ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳ ଡିଆଁ ପର୍ବ : କଂଗ୍ରେସ ଛାଡି ବିଜେଡିରେ ସାମିଲ ହେଲେ ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ପାଖେଇ ଆସୁଛି ପଞ୍ଚାୟତ ଓ ପୌର ନିର୍ବାଚନ। ଏହାପୂର୍ବରୁ ରାଜ୍ୟରେ ଆରମ୍ଭ ହେଲାଣି ଦଳ ଡିଆଁ ପର୍ବ। ଏହି କ୍ରମରେ ଆଜି କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ଚନ୍ଦ୍ରଶେଖର ମାଝୀ । ନିଜ କର୍ମୀ ଓ ସମର୍ଥକଙ୍କ ସହ ସେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ଚନ୍ଦ୍ରଶେଖର ମାଝୀ ଦକ୍ଷିଣ ଓଡିଶାର ମଜଭୁତ କଂଗ୍ରେସ ଗଡ ଭାବେ ପରିଚିତ କୋଟପାଡରୁ ୨୦୧୪ରେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢି ବିଧାୟକ ହୋଇଥିଲେ । କିନ୍ତୁ ୨୦୧୯ରେ ସ୍ଥିତି ବଦଳିଯାଇଥିଲା । 

୨୦୧୯ ରେ ବିଜେଡି ନେତ୍ରୀ ତଥା ବର୍ତ୍ତମାନ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନ ଦିଆନଙ୍କଠାରୁ ହାରିଯାଇଥିଲେ। ତଥାପି ବି ସେ ୬୦ ହଜାରରୁ ଅଧିକ ଭୋଟ ପାଇଥିଲେ । ତାଙ୍କ ପୂର୍ବରୁ ଚନ୍ଦ୍ରଶେଖରଙ୍କ ଦାଦା ବାସୁଦେବ ମାଝୀ କଂଗ୍ରେସ ଟିକେଟରେ କୋଟପାଡରୁ ୮ ଥର ଜିତି ରେକର୍ଡ ସୃଷ୍ଟି କରିଥିଲେ। କୋଟପାଡ କଂଗ୍ରେସର ଗଡ କୁହାଯାଉଥିବା ବେଳେ ପ୍ରଥମ ଥର ପାଇଁ ୨୦୧୯ ରେ ବିଜୁ ଜନତା ଦଳ ଏଠାରେ ବିଜୟୀ ହୋଇଥିଲା। 

ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବା ବେଳେ ଏହା ପୂର୍ବରୁ ସଙ୍ଗଠନକୁ ମଜବୁତ୍ କରିବା ପାଇଁ ବିଜେଡି ଚନ୍ଦ୍ରଶେଖର ମାଝୀଙ୍କୁ ଦଳରେ ସାମିଲ କରିଛି । ଆଜି ବିଜୁ ଜନତା ଦଳରେ ସାମିଲ ହେବା ପୂର୍ବରୁ ମଙ୍ଗଳବାର ଦିନ କଂଗ୍ରେସରୁ ଇସ୍ତଫା ଦେଇଥିଲେ ଚନ୍ଦ୍ରଶେଖର ମାଝୀ । ସେ ବ୍ୟକ୍ତିଗତ କାରଣ ଦର୍ଶାଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ତାଙ୍କର ଇସ୍ତଫା ପତ୍ର ପଠାଇଥିଲେ । 

ଏପରିକି କଂଗ୍ରେସ ଦଳ ନିକଟରେ ସର୍ବଦା କୃତଜ୍ଞ ରହିବି ବୋଲି ଚନ୍ଦ୍ରଶେଖର ସେଥିରେ ଉଲ୍ଲେଖ କରିଥିଲେ। ବିଜେଡିରେ ଚନ୍ଦ୍ରଶେଖରଙ୍କ ସାମିଲ ହେବା ଦ୍ୱାରା ବିଜେଡି ସେଠାରେ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଏବେଠୁ ସଙ୍ଗଠନ ସୁଦୃଢ଼ କରିବା ନେଇ ସଂକେତ ଦେଇଛି । ବିଜେଡିର ଏହି ମିଶ୍ରଣ ପର୍ବରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପ୍ରତାପ ଦେବ, ସୁବାଷ ସିଂ, ରବି ନନ୍ଦ, ରମେଶ ମାଝୀ, ମାନସ ମଙ୍ଗରାଜ, ମୀରା ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

Related Posts