ପୁରୀରେ ବିମାନବନ୍ଦରକୁ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ବିରୋଧ, କହିଲେ – ‘ତୀର୍ଥଭୂମିର ପରମ୍ପରାକୁ ଲୋପ କରିବାର ହୀନ ପ୍ରୟାସ’

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ସ୍ଥାପନ କରିବା ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିବା ସହ ବିରୋଧ କରିଛନ୍ତି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ। ସେ କହିଛନ୍ତି ଯେ, ‘ ପୁରୀ ଧାମ ହେଉଛି ଏକ ଅନନ୍ୟ ତୀର୍ଥସ୍ଥଳ। ତେଣୁ ଏହାକୁ ପର୍ଯ୍ୟଟନ ସ୍ଥଳ ଭାବେ ଗୁରୁତ୍ବ ଦେଇ ତୀର୍ଥଭୂମିର ଗୁରୁତ୍ବକୁ ଭୁଲିଯିବା ଗ୍ରହଣୀୟ ନୁହେଁ। ତୀର୍ଥଭୂମି ପୁରୀରେ ତୀର୍ଥ ପରମ୍ପରା ଲୋପକରିବାର ଏହା ଏକ ହୀନ ପ୍ରୟାସ। ଯଦି ଏମିତି କିଛି ହୁଏ ତେବେ ଗୋବଂଶ ସଂରକ୍ଷଣ ପାଇଁ ଉଦ୍ଦିଷ୍ଟ ଥିବା ଗୋଚର ଭୂମି ଲୋପପାଇବ। ତେବେ ଜଗଦଗୁରୁ କହିଛନ୍ତି ଯେ ସେ, ବିକାଶକୁ ସବୁବେଳେ ସମର୍ଥନ କର ଆସୁଛନ୍ତି, କିନ୍ତୁ ବିକାଶର ସ୍ବରୂପକୁ ସର୍ବଦା ଉଚିତ୍‌ ଢଙ୍ଗରେ ବୁଝିବା ଆବଶ୍ୟକ ବୋଲି ସେ କହିଛନ୍ତି।

ଶଙ୍କରାଚାର୍ଯ୍ୟ ଆହୁରି ମଧ୍ୟ କହିଛନ୍ତି ଯେ , ପୁରୀ ଠାରୁ ୬୦ କିଲୋମିଟର ଦୂରରେ ଭୁବନେଶ୍ବରରେ ଅନ୍ତର୍ଜାତୀୟ ବିମାନବନ୍ଦର ରହିଛି । ଏହା ସତ୍ତ୍ବେ ପୁରୀରେ ଏକ ବିମାନ ବନ୍ଦରର ସ୍ଥାପନ କରିବାର କ’ଣ ଆବଶ୍ୟକତା ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି ? ଏହାକୁ ଦିଗହୀନ କରାନଯାଉ ବୋଲି ସେ କହିଛନ୍ତି। ତେବେ ସେ ପ୍ରସ୍ତାବ ଦେଇଛନ୍ତି ଯେ, ପ୍ରଶାସନ ଯଦି ପୁରୀରେ କୌଣସି ଅଭିଯାନ କରିବାକୁ ଚାହୁଁଛନ୍ତି ତାଙ୍କ ସହ ଆଲୋଚନା କରି ଏହାର ଉପଯୋଗିତା ପୂର୍ବକ କାର୍ଯ୍ୟ କରିପାରିବେ। କିନ୍ତୁ ବିମାନବନ୍ଦର ପ୍ରତିଷ୍ଠାକୁ ସେ କଦାପି ସମର୍ଥନ କରିବେନାହିଁ ବୋଲି କହିଛନ୍ତି । କେନ୍ଦ୍ର ଅବା ରାଜ୍ୟ ସରକାର, ତୀର୍ଥ କ୍ଷେତ୍ର ପୁରୀ ପାଇଁ ଅମଙ୍ଗଳ ସୂଚକ କାର୍ଯ୍ୟକୁ ସେ ସମର୍ଥନ କରିବେ ନାହିଁ ବୋଲି କହିଛନ୍ତି। ଯଦି ପୁରୀରେ ବିମାନବନ୍ଦର ପ୍ରତିଷ୍ଠା ପାଇଁ ଉଦ୍ୟମ ଜାରି ରହେ, ଏନେଇ ଜନଜାଗରଣ ସୃଷ୍ଟି କରିବା ପାଇଁ ସେ ପ୍ରୟାସ କରିବେ ବୋଲି କହିଛନ୍ତି।

ସୂଚନା ଥାଉକି ପୁରୀର ସିପସରୁବାଲି ‌ମୌଜାରେ ‘ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର’ ନିର୍ମାଣ ପାଇଁ ସରକାରୀ ସ୍ତରରେ ନକ୍ସା ପ୍ରସ୍ତୁତ ହୋଇ ସାରିଛି। ଏଥିପାଇଁ ୧୫ଶହ ଏକର ଜମି ଅଧିଗ୍ରହଣ କାର୍ଯ୍ୟ ମଧ୍ୟ ଚାଲିଛି। ଆସନ୍ତା ନିର୍ବାଚନ ପୂର୍ବରୁ ପୁରୀ ବିମାନବନ୍ଦର କାର୍ଯ୍ୟକ୍ଷମ କରାଯିବାର ଲକ୍ଷ୍ୟ ରଖିଛନ୍ତି ସରକାର । ଭାରତ ବିମାନବନ୍ଦର ପ୍ରାଧିକରଣ ମଧ୍ୟ ପ୍ରସ୍ତାବିତ ପ୍ରକଳ୍ପ ଅଞ୍ଚଳ ବୁଲି ଅନୁକୁଳ ମନ୍ତବ୍ୟ ଦେଇ ଫେରି ଯାଇଛନ୍ତି। ତେବେ ଶଙ୍କରାଚାର୍ଯ୍ୟଙ୍କ ଏପରି ବୟାନ ପରେ ପ୍ରକଳ୍ପକୁ ଘୋର ‌ବିରୋଧ ହେବାନେଇ ଆଶଙ୍କା ଦେଖାଦେଇଛି।

Related Posts