କନ୍ଦରପୁର କଲେଜ ପୂର୍ବତନ ଅଧ୍ୟକ୍ଷଙ୍କୁ କଟୁରୀରେ ହାଣି ହତ୍ୟା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କନ୍ଦରପୁର କଲେଜର ପୂର୍ବତନ ଅଧ୍ୟକ୍ଷ ସୁଦର୍ଶନ ଶତପଥୀଙ୍କୁ କଟୁରିରେ ହାଣି ହତ୍ୟା କରାଯାଇଛି। ଗତକାଲି ସନ୍ଧ୍ୟା ପ୍ରାୟ ୬ଟା ସମୟରେ କନ୍ଦରପୁର ମେଡିକାଲ ରୋଡ୍‌ ମୁଣ୍ଡାସାହି ନିକଟରେ ଥିବା ଏକ ଚିକେନ୍ କାଉଣ୍ଟର୍‌ ନିକଟରୁ ସୁଦର୍ଶନ ଶତପଥୀଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଛି। କନ୍ଦରପୁର ଥାନା ପୁଲିସ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତ ଅର୍ଜୁନୀ ଜେନା(୩୫)କୁ ଗିରଫ କରିଛି।

ମିଳିଥିବା ସୂଚନା ମୁତାବକ , ପୂର୍ବତନ ଅଧ୍ୟକ୍ଷ ସୁଦର୍ଶନ ପ୍ୟାକେଟ କ୍ଷୀର କିଣି ସ୍କୁଟିରେ ସିଦ୍ଧେଶ୍ୱରପୁର ସ୍ଥିତ ନିଜ ଘରକୁ ଫେରୁଥିଲେ। କନ୍ଦରପୁର ମେଡିକାଲ ରାସ୍ତାରେ ଫେରିବା ସମୟରେ ସ୍ଥାନୀୟ ସିଦ୍ଧେଶ୍ବର ସାହିର ଅର୍ଜୁନୀ ପହଞ୍ଚିଥିଲା । ଉଭୟଙ୍କ ମଧ୍ୟରେ ସୁଧ ଟଙ୍କା ଫେରସ୍ତକୁ ନେଇ କଥା କଟାକଟି ହୋଇଥିଲା। ପୂର୍ବରୁ ମଧ୍ୟ ବିବାଦ ସୃଷ୍ଟି ହୋଇଥିଲା। ତେବେ ଗତକାଲି ଏଭଳି ଘଟଣା ଘଟିବା ପରେ ଅର୍ଜୁନୀ ଉତ୍ତ୍ୟକ୍ତ ହୋଇ ଏକ ଧାରୁଆ କଟୁରିରେ ସୁଦର୍ଶନଙ୍କୁ ହାଣିଦେଇଥିଲା। ତେବେ ଆକ୍ରମଣରେ ସୁଦର୍ଶନଙ୍କ କାନ୍ଧ (ବେକ ପାଖ) ରେ ଗଭୀର ଆଘାତ ଲାଗିଥିବା ବେଳେ ହାତର ଆଙ୍ଗୁଠି କାଟି ଅଲଗା ହୋଇଯାଇଥିଲା। ସୁଦର୍ଶନ ରାସ୍ତାରେ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ବେଳେ କନ୍ଦରପୁର ଥାନା ପିସିଆର୍ ଭ୍ୟାନ୍‌ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଅପରପକ୍ଷରେ କନ୍ଦରପୁର ଥାନା ପୁଲିସ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ଅର୍ଜୁନୀ ଜେନାକୁ ଗିରଫ କରି ଥିଲା ।

ସୂଚନା ଅନୁସାରେ ପୂର୍ବତନ ଅଧ୍ୟକ୍ଷ ସୁଦର୍ଶନ ଗଲା କିଛିବର୍ଷ ହେବ ସ୍ଥାନୀୟ ଅଞ୍ଚଳରେ ସୁଧ କାରବାର କରି ଆସୁଥିଲେ। ତାଙ୍କ ନିକଟରୁ ଅର୍ଜୁନୀ ବି ଟଙ୍କା ନେଇଥିଲା। କିନ୍ତୁ ସେ ଟଙ୍କା ଫେରସ୍ତ ନ କରିବାରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ଘଟଣା ସମ୍ପର୍କରେ ଡିସିପି ପ୍ରତୀକ ସିଂହ କହିଛନ୍ତି ଯେ ସୁଧ କାରବାର ନେଇ ଏଭଳି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ପୂର୍ବରୁ ବି ସୁଧ ଟଙ୍କାକୁ ନେଇ ଦୁଇ/ତିନି ଥର ସେମାନଙ୍କ ଭିତରେ ବିବାଦ ଦେଖାଦେଇଥିଲା। ହତ୍ୟାକାଣ୍ଡ ପରେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ନେଇ ଡିସିପି ସୂଚନା ଦେଇଛନ୍ତି ।

Related Posts