ଉଗ୍ର ହେଉଛି ମୂର୍ତ୍ତି ଉଚ୍ଚତା ବିବାଦ, ଉଚ୍ଚତା ବୃଦ୍ଧି ଦାବିରେ କଟକ ନଗର କଂଗ୍ରେସ ପକ୍ଷରୁ ମଉନ ପ୍ରତିବାଦ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଦିନକୁ ଦିନ ଉଗ୍ର ରୂପ ନେଉଛି ମୂର୍ତ୍ତି ଉଚ୍ଚତା ବୃଦ୍ଧି ବିବାଦ । ଗୋଟିଏ ପଟେ ରାଜ୍ୟ ସରକାର ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ ଅଧିକ ହେବ ନାହିଁ ବୋଲି ଅଡି ବସିଥିବା ବେଳେ ବିରୋଧୀ ଏବଂ ପୂଜା କମିଟି ମାନେ ବିରୋଧ ଜାରି ରଖିଛନ୍ତି। ଆଜି କଂଗ୍ରେସ ପକ୍ଷରୁ ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ପ୍ରତିବାଦ କରିଛନ୍ତି। ତେବେ ଏହା ପୂର୍ବରୁ କଟକ ନଗର ଭାରତୀୟ ଜନତା ପାର୍ଟି ପକ୍ଷରୁ ବନ୍ଦ ପାଳନ କରାଯାଇଥିଲା। 

ଆଜି କଂଗ୍ରେସ ପକ୍ଷରୁ ମୂର୍ତ୍ତି ଉଚ୍ଚତା ବୃଦ୍ଧି ଦାବିରେ  କଟକ ନଗର କଂଗ୍ରେସ ଓ ଏକ ସାମାଜିକ ସଂଗଠନ ପକ୍ଷରୁ ଶାନ୍ତି ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି ।  ପୁରୀଘାଟ ଗାନ୍ଧି ମୂର୍ତ୍ତି ତଳେ ନଗର କଂଗ୍ରେସ ପକ୍ଷରୁ ମଉନ ପ୍ରତିବାଦ କରାଯାଉଛି । କଂଗ୍ରେସର ଏହି ପ୍ରତିବାଦରେ ବିଧାୟକ ମହମ୍ମଦ ମୋକିମ ମଉନ ଏଥିରେ ସାମିଲ ହୋଇଛନ୍ତି । ସେହିପରି ମାଛୁଆ ବଜାରରେ ହିନ୍ଦୁ ଜାଗରଣ ମଂଚ କର୍ମକର୍ତ୍ତା କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନ କରି ଧାରଣାରେ ବସିଛନ୍ତି  ।

କଂଗ୍ରେସ ବିଧାୟକ ମୋକ୍କିମ୍ ନିଷ୍ପତ୍ତିର ପୁନଃବିଚାର ପାଇଁ ଦାବି କରିଛନ୍ତି । ସେ କହିଛନ୍ତି ଯେ, ଲକ୍ଷ ଲକ୍ଷ ଲୋକଙ୍କ ଭାଗାବେଗ ସହ ଜଡ଼ିତ ରହିଛି କଟକ ଦୁର୍ଗା ପୂଜା। ତେଣୁ ପୂର୍ବ ପରି ମା’ଙ୍କ ମୂର୍ତ୍ତିର ଉଚ୍ଚତା ସହ ପୂଜା ନେଇ ଲାଗୁ କରିଥିବା କଟକଣା କୋହଳ କରିବାକୁ ସରକାରଙ୍କ ନିକଟରେ ଦାବି କରୁଛୁ। ଦୁର୍ଗା ପୂଜା ହେଉଛି କଟକବାସୀଙ୍କ ପରମ୍ପରା ସହ ଶହ ଶହ ବର୍ଷ ହେଲା ଜଡ଼ିତ ଅଛି। ତେଣୁ ସରକାର  କୋଭିଡ ଗାଇଡଲାଇନ ମଧ୍ୟରେ ମୂର୍ତ୍ତିର ଉଚ୍ଚତା ବୃଦ୍ଧି ଦାବିକୁ ସେ ଅନୁରୋଧ କରିଛନ୍ତି। ଏଥିସହ ଯେପରି ପୂଜା ହେବା କଥା ସେପରି ଅନୁମତି ପ୍ରଦାନ କରନ୍ତୁ। ଏଥିନିମନ୍ତେ ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଙ୍ଗଠନ ପକ୍ଷରୁ ସରକାରଙ୍କୁ ଅନୁରୋଧ କରାଯାଇଛି। କିନ୍ତୁ ବିଜେଡି କଟକବାସୀଙ୍କ ଭାଗାବେଗକୁ ବୁଝିବାକୁ ପ୍ରସ୍ତୁତ ହେଉନି ବୋଲି ସେ କହିଛନ୍ତି। 

ତେବେ ଏଠାରେ ସୂଚନାଯୋଗ୍ୟ ଯେ ,ବାଲୁବଜାର ପୂଜା କମିଟି ପକ୍ଷରୁ ମୂର୍ତ୍ତିର ଉଚ୍ଚତା ବୃଦ୍ଧି ଦାବିରେ ହାଇକୋର୍ଟରେ ମାମଲା ଦାୟର କରାଯାଇଛି। ଏହା ପୂର୍ବରୁ କଟକର ଶାନ୍ତି କମିଟି ସଦସ୍ୟଙ୍କ ସହ ସରକାରଙ୍କ ପକ୍ଷରୁ ମୂର୍ତ୍ତି ଉଚ୍ଚତା ସମ୍ପର୍କରେ ନେଇ ଆଲୋଚନା ହୋଇଥିଲା। କିନ୍ତୁ କିଛି ବି ସୁଫଳ ମିଳି ନଥିଲା । ମୂର୍ତ୍ତିର ଉଚ୍ଚତା ୪ ଫୁଟ ରହିବ, ବୋଲି ସ୍ପଷ୍ଟ କରିଥିଲେ SRC ପ୍ରଦୀପ ଜେନା।

ଏଥିସହ ସେ କହିଥିଲେ, ସବୁଠି ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ପ୍ରଥମ ଲହର ପରେ ଦ୍ୱିତୀୟ ଲହର ଏବେ ଚାଲିଛି। ଆଗକୁ ତୃତୀୟ ଲହର ଆସିବାର ସମ୍ଭାବନା ଅଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପାର୍ବଣ ଗାଇଡଲାଇନ ଜାରି କରିଥିଲେ। ମୂର୍ତ୍ତି ଉଚ୍ଚତା, ସାଜସଜା ନେଇ ସରକାରଙ୍କ ତରଫରୁ କଟକଣା ଜାରି କରାଯାଇଥିଲା। ତେଣୁ ଅଗଷ୍ଟ ୯ ତାରିଖରେ ରାଜ୍ୟ ସରକାର ଯେଉଁ ଗାଇଡଲାଇନ ଜାରି କରିଥିଲେ, ତାହା ପୂର୍ବପରି ବଳବତ୍ତର ରହିବ। 

Related Posts