
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ):ଦେଶରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୁଲାଇ ୧୮ ତାରିଖରେ ମତଦାନ ହେବାକୁ ଯାଉଛି। ଏହି କ୍ରମରେ ନିର୍ବାଚନ ପାଇଁ ମଇଦାନ ରେ ଥିବା ଉଭୟ ପ୍ରାର୍ଥୀ ବିଭିନ୍ନ ରାଜ୍ୟ ଗସ୍ତ କରି ନିଜ ସପକ୍ଷ ରେ ସମର୍ଥନ ମାଗୁଛନ୍ତି। ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଯଶୋବନ୍ତ ସିହ୍ନା ଏହି ଭିତରେ ରାଜସ୍ଥାନ ରେ ପହଞ୍ଚି କଂଗ୍ରେସ ର ବିଧାୟକ ଓ ସାଂସଦ ମାନଙ୍କୁ ଭେଟିଛନ୍ତି।
ଏହି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଯଶୋବନ୍ତ ସିହ୍ନା ବର୍ତ୍ତମାନ ର କେନ୍ଦ୍ର ସରକାର ଓ ରାଷ୍ଟ୍ରପତି ଙ୍କ ବିରୁଦ୍ଧରେ ବର୍ଷିଛନ୍ତି। ଶ୍ରୀ ସିହ୍ନା କହିଛନ୍ତି ଯେ ଗତ ପାଞ୍ଚ ବର୍ଷ ହେବ ଦେଶର ରାଷ୍ଟ୍ରପତି ଭବନର ପାଟି ଚୁପ୍ ରହିଛି। ବିଗତ ୫ବର୍ଷ ରେ ଦେଶ ଜଣେ ନୀରବ ରାଷ୍ଟ୍ରପତି ଙ୍କୁ ଦେଖିଛି ଯିଏ କୌଣସି ମାମଲା ରେ ନିଜ ମୁଁହ ଖୋଲି ନାହାନ୍ତି। ଏହି କ୍ରମରେ ସେ କେନ୍ଦ୍ର ସରକାର କୁ ଟାର୍ଗେଟ କରି କହିଛନ୍ତି ଯେ ଦେଶ ରେ ଗଣତନ୍ତ୍ର କୁ କେନ୍ଦ୍ର ର ବିଜେପି ସରକାର ହତ୍ୟା କରୁଛନ୍ତି। କେନ୍ଦ୍ରୀୟ ଏଜେନ୍ସୀ ଗୁଡ଼ିକୁ ବ୍ୟବହାର କରି ଦେଶରେ ଅରାଜକତା ଓ ଭୟର ବାତାବରଣ ସୃଷ୍ଟି କରାଯାଉଛି। ରାଜ୍ୟ ଗୁଡ଼ିକର ନିର୍ବାଚିତ ସରକାର କୁ ଭାଙ୍ଗିବାକୁ ଚେଷ୍ଟା କରାଯାଉଛି। ସେ ଆହୁରି କହିଛନ୍ତି “ମୁଁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ କୌଣସି କେନ୍ଦ୍ରୀୟ ଏଜେନ୍ସୀର ଅପବ୍ୟବହାର ହେବାକୁ ଦେବିନାହିଁ, ଦେଶରେ ଘୃଣା ସୃଷ୍ଟି କରିବାକୁ ଦେବିନାହିଁ।”
ଏହି ସାମ୍ବାଦିକ ସମ୍ମିଳନୀରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ୍ କହିଛନ୍ତି ଯେ “ରାଷ୍ଟ୍ରପତି ପଦ ପାଇଁ ଏ ଲଢେଇ ବିଚାରଧାରା ର ଲଢେଇ।ବର୍ତ୍ତମାନ ଦେଶରେ ଉପୁଜିଥିବା ଘୃଣା ଓ ଅରାଜକତା ପରିସ୍ଥିତି ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀ ଙ୍କୁ ସମ୍ବୋଧନ କରି ଉତ୍ତର ଦେବା ଉଚିତ୍”।