ନୂଆଦିଲ୍ଲୀ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କୁ ଗୁଳିମାଡ଼ ହୋଇଛି । ଆଜି ନରା ସହରରେ ଭାଷଣ ଦେଉଥିବା ବେଳେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କୁ କେହି ଜଣେ ଦୁର୍ବୃତ୍ତ ଗୁଳିମାଡ଼ କରିଛି ।

ଖବର ପ୍ରସାରଣକାରୀ ‘ଏନ୍‌ଏଚ୍‌କେ’ ରିପୋର୍ଟ ଅନୁସାରେ, ପଶ୍ଚିମ ଜାପାନର ନରା ସହରରେ ଭାଷଣ ଦେଉଥିବା ବେଳେ ରକ୍ତାକ୍ତ ହୋଇ ପଡ଼ିଯିବାରୁ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ସେ‌ତେବେଳେ ବନ୍ଧୁକ ଫୁଟିବା ପରି ଶବ୍ଦ ଶୁଭିଥିଲା। ଘଟଣାସ୍ଥଳରେ ପୁଲିସ ସନ୍ଦିଗ୍ଧ ବ୍ୟକ୍ତିଜଣଙ୍କୁ ଅଟକ ରଖିଛି।

ଅଚେତ ହୋଇ ପଡ଼ିଯାଇଥିବା ଶିଞ୍ଜୋଙ୍କ ଜୀବନ ରକ୍ଷା କରିବା ଲାଗି ଘଟଣାସ୍ଥଳରେ ଥିବା ‘ପାରା ମଡେିକ୍‌’ମାନେ ମଧ୍ୟ ତୁରନ୍ତ ଚିକିତ୍ସା ଆରମ୍ଭ କରି ଦେଇଥିଲେ।

ଘଟଣାସ୍ଥଳରେ ଉପସ୍ଥିତ ଥିବା ‘ଏନ୍‌ଏଚ୍‌କେ’ର ଜଣେ ରିପୋର୍ଟର୍‌ କହିଛନ୍ତି, ସ୍ଥାନୀୟ ସମୟ ପୂର୍ବାହ୍ନ ୧୧.୩୦ରେ ଆବେ ଭାଷଣ ଦେଉଥିବା ବେଳେ ସେମାନେ କ୍ରମାଗତ ଦୁଇ ଥର ବିସ୍ଫୋରଣ ଶବ୍ଦ ଶୁଣିଥିଲେ।

ଗୁଳି ଚୋଟରେ ଆହତ ୬୭ ବର୍ଷିୟ ଆବେଙ୍କୁ ଘଟଣାସ୍ଥଳରୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଛି। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ କୌଣସି ସୂଚନା ମିଳିନାହିଁ। ତାଙ୍କ ଛାତିରେ ଗୁଳିମାଡ଼ ହୋଇଥିବା କଥା କେତେକ କହୁଛନ୍ତି ।