ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଏବେ ଓଡିଶାର ମୋଦି କୁହାଯାଉଥିବା ସାଂସଦ ପ୍ରତାପ ଷଢ଼ଙ୍ଗୀ ବୟୋଜ୍ୟୋଷ୍ଠଙ୍କ ପାଦ ଧୋଇ ଚର୍ଚ୍ଚାରେ ରହିଛନ୍ତି ।

ଲାଗୁଛି ଯେମିତି ଭାରତୀୟ ଜନତା ପାର୍ଟିର କିଛି ନେତା ରାମ ମନ୍ଦିର କଥା କହି କହି ରାମାୟଣ ଦେଖିବା ଅଧିକ ପସନ୍ଦ କଲେଣି । ରାମାୟଣର ସେ ସିନ୍ ତ ଆପଣଙ୍କର ମନେଥିବ । ଅହଲ୍ୟାକୁ ପଥରରୁ ନାରୀ କରିଥିବା ଜାଣିବା ପରେ ଧୀବର କିଭଳି ରାମଙ୍କ ପଦଧୌତ କରି ନାଆରେ ବସାଇଥିଲା । ବୋଧହୁଏ ଏଥିରୁ ଅନୁପ୍ରାଣୀତ ହୋଇଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଢ଼ଙ୍ଗୀ । ବିଜେପି ନାଆରେ ବସିବା ପାଇଁ ଆସିଥିବା ନଳଆ ସଦସ୍ୟଙ୍କ ପାଦ ଧୋଇ ଦେଇଛନ୍ତି ନନା । ଯାହା ଏବେ ପୁଣିଥରେ ତାଙ୍କୁ ଚର୍ଚ୍ଚାକୁ ଆଣିଛି ।

ମୟୁରଭଂଜ ବଡସାହି ଠାରେ ବିଜେପିର ସଦସ୍ୟତା ଅଭିଯାନ ଚାଲିଥିଲା । ବିଜେପିରେ ମିଶିବା ପାଇଁ ଆସିଥିବା କିଛି ବରିଷ୍ଠ ନାଗରିକଙ୍କ ପାଦ ଧୋଇ ଦେଇ ଦଳକୁ ସ୍ୱାଗ କରିଥିଲେ ସାଂସଦ ଷଢ଼ଙ୍ଗୀ । ଏହାର ଫଟୋ ପ୍ରତାପ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏହାକୁ ନେଇ ଅନେକ ଆଲୋଚନା । ଗତ ଫେବ୍ରୁଆରି ୨୪ ତାରିଖ ଦିନ ମୋଦୀ ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ଆୟୋଜିତ ‘ସ୍ବଚ୍ଛ କୁମ୍ଭ, ସ୍ବଚ୍ଛ ଆଭାର’ କାର‌୍ୟ୍ୟକ୍ରମରେ ଯୋଗଦେଇ ସଫେଇ କର୍ମଚାରୀଙ୍କ ପାଦ ଧୋଇ ଦେଇଥିଲେ। ତେବେ ଏହା ଏବେ ପବ୍ଲିସିଟି ଷ୍ଟଣ୍ଟର ନୂଆ ତରିକା ବୋଲି ଚର୍ଚ୍ଚା ହେଉଛି ।

Related Posts