ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଭାବରେ ନିଯୁକ୍ତ ହେଲେ ପୂର୍ବତନ ପେଟ୍ରୋଲିୟମ ସଚିବ ତରୁଣ କପୁର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଭାବରେ ନିଯୁକ୍ତ ହେଲେ ପୂର୍ବତନ ପେଟ୍ରୋଲିୟମ ସଚିବ ତରୁଣ କପୁର । ଏନେଇ ଆଜି ସରକାରଙ୍କ ଦ୍ଵାରା ଏହି ଆଦେଶ ଜାରି କରାଯାଇଛି। କପୁର ହେଉଛନ୍ତି ହିମାଚଳ ପ୍ରଦେଶ କ୍ୟାଡରର ୧୯୮୭ ବ୍ୟାଚର ଆଇଏଏସ ଅଫିସର। ସେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ସଚିବ ଭାବେ କାର‌୍ୟ୍ୟ କରି ସାରିଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ ଜାରି ଆଦେଶ ଅନୁଯାୟୀ, କ୍ୟାବିନେଟ୍ ନିଯୁକ୍ତ କମିଟି ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ତରୁଣ କପୁରଙ୍କ ନିଯୁକ୍ତକୁ ମଞ୍ଜୁରୀ ଦେଇଛନ୍ତି। ସେ ଭାରତ ସରକାରଙ୍କ ସଚିବ ଭାବେ ପିଏମଓରେ କାର‌୍ୟ୍ୟ କରିବେ। ତାଙ୍କର କାର‌୍ୟ୍ୟକାଳ ଦୁଇ ବର୍ଷ ରହିବ।

ବରିଷ୍ଠ ଅଧିକାରୀ ହର ରଞ୍ଜନ ରାଓ ଏବଂ ଆତିଶ ଚନ୍ଦ୍ରଙ୍କୁ ପ୍ରଧାନମନ୍ତ୍ରୀ କାର‌୍ୟ୍ୟାଳୟରେ ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯାଇଛି। ରାଓ ୧୯୯୪ ବ୍ୟାଚର ମଧ୍ୟ ପ୍ରଦେଶ କ୍ୟାଡରର ଆଇଏଏସ ଅଫିସର। ସେ ବର୍ତ୍ତମାନ ଟେଲିକମ ବିଭାଗରେ ୟୁନିର୍ଭସଲ ସର୍ଭିସ ଅବ୍ଲିଗେସନ ଫଣ୍ଡର ପ୍ରଶାସନିକ ଅଧିକାରୀ ଭାବେ କାମ କରୁଛନ୍ତି। ଚନ୍ଦ୍ରା ଏବଂ ରାଓ ଉଭୟ ବିହାର ବ୍ୟାଚର ଆଇଏଏସ ଅଫିସର। ଚନ୍ଦ୍ରା ସଂପ୍ରତି ଭାରତୀୟ ଖାଦ୍ୟ ନିଗମର ଅଧ୍ୟକ୍ଷ ଏବଂ ପରିଚାଳକ ନିର୍ଦ୍ଦେଶକ ଭାବେ କାର‌୍ୟ୍ୟ କରୁଛନ୍ତି। ବରିଷ୍ଠ ଆଇଏଏସ ଅଧିକାରୀ ଜ୍ଞାନେଶ କୁମାରଙ୍କୁ ସହକାରିତା ମନ୍ତ୍ରଣାଳୟର ସଚିବ ଭାବେ ନିଯୁକ୍ତ କରାଯାଇଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts