ବିଜେପିରେ ବଢ଼ୁଛି ଫାଟ : ଟାର୍ଗେଟରେ ପ୍ରକାଶ

ସତ୍ୟପାଠ ବ୍ୟୁରୋ : କଟକ ନଗର ବିଜେପିରେ ଗୋଷ୍ଠୀ ସଂଘର୍ଷ ପଦାରେ ପଡିଛି । ସଦସ୍ୟତା ସଂଗ୍ରହ ଅଭିଯାନ ବୈଠକ ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ଭିତରେ ହାତାହାତି ପରିସ୍ଥିତି ଉପୁଜିଥିବା ବେଳେ ସ୍ଥିତି ନିୟନ୍ତ୍ରଣ କରିବାକୁ ଶେଷରେ ପୁଲିସକୁ ହସ୍ତକ୍ଷେପ କରିବାକୁ ପଡିଥିଲା । ଆଉ ଏହି ଆକ୍ରୋଶରୁ ବର୍ତ୍ତୀ ନାହାଁନ୍ତି ବିଜେପିର କଟକ ସାଂସଦ ପ୍ରାର୍ଥୀ ପ୍ରକାଶ ମିଶ୍ର ।

ରବିବାର ଅପରାହ୍ନରେ ବିଜେପି ପକ୍ଷରୁ ସିଏମସି ଟାଉନ ହଲ ଠାରେ ଚାଲିଥିଲା ସଦସ୍ୟତା ଅଭିଯାନ ବୈଠକ । ଉପସ୍ଥିତ ଥିଲେ ନଗର ସଭାପତି ଲକ୍ଷ୍ମୀଧର ପ୍ରଧାନ, ଚୌଦାର-କଟକ ପ୍ରାର୍ଥୀ ନୟନ ମହାନ୍ତି, କଟକ ସଦର ପ୍ରାର୍ଥୀ ଦିଲ୍ଲୀପ ମଲ୍ଲିକ, ସାଂସଦ ପ୍ରାର୍ଥୀ ପ୍ରକାଶ ମିଶ୍ର, ବରିଷ୍ଠ ନେତା ବିନୋଦ ଦାସ ଓ ସାରଦା ଶତପଥୀ ପ୍ରମୁଖ । ଅବଶ୍ୟ ବୈଠକ ଆରମ୍ଭ ପର୍ଯ୍ୟନ୍ତ ଆସି ନଥିଲେ ପୂର୍ବତନ ମନ୍ତ୍ରୀ ତଥା ବାରବାଟୀ-କଟକ ନେତା ସମୀର ଦେ । ଏହାକୁ ନେଇ କିଛି ଗୁଂଜରଣ ସୃଷ୍ଟି ହୋଇଥିଲା କିନ୍ତୁ କିଛି ସମୟ ଭିତରେ ଆରମ୍ଭ ହୋଇଗଲା ହୋ-ହାଲ୍ଲା । ବୈଠକ ଭିତରକୁ ନିଜ ସମର୍ଥକଙ୍କୁ ଧରି ଧସେଇ ପଶି ଆସିଥିଲେ ଯୁବନେତା ଦେବାଶୀଷ ଘୋଷ । ଏହାପରେ ଆରମ୍ଭ ହେଲା ବଚସା, ଗଣ୍ଡଗୋଳ । ଚେୟାର ଫିଙ୍ଗାଫିଙ୍ଗି ଦେଖି ଘାବରେଇ ଯାଇଥିଲେ ପ୍ରକାଶ ମିଶ୍ର । ରାଜନୀତିରେ ନୂଆକରି ଏମିତି ଦୃଶ୍ୟ ଦେଖି ସେ ବାହାରକୁ ଚାଲି ଆସିଥିଲେ । ଅନ୍ୟ ବରିଷ୍ଠ ନେତାମାନେ ବି ବୈଠକ ଛାଡି ପଳାଇଥିଲେ ।

 

ଭିତିରିଆ ଶୁଣିବାକୁ ମିଳୁଛି, ଫାଳେ କି ଦୁଇଫାଳ ନୁହେଁ ବରଂ ତିନି ଫାଳ ହୋଇଛି କଟକ ନଗର ବିଜେପି । ନଗର ସଭାପତି ଲକ୍ଷ୍ମୀଧର ପ୍ରଧାନ, ଚୌଦାର-କଟକରୁ ପ୍ରାର୍ଥୀ ହୋଇଥିବା ନୟନ ମହାନ୍ତି ଗୋଟିଏ ଗୋଷ୍ଠୀରେ ଥିବା ବେଳେ ନୂଆକରି ବିଜେପିରେ ପାଦ ଦେଇ ସାଂସଦ ପ୍ରାର୍ଥୀ ହୋଇଥିବା ପୂର୍ବତନ ଡିଜି ପ୍ରକାଶ ମିଶ୍ର ଓ ବିନୋଦ ଦାସ ଗୋଟିଏ ଗୋଷ୍ଠୀରେ ଅଛନ୍ତି । ତେବେ ବାରବାଟୀ-କଟକର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ ଏକାକୀ ଗୋଟିଏ ଫାଳ ସମ୍ଭାଳିଛନ୍ତି । କୁଆଡେ ପ୍ରକାଶ ମିଶ୍ରଙ୍କୁ ଦଳ ସାଂଗଠାନିକ ଦାୟିତ୍ୱ ଦେବାକୁ ଚାହୁଁଛି ଯାହାକୁ ବିରୋଧ କରୁଛନ୍ତି ସମୀର ଦେ । ଏମିତିକି ପ୍ରକାଶଙ୍କୁ କଟକ ପଲିଟିକ୍ସରେ ଏଣ୍ଟ୍ରି ନ କରାଇବାକୁ ସବୁ ଯୋଜନା କରାଯାଇଛି ।

 

ଗଣ୍ଡଗୋଳକାରୀଙ୍କ କହିବା କଥା, କିଛି ଛାମୁଆ ନେତାଙ୍କ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେପି କଟକରେ ମାଟି କାମୁଡିଲା । ତେଣୁ ସେମାନଙ୍କୁ ପୁଣି କଣ ପାଇଁ ସାଙ୍ଗଠାନିକ ଦାୟିତ୍ୱ ଦିଆଯାଉଛି । ସେପଟେ ସଦସ୍ୟତା ଅଭିଯାନ ପ୍ରମୁଖ ଲଲାଟେନ୍ଦୁ ବଡୁ କହିଛନ୍ତି, ପୂର୍ବରୁ ସଦସ୍ୟତା ଅଭିଯାନରେ କିଛି ହାତଗଣତି ଲୋକ ହେଉଥିଲେ । କିନ୍ତୁ ଏଥର ୪ଶହରୁ ଅଧିକ ଲୋକ ଆସିଥିଲେ । ଏତେସଂଖ୍ୟକ ନୂଆ କର୍ମୀଙ୍କ ଯୋଗଦାନକୁ ଦଳର ଏକ ବଡ ଗୋଷ୍ଠୀ ସହ୍ୟ କରି ପାରି ନଥିବା ସେ କହିଛନ୍ତି ।

ଘଟଣା ସମ୍ପର୍କରେ ସମୀର ଦେ ଓ ପ୍ରକାଶ ମିଶ୍ରଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ବି ଯୋଗାଯୋଗ ସମ୍ଭବ ହୋଇନାହିଁ ।

Related Posts