ବିଜେପିରେ ସାମିଲ ହେଲେ ପୂର୍ବତନ କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଦ୍ମ ଧରିଛନ୍ତି ପୂର୍ବତନ କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର । ଗତ ଜୁନ ମାସରେ ମନୋଜ ମହାପାତ୍ର କଂଗ୍ରେସ ଛାଡ଼ିଥିଲେ ।ମଙ୍ଗଳବାର ବିଜେପି କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି ।

ତେବେ ଗତ ଜୁନ ମାସରେ କଂଗ୍ରେସ ଦଳର ମୁଖପାତ୍ର ଦାୟିତ୍ବରେ ଥିବା ମନୋଜ ମହାପାତ୍ର ନିଜ ପଦରୁ ଇସ୍ତଫା ଦେଇଥିଲେ । ଏହା ସହିତ ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ। ଇସ୍ତଫା ପତ୍ରରେ ମନୋଜ ଦଳର ନେତୃତ୍ବଙ୍କ ବିରୋଧରେ ବିଷୋଦଗାର କରିଥିଲେ। କିଛିଦିନ ହେବ ସାଧାରଣ ଲୋକଙ୍କ ଆଶା ପୂରଣ ଲାଗି ଦଳରେ ଆଉ ଜାଗା ନଥିବା ସେ ଅନୁଭବ କରୁଥିବା ଦର୍ଶାଇ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ଓ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କ ନିକଟକୁ ନିଜର ଇସ୍ତଫା ପଠାଇଥିଲେ ।

ସୂଚନା ଅନୁସାରେ, ମଙ୍ଗଳବାର ଯାଜପୁର ଜିଲ୍ଲା ବରି ଅଞ୍ଚଳର ଶହ ଶହ ସମର୍ଥକଙ୍କ ସହିତ ମନୋଜ ମହାପାତ୍ର ରାଜ୍ୟ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏହା ସହ ଯାଜପୁର ଜିଲ୍ଳା ବିଜେଡିର ଅନେକ ନେତା ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ବିଜେଡି ବରି ବ୍ଳକ ଅଧ୍ୟକ୍ଷ ଅମଳେନ୍ଦୁ ବେଉରା ଏବଂ ପବିତ୍ର ମୋହନ ମହାପାତ୍ରଙ୍କ ସମେତ ବିଶିଷ୍ଟ ଲେଖିକା ପ୍ରୀତିପ୍ରଭା ଏବଂ ସମାଜସେବୀ ସୁରଜ ମିଶ୍ର ମଧ୍ୟ ବିଜେପିରେ ଯୋଗ ଦାନ କରିଛନ୍ତି । ତେବେ ସାରା ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗ୍ରହଣୀୟତା ଓ ବିଜେପିର ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେପିକୁ ବାଛିଥିବା ମନୋଜ କହିଛନ୍ତି।

Related Posts