ବିଜେପି ଦଳରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ଜୟରାମ ପାଙ୍ଗି

କୋଟିଆ: ପୂର୍ବତନ ସାଂସଦ ଜୟରାମ ପାଙ୍ଗି ବିଜେପି ଦଳରୁ ଇସ୍ତଫା ଦେଇଛନ୍ତି। କୋଟିଆରେ ଉତ୍କଳ ଦିବସ ପାଳନ ଅବସରରେ ସେ ନିଜର ଇସ୍ତଫା ସମ୍ପର୍କରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ଏହି ସୂଚନା ଦେଇଛନ୍ତି । କିନ୍ତୁ ତାଙ୍କ ଆଗାମୀ ପଦକ୍ଷେପ କଣ ରହିବ , ସେ କେଉଁ ଦଳକୁ ଯିବେ ସେନେଇ କିଛି ସ୍ପଷ୍ଟ କରିନାହାନ୍ତି ।

ତେବେ ଲୋକଙ୍କ ସହ ରହି ଅଂଚଳର ବିକାଶ ଦିଗରେ କାମ କରିବି ବୋଲି କହିଛନ୍ତି । ଗତ କିଛିଦିନ ଧରି ସ୍ବତନ୍ତ୍ର କେନ୍ଦ୍ର ଶାସିତ ରାଜ୍ୟ ଘୋଷଣା ଦାବି କରି ଆସୁଛନ୍ତି । ଅବିଭକ୍ତ କୋରାପୁଟ, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ ରାଜ୍ୟର ସୀମାନ୍ତ ଅଂଚଳକୁ ନେଇ ଦଣ୍ଡକାରଣ୍ୟ ପାର୍ବତ୍ୟମାଳା ବିକାଶ ପରିଷଦ ନାମରେ ସଂଗଠନ ଗଢିଛନ୍ତି । ଏହି ସଂଗଠନରେ ଓଡିଶା, ଛତିଶଗଡ, ଆନ୍ଧ୍ର ତିନୋଟି ରାଜ୍ୟର ପ୍ରମୁଖ ବ୍ୟକ୍ତିମାନେ ବିଭିନ୍ନ ପଦ ପଦବିରେ ରହିଛନ୍ତି । ଏହି ସଂଗଠନରେ କାର୍ଯ୍ୟ ଜାରି ରହିବ ବୋଲି ସେ କହିଛନ୍ତି । ୨୦୧୭ରେ ବିଜେଡିରୁ ନିଲମ୍ବିତ ହେବାପରେ ପରବର୍ତ୍ତୀ ସମୟରେ ବିଜେପିରେ ସାମିଲ ହୋଇଥିଲେ ।

ସୂଚନାଯୋଗ୍ୟ, ବିଜେପି ତାଙ୍କୁ ୨୦୧୯ ଲୋକସଭା ନିର୍ବାଚନରେ କୋରାପୁଟ ଲୋକସଭା ଆସନ ପାଇଁ ଟିକେଟ ଦେଇଥିବା ବେଳେ, ସେ ପରାଜିତ ହୋଇଥିଲେ ।

Related Posts