ଭୁବନେଶ୍ୱର,୨୧/୧୨(ସତ୍ୟପାଠ ବ୍ୟୁରୋ): ପୁଣି ସାଧାରଣତନ୍ତ୍ର ଦିବସ ପରେଡରୁ ବାଦ୍ ପଡ଼ିଲା ଓଡ଼ିଶା ପ୍ରଜ୍ଞାପନ ମେଢ଼ । ଲଗାତର ତୃତୀୟ ବର୍ଷ ପାଇଁ ଦିଲ୍ଲୀ ରାଜପଥ ଜାତୀୟ ପରେଡରେ ଦେଖିବାକୁ ମିଳିବନି ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ମିଳିଥିବା ସୂଚନା ମୁତାବକ, ବୁଧବାର ନୂଆଦିଲ୍ଲୀରେ ପ୍ରଜ୍ଞାପନ ମେଢ଼ ଚୟନ ପାଇଁ ଅନୁଷ୍ଠିତ ହୋଇଛି ପଞ୍ଚମ ବୈଠକ । କିନ୍ତୁ, ଏଥିରେ ସାମିଲ ହେବା ଲାଗି ଓଡ଼ିଶାକୁ ଆସି ନାହିଁ ନିମନ୍ତ୍ରଣ ଚିଠି ।ଫଳରେ ଏହା ସ୍ପଷ୍ଟ ହୋଇଛି ଯେ, ଏଥର ବି ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଦିଲ୍ଲୀ ରାଜପଥରେ ଗଡ଼ିବ ନାହିଁ ।
ଆସନ୍ତା ଜାନୁଆରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ରାଜପଥରେ ସାମିଲ ହୋଇଥାନ୍ତା ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ସେଥିପାଇଁ ସବୁବର୍ଷ ପରି ଏଥର ବି ବହୁ ଆଗରୁ ବୈଠକ ବସିଥିଲା । ବିଷୟ ମୁତାବକଷ ‘ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଓ ସ୍ଥାପତ୍ୟ’କୁ ନେଇ ମେଢ଼ ତିଆରି କରାଯାଇଥିଲା । ଆଗରେ ଥିଲା ଅଶ୍ୱ ଚିହ୍ନ ଏବଂ ତଳେ ଦୁଇଟି କୋଣାର୍କ ଚକ୍ର । ବାକି କଳିଙ୍ଗର ଐତିହ୍ୟ ସମ୍ପନ୍ନ କଳାକାରିଗରୀକୁ ମୁକ୍ତେଶ୍ୱର ମନ୍ଦିର ସହ ପ୍ରଦର୍ଶିତ କରାଯାଇଥିଲା । ଏହା ସହ ବିଶ୍ୱ ପ୍ରସିଦ୍ଧ ଓଡ଼ିଶାର ନୃତ୍ୟ କଳା ମାହାରୀ ଏବଂ ଘୁମୁରାର ଶିଳ୍ପୀମାନଙ୍କୁ ସାମିଲ କରାଯାଇଥିଲା । ୪ଟି ବୈଠକ, ଆଲୋଚନା ପରେ ମଡେଲ୍ ଫାଇନାଲ୍ ହେବା ସହ ମାହାରୀ ଏବଂ ଘୁମୁରାକୁ ନେଇ ଏକ ଗୀତ ଆୟୋଜନ କରିବାକୁ କୁହାଯାଇଥିଲା । ଗୀତ ରେକର୍ଡିଂ ମଧ୍ୟ ସରିଥିଲା । କିନ୍ତୁ, ସବୁ ପରେ ଆଜିର ପଞ୍ଚମ ବୈଠକକୁ ଯିବା ପାଇଁ ଡାକରା ନ ଆସିବାରୁ ଓଡ଼ିଶା ମଡେଲ୍ କଟିଯାଇଥିବା ସୂଚନା ମିଳିଛି । ଗତଥର ‘ପାଇକ ବିଦ୍ରୋହ ଓ ବକ୍ସି ଜଗବନ୍ଧୁ’ ଉପରେ ପ୍ରସ୍ତୁତ ମଡେଲଟି ସବୁ ଆୟୋଜନ ସରିଥିବା ବେଳେ ଠିକ୍ ଏହିପରି ଭାବେ କଟିଥିଲା ।
ପୂର୍ବରୁ ଅନେକ ଥର ଏହି ମେଢ ନିର୍ମାଣ କରି ଆସିଥିବା ଖ୍ୟାତିସମ୍ପନ୍ନ ଚିତ୍ରଶିଳ୍ପୀ ଗଜେନ୍ଦ୍ର ସାହୁ କହିଛନ୍ତି, ଯେ ଜଣେ ଶିଳ୍ପୀ ଭାବେ ଏଭଳି ଘଟଣା ମୋତେ ଗଭୀର ଆଘାତ ଦେଇଛି । କିନ୍ତୁ, ଏଠି ଆମେ ଅଟକିଗଲେ ହେବନାହିଁ । ଓଡ଼ିଶାର ମେଢ଼ କାହିଁକି କଟିଲା ତା’ର ତର୍ଜମା ହେବା ଆବଶ୍ୟକ । ତା’ ସହିତ ଏବେବି ସମୟ ଅଛି, ଚାହିଁଲେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ସାମିଲ ହୋଇପାରିବ । ଏଥିପାଇଁ ସରକାର ହସ୍ତକ୍ଷେପ କରି କେନ୍ଦ୍ର ସହିତ ଆଲୋଚନା କରିବାକୁ ନିବେଦନ କରୁଛି ।
ଓଡ଼ିଶା ପ୍ରଜ୍ଞାପନ ମେଢ଼ ଗତ ୫ ବର୍ଷରେ ଦିଲ୍ଲୀ ରାଜପଥରେ ଥରେ ମାତ୍ର ଗଡ଼ିବାର ସୁଯୋଗ ପାଇଛି । ପୂର୍ବରୁ ୨୦୧୮ ଏବଂ ୨୦୧୯ ମସିହାରେ ଗଡ଼ି ନ ଥିଲା । ୨୦୨୧ ମେଢ଼ ପ୍ରସ୍ତୁତି ପାଇଁ ସୁଯୋଗ ପାଇନଥିଲା । ୨୦୨୨ରେ ଅଧାରୁ ବାଦ୍ ପଡ଼ିଥିଲେ। ଏବେ ଆସନ୍ତା ୨୦୨୩ରେ ମଧ୍ୟ ବାଦ୍ ପଡ଼ିଛି । ଏହାଠୁ ବଳି ଦୁଃଖଦ ଖବର ଓଡ଼ିଶା ପାଇଁ ଆଉ କିଛି ହୋଇନପାରେ ବୋଲି ସଂସ୍କୃତିପ୍ରେମୀ ଦାବି କରିଛନ୍ତି ।
