
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଜେବିଟି ନିଯୁକ୍ତି ଘୋଟାଲାରେ ୧୦ ବର୍ଷ ଧରି ଜେଲଦଣ୍ଡ ଭୋଗୁଥିବା ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜାତୀୟ ଲୋକ ଦଳ (INLD) ସୁପ୍ରିମୋ ଓମ୍ ପ୍ରକାଶ ଚୌଟାଲା ଶୁକ୍ରବାର ଦିନ ଦିଲ୍ଲୀର ତିହାର ଜେଲରୁ ଖଲାସ ହୋଇଛନ୍ତି। ଚୌଟାଲା ବର୍ତ୍ତମାନ ପାରୋଲରେ ବାହାରେ ଥିଲେ କିନ୍ତୁ ଆଜି ତାଙ୍କୁ ଔପଚାରିକ ଭାବେ ଜେଲରୁ ମୁକ୍ତ କରାଯାଇଛି। ଭାରତୀୟ ଜାତୀୟ ଲୋକ ଦଳ (INLD) ପ୍ରଦେଶ ସଭାପତି ନାଫେ ସିଂ ରାଠୀ ଗୁରୁବାର ଦିନ କହିଛନ୍ତି ଯେ ଓମ ପ୍ରକାଶ ଚୌଟାଲାଙ୍କ ମୁକ୍ତି ହରିୟାଣା ରାଜନୀତିରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବ। ସେ କହିଛନ୍ତି ଯେ ସମାଜର ସମସ୍ତ ବର୍ଗର ଲୋକମାନେ INLD ସୁପ୍ରିମୋଙ୍କ ଜେଲରୁ ଖଲାସ ହେବାକୁ ନେଇ ଉତ୍ସାହିତ ଅଛନ୍ତି। ଦିଲ୍ଲୀ ସରକାର ଗତ ମାସରେ ନେଇଥିବା ନିଷ୍ପତ୍ତି ଅନୁସାରେ ଯେଉଁ କଏଦୀମାନଙ୍କୁ 10 ବର୍ଷ ପର୍ଯ୍ୟନ୍ତ ଦଣ୍ଡିତ କରାଯାଇଛି ଏବଂ ସେମାନଙ୍କର 6 ମାସ ବାକି ଅଛି, ସେମାନଙ୍କୁ କ୍ଷମା ଦିଆଯିବ । ଏଥିରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶଙ୍କ ନାମ ମଧ୍ୟ ଥିଲା । ବୁଧବାର ଦିନ ଚୌଟାଲା 9 ବର୍ଷ 9 ମାସ ସଜ୍ଜା କାଟି ସାରିଛନ୍ତି ।1998 ରୁ 2000 ମଧ୍ୟରେ ହରିୟାଣାର ବିଭିନ୍ନ ଜିଲ୍ଲାରେ ବେଆଇନ ଭାବେ 3 ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତ ଦିଆଯାଇଥିଲା। ଏହି ମାମଲାର ଶୁଣାଣି ଦିଲ୍ଲୀକୁ ସ୍ଥାନାନ୍ତର କରାଯାଇଥିଲା । ଓମ ପ୍ରକାଶ ଏବଂ ତାଙ୍କ ପୁଅ ଅଜୟ ଚୌଟାଲାଙ୍କୁ ଦିଲ୍ଲୀ କୋର୍ଟ 10 ବର୍ଷ ଜେଲ୍ ଦଣ୍ଡ ଶୁଣାଇଥିଲେ । ଏହା ବ୍ୟତୀତ ଆଇଏଏସ୍ ଅଧିକାରୀ ସଞ୍ଜୀବ କୁମାରଙ୍କ ସମେତ 53 ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। 16 ଜାନୁଆରୀ 2013 ରେ ଉଭୟଙ୍କୁ ତିହାର ଜେଲକୁ ଅଣାଯାଇଥିଲା ।