ନୂଆଦିଲ୍ଲୀ: ସରଗରମ ହୋଇଉଠିଛି ହିମାଚଳ ପ୍ରଦେଶ ରାଜନୀତି । ନିର୍ବାଚନ ପୂର୍ବରୁ ରାଜନୈତିକ ଓଲଟା ପାଲଟକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନା ଜଳ୍ପନା । ଦଳ ଡିଆଁ ଡିଏଁ ନେଇ ଆଶା ଓ ଆଶଂକା ପ୍ରକାଶ ପାଇଛି । ଏହା ମଧ୍ୟରେ କଂଗ୍ରେସ ନେତା ଆନନ୍ଦ ଶର୍ମା ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସାକ୍ଷାତ କରିଛନ୍ତି। ସୂତ୍ର ଅନୁଯାୟୀ, ଆନନ୍ଦ ଶର୍ମା ଜେପି ନଡ୍ଡାଙ୍କୁ ଭେଟିଛନ୍ତି।

ଚଳିତ ବର୍ଷ ଶେଷ ଆଡକୁ ହିମାଚଳ ପ୍ରଦେଶରେ ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ଉଭୟ ନେତାଙ୍କ ଭେଟକୁ ଗୁରୁତ୍ଵପୂର୍ଣ୍ଣ କୁହାଯାଉଛି। ଆନନ୍ଦ ଶର୍ମା ଅନେକ ଥର ପାର୍ଟି ନେତୃତ୍ଵ ପ୍ରତି ନିଜର ଅସନ୍ତୋଷ ଜାହିର କରି ସାରିଛନ୍ତି। ସେ କଂଗ୍ରେସ ନେତୃତ୍ଵ ପ୍ରତି ଅସନ୍ତୁଷ୍ଟ ହୋଇ ଜି-୨୩ ଗ୍ରୁପରେ ସଦସ୍ୟ ଅଛନ୍ତି।

ଜେପି ନଡ୍ଡା ଏବଂ ଆନନ୍ଦ ଶର୍ମାଙ୍କ ଭେଟକୁ ହିମାଚଳ ପ୍ରଦେଶର ରାଜନୈତିକ ସମୀକରଣକୁ ଯୋଡି କି ଦେଖାଯାଉଛି। ଏହି ବୈଠକରେ ଆନନ୍ଦ ଶର୍ମାଙ୍କ ବିଜେପିରେ ସାମିଲ୍ ହେବା ନେଇ ଆଲୋଚନା ହୋଇଥିବା କୁହାଯାଉଛି। ରାଜନୈତିକ ହଲଚଲ ପରେ ଆନନ୍ଦ ଶର୍ମାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

ସାକ୍ଷାତକାରକୁ ନେଇ ଆନନ୍ଦ ଶର୍ମା କହିଛନ୍ତି ମୋତେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବାର ପୂରା ଅଧିକାର ରହିଛି। ଆମେ ଉଭୟ ଗୋଟିଏ ରାଜ୍ୟରୁ ଆସିଛି ଏବଂ ଏକାଠି ପଢିଛୁ। ଏହି ସାକ୍ଷାତରେ କୌଣସି ରାଜନୈତିକ ଅର୍ଥ କାଢିବା ଉଚିତ୍ ନୁହେଁ ।