ଡାକ୍ତର ମାନଙ୍କ ଉପରେ ହେଉଥିବା ଆକ୍ରମଣ ତତ୍କାଳ ଚିନ୍ତାର ବିଷୟ : ଜଷ୍ଟିସ୍ ଏନ୍. ଭି ରାମନା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଗତ କାଲି ଥିଲା ଜାତୀୟ ଡାକ୍ତର ଦିବସ। ଏହି ଅବସରରେ ଏକ ଭର୍ଚୁଆଲ୍ ସମ୍ମିଳନୀରେ ମେଡିକାଲ୍ ପ୍ରଫେସନାଲମାନଙ୍କୁ ସମ୍ବୋଧିତ କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ୍. ଭି ରାମନା କହିଛନ୍ତି ଯେ ମେଡିକାଲ କର୍ମଚାରୀମାନଙ୍କ ପ୍ରତି ହେଉଥିବା ହିଂସା ଏବଂ ଏଥିପ୍ରତି ସରକାରଙ୍କ ନୀରବତା ଏକ ଚିନ୍ତାଜନକ ବିଷୟ। ଜଷ୍ଟିସ୍ ରମନା କହିଛନ୍ତି ଯେ “ଏହି ସମସ୍ୟାର ସମାଧାନ ପାଇଁ ସରକାରଙ୍କ ମେଡିକାଲ ସଂସ୍ଥା ଏବଂ ସଂପୃକ୍ତ ଏଜେନ୍ସିଗୁଡ଼ିକୁ ଏକାଠି ଏ ବିଷୟରେ ଚିନ୍ତା କରିବାକୁ ହେବ। ଯେତେବେଳେ ଡକ୍ଟର ମାନେ ସୁରକ୍ଷିତ ରହିବେ ସେତେବେଳେ ଆମେ ପ୍ରତିବର୍ଷ ଜୁଲାଇ ୧ ରେ ଡାକ୍ତରମାନଙ୍କୁ ଆନ୍ତରିକତାର ସହ ଅଭିବାଦନ ଜଣାଇ ପାରିବା।” ଏହି ଅବସରରେ ଜଷ୍ଟିସ୍ ରାମନା ପର୍ଯ୍ୟାପ୍ତ ସଂଖ୍ୟକ ମେଡିକାଲ୍ ପ୍ରଫେସନାଲ, ଭିତ୍ତିଭୂମି, ଔଷଧର ଅଭାବ ଭଳି ସମସ୍ୟାଗୁଡିକ ଉପରେ ଆଲୋକପାତ କରିଥିଲେ। ଅନ୍ୟ ମାନଙ୍କ ପାଇଁ ଦ୍ବିତୀୟ ଭଗବାନ ସାଜିଥିବା ଡାକ୍ତରମାନେ କିପରି ଭଲ ସୁନ୍ଦର ଜୀବନଯାପନ କରିବା ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେ ବିଷୟରେ ଆଲୋଚନା କରିଛନ୍ତି। ଏନଡିଟିଭି ରିପୋର୍ଟ ଅନୁଯାୟୀ ପ୍ରଧାନ ବିଚାରପତି କହିଛନ୍ତି ଯେ, ଭଲ ଏବଂ ଯୋଗ୍ୟ ଡାକ୍ତରମାନେ ନିଜର ଏକ ଭଲ ହସ୍ପିଟାଲ ଆରମ୍ଭ କରି ବଞ୍ଚିପାରିବେ ନାହିଁ ଏବଂ ଏହା ଅତ୍ୟନ୍ତ ଦୁଃଖଦାୟକ ଘଟଣା । ଆଠରୁ ନଅ ବର୍ଷ ପର୍ଯ୍ୟନ୍ତ କଠିନ ପରିଶ୍ରମ କରି ଶିକ୍ଷା ଲାଭ କରିବା ପରେ ମଧ୍ୟ ଡାକ୍ତରମାନେ ଭଲ ଦରମା ପାଇବା ପାଇଁ ସଂଘର୍ଷ କରନ୍ତି। ” ଜଷ୍ଟିସ ରାମନା ମେଡିକାଲ ପ୍ରଫେସନାଲଙ୍କ ବଳିଦାନକୁ ପ୍ରଶଂସା କରିବା ସହ “ବିନା ଟୋପିରେ ସମସ୍ତ ହିରୋ” ବୋଲି କହି ଚିକିତ୍ସା ଜଗତ ସହ ଜଡିତ ସମସ୍ତ ବ୍ୟକ୍ତିଙ୍କୁ ଅଭିବାଦନ ଜଣାଇଛନ୍ତି। ଭାରତର ପ୍ରଧାନ ବିଚାରପତି ଆହୁରି ମଧ୍ୟ କହିଛନ୍ତି ଯେ ମହାମାରୀର ଭଳି ଭୟଙ୍କର ପରିସ୍ଥିତି ସହ ସାରା ବିଶ୍ବ ଏବେ ବି ଲଢୁଥିବା ବେଳେ ଆମର ଡାକ୍ତରମାନେ ନିରନ୍ତର ତଥା ନିଃସ୍ୱାର୍ଥପର ଭାବରେ ମାରାତ୍ମକ ମହାମାରୀ ବିରୋଧରେ ଲଢୁଛନ୍ତି। କରୋନା କାଳରେ ରୋଗୀଙ୍କ ପାଖକୁ କେହି ଯିବାକୁ ନିଷେଧ ଥିବା ବେଳେ ଡାକ୍ତର ମାନେ ପିପିଇ କିଟ୍ ପିନ୍ଧି ୨୪ ଘଣ୍ଟା ରୋଗୀ ମାନଙ୍କର ସେବା କରିଛନ୍ତି। ଡାକ୍ତର ମାନଙ୍କର ଏଭଳି କାର୍ଯ୍ୟ ପାଇଁ ସେ ଚିକିତ୍ସା ଜଗତ ସହ ଜଡିତ ସମସ୍ତ ବ୍ୟକ୍ତିଙ୍କୁ ସାଧୁବାଦ ଜଣାଇଥିଲେ। ସୂଚନାଯୋଗ୍ୟ ଯେ ଗତ ଜୁନ୍ ମାସରେ ଡାକ୍ତର ମାନଙ୍କ ପ୍ରତି ହେଉଥିବା ହିଂସାକୁ ବିରୋଧ କରି ଇଣ୍ଡିଆନ ମେଡିକାଲ୍ ଆସୋସିଏସନ୍ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିଥିଲା।

Related Posts