ଲଘୁଚାପ ଜନିତ ଲଗାଣ ବର୍ଷା ସତ୍ତ୍ବେ ରାଜ୍ୟର ୯ଟି ଜିଲ୍ଲାରେ ବର୍ଷା ନିଅଣ୍ଟ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟ ତମାମ ବର୍ଷା ହୋଇଛି। ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ନିଅଣ୍ଟିଆ ବର୍ଷା କିଛି ପରିମାଣରେ ସୁଧୁରି ଯାଇଛି । ଲଗାଣ ବର୍ଷା ସତ୍ତ୍ବେ ରାଜ୍ୟର ୯ଟି ଜିଲ୍ଲାରେ ଏବେ ବି ବର୍ଷା ନିଅଣ୍ଟ ରହିଛି। ଏ ସମ୍ପର୍କରେ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସାରା ରାଜ୍ୟରେ ହାରାହାରି ୯୩୨.୫ ମିଲିମିଟର ବର୍ଷା ହୋଇଥିବାବେଳେ ନିଅଣ୍ଟ ପରିମାଣ ହ୍ରାସ ପାଇ ୧୨ ପ୍ରତିଶତରେ ପହଞ୍ଚିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଜାରି ସୂଚନାରୁ ଜଣାପଡିଛି। 

ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ରାଜ୍ୟର ଭଦ୍ରକ,ଯାଜପୁର,କେନ୍ଦୁଝର,ଦେବଗଡ଼,ସମ୍ବଲପୁର, ଝାରସୁଗୁଡା, ବଲାଙ୍ଗୀର, କଳାହାଣ୍ଡି ଓ ନବରଙ୍ଗପୁରରେ ଏବେ ବି ବର୍ଷା ନିଅଣ୍ଟ ରହିଥିବା ଜଣାପଡିଛି । ଏସବୁ ଜିଲ୍ଲାରେ ନିଅଣ୍ଟ ପରିମାଣ ୨୨ ପ୍ରତିଶତରୁ ୩୧ ପ୍ରତିଶତ ମଧ୍ୟରେ ରହିଛି । ସେହିପରି ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ଆବଶ୍ୟକ ଠାରୁ ଅଧିକ ବର୍ଷା ହୋଇଛି । ପୁରୀରେ ୧୧୬୧ ମିଲିମିଟର ବର୍ଷା ସହ ୨୮ ପ୍ରତିଶତ ବଳକା ବର୍ଷା ହୋଇଥିବାବେଳେ ଗଜତସିଂହପୁରରେ ୧୩୦୫ ମିଲିମିଟର ବର୍ଷା ସହ ୩୨ ପ୍ରତିଶତ ବଳକା ବର୍ଷା ହୋଇଛି ।

ଅନ୍ୟପକ୍ଷରେ ଜଳ ସପଂଦ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟରେ ଏବେ ଆଉ ବର୍ଷା ନାହିଁ। ଯେଉଁ ନଦୀରେ ଜଳସ୍ତର ବୃଦ୍ଧି ପାଇଥିଲା, ତାହା ସ୍ଥିର ହୋଇ କମିବାରେ ଲାଗିଛି । ଜଳକାର ତଳ ଅଞ୍ଚଳ ପାଇଁ ବିପଦ ସଂକେତ ପାଖରେ ରହୁଛି । ଏଥିପାଇଁ ତଳିଆ ଅଂଚଳରେ ଜଳବନ୍ଦୀ ରହୁଛି । ରାଜ୍ୟରେ ବନ୍ୟା କେଉଁଠି ବି ହୋଇ ନାହିଁ । ହୀରାକୁଦରେ ଗତକାଲି ୬, ଆଜି ୬ଟି ଗେଟ୍ ଖୋଲିଛି । ଉପର ମୁଣ୍ଡରେ ବର୍ଷା ହୋଇଛି , ତେଣୁ ଜଳ ପ୍ରବେଶ କରୁଛି । ଏବେ ହୀରାକୁଦ ଜଳସ୍ତର ୬୨୮. ୦୩ ଫୁଟ ରହୁଛି । ଉପର ମୁଣ୍ଡର ପାଣି ସ୍ଥିତି ନେଇ ଗେଟ୍ ଖୋଲା ଯାଉଛି । ଯଦି ଅଧିକ ପାଣି ଆସେ, ତାହେଲେ ଅଧିକ ଗେଟ୍ ଖୋଲାଯିବ ବୋଲି କୁହାଯାଇଛି । 

Related Posts